• ଅନୁଷ୍ଠିତ ହେଲା ୭୯ତମ କନହେଇ ଜୟନ୍ତୀ ସମାରୋହ
• ରଞ୍ଜନ ପ୍ରଧାନ ପାଇଲେ କନହେଇ କଥା ପୁରସ୍କାର
ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): କନ୍ହେଇଲାଲ ଦାସ ଥିଲେ ଅଗ୍ରଗାମୀ ଲେଖକ। ତାଙ୍କୁ ସମସାମୟିକ ଲେଖକ ଅନୁସରଣ କରୁଥିଲେ। ଲେଖକ ମରିଯାଏ ସତ, କିନ୍ତୁ ସେ ବଞ୍ଚି ରହେ ପାଠକଙ୍କ ଭିତରେ। ଯେମିତି କନହେଇଲାଲ ଦାସ ରହିଛନ୍ତି। ଆଗାମୀ ପିଢ଼ି ପାଇଁ କନ୍ହେଇଲାଲଙ୍କ ପରି ଲେଖକଙ୍କୁ ପରିଚିତ କରାଇବାର ଆବଶ୍ୟକତା ରହିଛି, ନହେଲେ ଆଜିର ଏ ଏଆଇ ଯୁଗରେ ସେପରି ଲେଖକମାନେ ବିସ୍ମୃତ ହୋଇଯିବେ। ପାରମ୍ପରିକ ଚେତନାକୁ ଭାଙ୍ଗିଦେବାର ପ୍ରଚଣ୍ଡ ସାହସ ରଖିଥିଲେ କନ୍ହେଇଲାଲ। ତାଙ୍କର ଜୀବନ ଯେମିତି ବିୟୋଗାନ୍ତକ, ତାଙ୍କର ଅଧିକାଂଶ ଗପର ପରିଣତି ପାଠକକୁ ବିଷାଦିତ କରିଦେଇଥାଏ। ଜଣେ ଜଣେ ଲେଖକ ଏମିତି ଥାଆନ୍ତି, ଯିଏ ଜୀବଦ୍ଦଶାରେ ପରିଚିତି ପାଇନଥାନ୍ତି। ସେମିତି ଜଣେ ଥିଲେ କନ୍ହେଇଲାଲ। ମାତ୍ର ୨୮ ବର୍ଷର ଜୀବନକାଳ ମଧ୍ୟରେ ସେ ଯେତିକି ପରିଚିତ ହୋଇନଥିଲେ, ତାଙ୍କ ମୃତ୍ୟୁ ପରେ ସେ ଅଧିକରୁ ଅଧିକ ପରିଚିତ ହୋଇଛନ୍ତି। ଛଳନା ହୀନ ଜୀବନ, ବନ୍ଧନମୁକ୍ତ ମନକୁ ନେଇ କାଳଜୟୀ ସାହିତ୍ୟ ରଚନା କରିଥିବା କନ୍ହେଇଲାଲ ଚିରଦିନ ମନେ ରହିବେ ବୋଲି ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଆତିଥ୍ୟ ଭବନରେ କଥାକାର କନ୍ହେଇଲାଲ ଦାସଙ୍କ ୭୯ତମ ଜୟନ୍ତୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କନ୍ହେଇଲାଲ ଦାସ ସ୍ମୃତି ସଂସଦ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କଥାକାର ପରେଶ କୁମାର ପଟ୍ଟନାୟକ ଯୋଗଦେଇ ଓଡ଼ିଆ ସାହିତ୍ୟର ସ୍ବପ୍ନ ସମ୍ରାଟ୍ ହେଉଛନ୍ତି କନ୍ହେଇଲାଲ ବୋଲି ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ଲେଖଙ୍କର ସ୍ମୃତି ରକ୍ଷା ପାଇଁ ତାଙ୍କର ପୁତ୍ରକନ୍ୟା ହିଁ ଆୟୋଜନ କରୁଥିବା ବେଳେ ଏଭଳି କାର୍ଯ୍ୟକ୍ରମ ବାଲେଶ୍ବରର ଲେଖକ, ବୁଦ୍ଧିଜୀବୀ, ସାହିତ୍ୟିକ ଆୟୋଜନ କରୁଥିବା ନେଇ ସେ ପ୍ରଶଂସା କରିଥିଲେ।
ଅନ୍ୟତମ ଅତିଥି ଭାବେ ଭୋଗରାଇ ବିଧାୟକ ତଥା ସ୍ମୃତି ସଂସଦର ଆବାହକ ଗୌତମବୁଦ୍ଧ ଦାସ ଯୋଗ ଦେଇ କନ୍ହେଇଲାଲ ଯାହା ଲେଖୁଥିଲେ ପ୍ରଭାବ ପକାଉଥିଲା। ସବୁ ଚରିତ୍ରର ସେ ନାମ ଦେଇଛନ୍ତି। ସେ ଗୋଟେ ଧୂମକେତୁ ପରି ଆସିଥିଲେ, ଆମକୁ ସମ୍ମୋହିତ କରି ଫେରିଗଲେ ବୋଲି କହିବା ସହ ତାଙ୍କ ଜୀବନବ୍ୟାପୀ ସାହିତ୍ୟର ସୂକ୍ଷ୍ମାଭିବ୍ୟକ୍ତି ରଖିଥିଲେ। ଏହି ଅବସରରେ ଯୁବ କଥାଶିଳ୍ପୀ ଡକ୍ଟର ରଞ୍ଜନ ପ୍ରଧାନଙ୍କୁ ‘କନ୍ହେଇ କଥା ପୁରସ୍କାର’ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ଵରୂପ ଉତ୍ତରୀୟ, ମାନପତ୍ର ଏବଂ ଦଶ ହଜାର ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। କେମିତି କନ୍ହେଇଲାଲଙ୍କ ଗପ ପଢ଼ି ତାଙ୍କ କୈଶୋର ପ୍ରଭାବିତ ହୋଇଥିଲା, ଈଶ୍ୱରଙ୍କ ପ୍ରତି ଥିବା ତାଙ୍କର ଧାରଣା ସମ୍ପୂର୍ଣ୍ଣ ବଦଳି ଯାଇଥିଲା ଏବଂ ତାଙ୍କ ଭିତରେ ଏକ ରୂପାନ୍ତରଣ ଘଟିଥିଲା ସେସମ୍ପର୍କରେ ଡକ୍ଟର ପ୍ରଧାନ ସ୍ଵୀକାରୋକ୍ତି ରଖିବା ସହ କନହେଇଲାଲଙ୍କୁ କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ସ୍ମୃତି ସଂସଦର ଆବାହକ କବି ଶ୍ରୀଦେବ ମଞ୍ଚ ଆହ୍ବାନ ଓ ପ୍ରାକ୍ ସୂଚନା ରଖିଥିବା ବେଳେ ସଭାପତି ଡ଼କ୍ଟର ସୁବାସ ଚନ୍ଦ୍ର ପାତ୍ର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସଂପାଦକ ଉତ୍ପଳ ମହାନ୍ତି ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି କୃଷ୍ଣ କୁମାର ମହାନ୍ତି ମାନପତ୍ର ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ସଂସଦର ସଦସ୍ୟ ଡକ୍ଟର ଲଲାଟେନ୍ଦୁ ଦାସ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କବି ଶ୍ରୀଦେବ ଏକ ପ୍ରସ୍ତାବ ଆଗତ କରିଥିଲେ। ଯେହେତୁ କନହେଇଲାଲ ଦାସ ଭୁବନେଶ୍ୱରର ପୁରୁଣା ବସଷ୍ଟାଣ୍ଡ ଖଟିରେ ପ୍ରଥମେ ବସୁଥିଲେ ତେଣୁ ଭୁବନେଶ୍ଵର ସାହିତ୍ୟ ଖଟିକୁ ‘କନହେଇ ଖଟି’ ନାମରେ ନାମିତ କରି ଏକ ମଞ୍ଚ ତିଆରି କରାଯାଉ। ଏହାର ଉତ୍ତରରେ ବିଧାୟକ ଗୌତମ ବୁଦ୍ଧ ଦାସ ଏ ସମ୍ପର୍କରେ ସେ କଥା ହେବେ ବୋଲି ଜଣାଇଥିଲେ। ଶେଷରେ ସହସଂପାଦକ ରାଜେଶ ଗିରି ଧନ୍ୟବାଦ ଦେଇଥିଲେ। ଏହି ସମାରୋହରେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ବିଶିଷ୍ଟ ଗାଳ୍ପିକ ସହଦେବ ସାହୁ, ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର, ଚିତ୍ତରଞ୍ଜନ ଚିରଞ୍ଜିତ, ନିବାରଣ ଜେନା, କବି ପ୍ରଶାନ୍ତ ଦାସ, ଗଙ୍ଗାଧର ବିଶ୍ୱାଳ, ଅରୁଣା ରାୟ, କାଳିକିଙ୍କର ଦାସ, ଡକ୍ଟର କାଳିପଦ ପଣ୍ଡା, ଅଞ୍ଜଳି ପଣ୍ଡା, ଅଭୟ ଦାସ, ଦେବଯାନୀ ଦାସ, ଡକ୍ଟର ପ୍ରତୀଚୀ ନନ୍ଦ, ପ୍ରୀତିଲେଖା ଦାସ ଏବଂ ଆହୁରି ଅନେକ ଲେଖକଲେଖିକା ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।





