ମଣ୍ଡିରେ ପଡିରହିଛି ହଜାର ହଜାର କୁଇଣ୍ଟାଲ ଧାନ, ଟୋକନ ଲେପ୍ସ ଚିନ୍ତା; ଚାଷୀଙ୍କ ରାସ୍ତା ଅବରୋଧ

ପ୍ରଶାସନ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ଚାଷୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଲାଗି ରହିଛି ଲଗାଣ ବର୍ଷା, ଏପଟେ ମଣ୍ଡିରେ ପଡିଛି ହଜାର ହଜାର କୁଇଣ୍ଟାଲ ଧାନ, ଗୋଟିଏ ଦିନ ପରେ ମଣ୍ଡି ପ୍ରକ୍ରିୟା ବନ୍ଦ ନେଇ ସରକାରୀ ସୂଚନା ରହିଛିl ଚାଷୀଙ୍କୁ ଚିନ୍ତା ବଢ଼ାଇଛି ଟୋକନ ଲେଫ୍ସ ହେବା ଏପଟେ ଟାର୍ଗେଟ ଅଭାବ। ଏଭଲି ସ୍ଥିତି ମୋଟେର ଧାନ ମଣ୍ଡିରେ ଉପୁଜି ଥିବାବେଳେ ଟାର୍ଗେଟ ପୁରଣ ଦାବି କରି ମଣ୍ଡି ସାମ୍ନାରେ ଗୁରୁବାର ଆନ୍ଦୋଳନ କରିଥିଲେ ଚାଷୀ। ସୂଚନା ଅନୁଯାୟୀ, ୮୨୪ ଜଣ ଚାଷୀ ଧାନ ବିକ୍ରି ନିମନ୍ତେ ଟୋକନ ପାଇଛନ୍ତି। ସେଥିମଧ୍ୟରୁ ପ୍ରାୟ ୬୯୪ ଜଣ ଚାଷୀଙ୍କ ଧାନ ଉଠାଣ ହୋଇସାରିଛି। ତେବେ ୧୩୦ ଜଣ ପାଖାପାଖି ଚାଷୀଙ୍କ ପ୍ରାୟ ୬ ହଜାର ୫ ଶହ କୁଇଣ୍ଟା ଧାନ ଏବେ ମଧ୍ୟ ମଣ୍ଡିରେ ପଡ଼ି ରହିଛି। ଏଣେ ୨ ହଜାର କୁଇଣ୍ଟାଲ ଧାନ ମଣ୍ଡିରେ ଟାର୍ଗେଟ ଉପଲବ୍ଧ ଥିବା ଜାଣିବା ପରେ ଚାଷୀ ମାନେ ଆବଶ୍ୟକ ଟାର୍ଗେଟ ପୁରଣ କରିବା ପାଇଁ ଦାବି କରିଥିଲେ। ଏଣେ ଦିନକ ମଧ୍ୟରେ ମଣ୍ଡି ସରୁଥିବା ଓ ଟୋକନ ଲେପ୍ସ ହେବା ସୁନିଶ୍ଚିତ ହେବାପରେ ଧାନ ବିକ୍ରି କରି ପାରି ନଥିବା ଅସନ୍ତୋଷ ଚାଷୀମାନେ ଏକତ୍ରିତ ହୋଇ ଆଜି ମୋଟେର ମଣ୍ଡି ସାମ୍ନାରେ ମୁଖିଗୁଡା-ଭବାନୀପାଟଣା ରାଜପଥରକୁ ଅବରୋଧ କରି ଟାର୍ଗେଟ ପୁରଣ କରିବା ପାଇଁ ଦାବି କରିଥିଲେ। ଖବର ପାଇ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଓ ଧାନ କ୍ରୟ ଅଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀ ମାନଙ୍କୁ ବୁଝାସୁଝା କରିଥିଲେ। ଚାଷୀ ମାନଙ୍କ ଦାବି ଅନୁସାରେ ଟାର୍ଗେଟ ପୁରଣ ହେବା ନେଇ ପ୍ରତିଶ୍ରୁତି ଦେବାପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ। ଦିର୍ଘ ୨ ଘଣ୍ଟା ପାଖାପାଖି ରାସ୍ତା ଅବରୋଧ ହେବାରୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.