ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ (ଓଏସଆରଏଫଓଏ) ରାଜ୍ୟରେ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ ଅଭାବକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛି।ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ୯ ଗୋଟି ଲାଞ୍ଜିଗଡ଼, ନଙ୍ଗଳବେଡା, ବିଜେପୁର, ମୂଷାନାଳ, ଭଟାଙ୍ଗପଦର, ଲାଞ୍ଜିଗଡ଼ରୋଡ଼, କମର୍ଦ୍ଧା, ବିଶ୍ୱନାଥପୁର ଓ ବନ୍ଧପାରି ଆରଆଇ ସାର୍କିଲ ପକ୍ଷରୁ ବିଭିନ୍ନ ଦାବି ନେଇ ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଲାଞ୍ଜିଗଡ଼ ସାର୍କିଲ ତରଫରୁ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ରାଜ୍ୟରେ ଅନୁମୋଦିତ ୯,୪୧୦ଟି ରାଜସ୍ୱ କ୍ଷେତ୍ର ପଦବୀ ମଧ୍ୟରୁ ୪,୧୮୯ଟି ପଦବୀ ଖାଲି ରହିଛି। ଫଳରେ ମାତ୍ର ୫୫% କର୍ମଚାରୀଙ୍କ ଉପରେ ସମଗ୍ର ରାଜସ୍ୱ ପ୍ରଶାସନର କାର୍ଯ୍ୟଭାର ନ୍ୟସ୍ତ ହୋଇଛି ଏବଂ ଜଣେ କର୍ମଚାରୀଙ୍କୁ ପ୍ରାୟ ଦୁଇ ଜଣଙ୍କ କାମ କରିବାକୁ ପଡ଼ୁଛି। ରାଜସ୍ୱ କର୍ମଚାରୀମାନେ ଜମି ମ୍ୟୁଟେସନ୍, ରେକର୍ଡ ସଂଶୋଧନ, ଜମି ମାପଚୁପ, ସର୍ଭେ, ବିପର୍ଯ୍ୟୟ ପରିଚାଳନା, ନିର୍ବାଚନ, ରିଲିଫ୍ ବଣ୍ଟନ, କୃଷକ ସହାୟତା, ସରକାରୀ ଯୋଜନାର କ୍ଷେତ୍ରସ୍ତରୀୟ ଯାଞ୍ଚ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି। କିନ୍ତୁ କର୍ମଚାରୀଙ୍କ ଅଭାବ ଯୋଗୁଁ ଏହି ସେବାଗୁଡ଼ିକରେ ବିଳମ୍ବ ଘଟୁଥିବାରୁ ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି।ସଂଘ ପକ୍ଷରୁ କୁହାଯାଇଛି କର୍ମଚାରୀଙ୍କ ଅଭାବ କେବଳ ପ୍ରଶାସନର ସମସ୍ୟା ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସେବା ଅଧିକାର ସହ ଜଡ଼ିତ।”ଗତ ତିନି ବର୍ଷ ଧରି ରାଜ୍ୟରେ ବ୍ୟାପକ ପଦବୀ ଖାଲି ରହିଥିବା ସତ୍ତ୍ୱେ ନିଯୁକ୍ତି କରାଯାଇନାହିଁ। ଏହା ଫଳରେ ମାତ୍ର ୫୫ ପ୍ରତିଶତ କର୍ମଚାରୀଙ୍କ ଉପରେ ପ୍ରାୟ ୨୦୦ ପ୍ରତିଶତ କାର୍ଯ୍ୟଭାର ପଡ଼ିଛି। ସଂଘର ହିସାବ ଅନୁଯାୟୀ, ଖାଲି ପଦବୀର ଦରମା, ମୋବାଇଲ ଭତ୍ତା, ଏଫଟିଏ ଏବଂ ଗ୍ରୁପ୍-ଡି କର୍ମଚାରୀଙ୍କ ନିଯୁକ୍ତି ନ ହେବା ଯୋଗୁଁ ଗତ ତିନି ବର୍ଷରେ ସରକାରୀ ରାଜକୋଷର ପ୍ରାୟ ୭୧୫.୭୩ କୋଟି ଟଙ୍କା ସଞ୍ଚୟ ହୋଇଥିବା ସଂଘ ଦାବି କରିଛି।ଗ୍ରୁପ୍-ଡି କର୍ମଚାରୀ ନଥିବାରୁ ଅନେକ ସ୍ଥାନରେ ରାଜସ୍ୱ କର୍ମଚାରୀମାନେ କାର୍ଯ୍ୟାଳୟ ସଫା କରିବା, ନୋଟିସ୍ ତାମିଲ, କ୍ୟାମ୍ପ କୋର୍ଟ ପରିଚାଳନା ଭଳି କାମ ମଧ୍ୟ କରୁଥିବା ସହ ଅନେକ କ୍ଷେତ୍ରରେ ନିଜସ୍ୱ ଅର୍ଥ ବ୍ୟୟ କରୁଥିବା ଅଭିଯୋଗ କରିଛନ୍ତି।ସଂଘ ସରକାରଙ୍କ ନିକଟରେ ତତ୍କାଳୀନ ଦାବି ଉପସ୍ଥାପନ କରିଛି ଯଥା ସମସ୍ତ ଖାଲି ପଦବୀରେ ଶୀଘ୍ର ନିଯୁକ୍ତି, ରାଜସ୍ବ କାର୍ଯ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ସୁବିଧା, ମୋବାଇଲ ଭତ୍ତା ବୃଦ୍ଧି, କାର୍ଯ୍ୟାଳୟର ଆକସ୍ମିକ ବ୍ୟୟ ପାଇଁ ଅନୁଦାନ ବୃଦ୍ଧି, ଛୁଟିଦିନରେ ବାଧ୍ୟତାମୂଳକ ସରକାରୀ କାର୍ଯ୍ୟରୁ ଅବ୍ୟାହତି, କାର୍ଯ୍ୟଭାରର ଯୁକ୍ତିସଙ୍ଗତ ପୁନଃବଣ୍ଟନ, ବ୍ଲୁଟୁଥ୍ ପ୍ରିଣ୍ଟର ଓ ସମ୍ପୂର୍ଣ୍ଣ ଇ-ଏମଟିଏ ସୁବିଧା, ବିଳମ୍ବିତ ଡିପିସି ତୁରନ୍ତ ସମ୍ପନ୍ନ କରିବା ଏବଂ ଦୀର୍ଘମିଆଦୀ ଦାବି ମଧ୍ୟରେ ରହିଛି ରାଜସ୍ୱ କ୍ୟାଡରର ପୁନର୍ଗଠନ,ଗୋଟିଏ ଗ୍ରାମ ପଞ୍ଚାୟତରେ ଗୋଟିଏ ଆରଆଇ ସର୍କଲ ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ରାଜସ୍ବ ପରିଦର୍ଶକ ପଦବୀକୁ ଡେପୁଟି ତହସିଲଦାର ଭାବେ ପୁନଃନାମକରଣ, ସ୍ୱତନ୍ତ୍ର ସେବା ନିୟମ ପ୍ରଣୟନ ଏବଂ ପଦୋନ୍ନତିର ସୁଯୋଗ ସୁନିଶ୍ଚିତ କରିବା, ରାଜ୍ୟର ସମସ୍ତ ଖାଲି ରାଜସ୍ୱ କ୍ଷେତ୍ର ପଦବୀ ପର୍ଯ୍ୟାୟକ୍ରମେ ପୂରଣ କରିବା।ସଂଘ ମତ ପ୍ରକାଶ କରିଛି ଯେ ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ଅର୍ଥ ହେଉଛି ସାଧାରଣ ନାଗରିକଙ୍କୁ ଦ୍ରୁତ, ସ୍ୱଚ୍ଛ ଓ ଗୁଣାତ୍ମକ ସେବା ପ୍ରଦାନ କରିବା। ରାଜସ୍ୱ କର୍ମଚାରୀଙ୍କ ସଂଖ୍ୟା ବଢ଼ିଲେ କେବଳ କାର୍ଯ୍ୟଭାର କମିବ ନୁହେଁ ବରଂ ଜନସେବାର ଗତି ମଧ୍ୟ ବଢ଼ିବ। ତେଣୁ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଏହି ସମସ୍ତ ଦାବି ଉପରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ଅନୁରୋଧ କରିଛି।ସଂଘ ଆହୁରି ଜଣାଇଛି ଯେ, ବାରମ୍ବାର ଦାବିପତ୍ର ପ୍ରଦାନ ଏବଂ ଆଶ୍ୱାସନ ସତ୍ତ୍ୱେ ସରକାରଙ୍କ ପକ୍ଷରୁ ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ “ମିଶନ୍ ସ୍ୱାଭିମାନ” ଅଧୀନରେ ପର୍ଯ୍ୟାୟକ୍ରମେ ଗଣତାନ୍ତ୍ରିକ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ଜୁନ୍ ୨୨ରୁ କଳା ବ୍ୟାଜ୍ ପରିଧାନ, ଜୁନ୍ ୨୫ରୁ ସରକାରୀ ହ୍ୱାଟସ୍ଆପ୍ ଗ୍ରୁପ୍ରୁ ପ୍ରସ୍ଥାନ ଏବଂ ଦାବି ପୂରଣ ନ ହେଲେ ଜୁଲାଇ ୧ରୁ ସାମୂହିକ ଛୁଟି ଓ ସାମୂହିକ ଇସ୍ତଫା ଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂଘ ସୂଚନା ଦେଇଛି।





