ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ସଦର ବ୍ଲକର ଟିକରାପଡା ଗାଁରେ ସର୍ଟ ସର୍କିଟ୍ ଯୋଗୁଁ ଘଟିଥିବା ଏକ ଭୟାବହ ଅଗ୍ନିକାଣ୍ଡରେ ଏକ ପରିବାରର ସର୍ବସ୍ୱ ଜଳି ପାଉଁଶ ହୋଇଯାଇଛି। ଏହି ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ଓ ଦୁଃଖର ପରିବେଶ ସୃଷ୍ଟି କରିଛି।ସୂଚନା ଅନୁଯାୟୀ, ଟିକରାପଡା ଗ୍ରାମର ସନ୍ୟାସୀ କାଡ୍ରାକାଙ୍କ ପୁଅ ଡ଼ିୟୁ କାଡ୍ରାକାଙ୍କ ଦୁଇ କୋଠରୀ ବିଶିଷ୍ଟ ଘରରେ ହଠାତ୍ ବିଦ୍ୟୁତ ସର୍ଟ ସର୍କିଟ୍ ହେବାରୁ ନିଆଁ ଲାଗିଥିଲା। କିଛି ସମୟ ମଧ୍ୟରେ ନିଆଁ ସମଗ୍ର ଘରକୁ ଗ୍ରାସ କରିଥିଲା। ଅଗ୍ନିକାଣ୍ଡରେ ଘର ଭିତରେ ଥିବା ଆସବାବପତ୍ର, ପୋଷାକ, ରୋଷେଇ ସାମଗ୍ରୀ, ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷପତ୍ର ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୩ ଲକ୍ଷ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଚଳାଇଥିଲେ କୌଣସି ପ୍ରକାର ଅଗ୍ନିଶମ ବାହିନୀ ଖବର ପାଇ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇସାରିଥିଲା। ଏହି ଅଗ୍ନିକାଣ୍ଡ ପରେ ପୀଡ଼ିତ ପରିବାର ଖୋଲା ଆକାଶ ତଳେ ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି। ତୁରନ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ ପାଇଁ ପରିବାରଙ୍କ ସହ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ପ୍ରଶାସନକୁ ଅନୁରୋଧ କରିଛନ୍ତି।





