ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (ଡ.କୁମୁଦ ଚନ୍ଦ୍ର ବେହେରା): ବାଘୁଆ ଜଳସେଚନ ପ୍ରକଳ୍ପର ଖରିଫ ଜଳସେଚନ ପରିଚାଳନା ନିମନ୍ତେ ବୁଗୁଡ଼ା ସ୍ଥିତ ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଛି। ବାଘୁଆ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଶ୍ୱଜୀବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଆସନ୍ତା ଖରିଫ ଋତୁ ପାଇଁ ପର୍ଯ୍ୟାୟ କ୍ରମେ ଜଳର ସୁଷମ ବଣ୍ଟନ ନେଇ ବିସ୍ତୃତ ଆଲୋଚନା କରିଥିଲେ। ବର୍ତ୍ତମାନ ଜଳଭଣ୍ଡାରରେ ଶତକଡ଼ା ୬୬.୬୫ ଯାହାକି ୨୦୯୭.୨୫ ହେକ୍ଟର ମିଟର ଜଳ ଗଚ୍ଛିତ ଅଛି ଏବଂ ଜଳସେଚନ ସୁପରିଚାଳନା ପାଇଁ ସେ ସମସ୍ତ ଚାଷୀମାନଙ୍କର ସହଯୋଗ କାମନା କରିଥିଲେ। ଏହି ସଭାରେ ବୁଗୁଡ଼ା ସହ ଉଦ୍ୟାନ କୃଷି ଅଧିକାରୀ ଏମ୍ ଦେବାଶିଷ ଦୋରା, କୃଷି ବିଭାଗର ଅଶୋକ କୁମାର ସେଠୀ, ପୋଲସରା ବ୍ଲକର କୃଷି ଅଧିକାରୀ ରାଜଲକ୍ଷ୍ମୀ ପାଢ଼ୀ, ଆସିକା ଚିନି ଶିଳ୍ପ ଅଧିକାରୀ ପ୍ରମୁଖ ଯୋଗ ଦେଇ ଧାନ ତଳିର ଯତ୍ନ ଓ ରୋଗ ପୋକର ପ୍ରତିକାର ପାଇଁ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେବା ସହ ବିଭିନ୍ନ ଚାଷୀ ହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ସଭାରେ ସର୍ବ ସମ୍ମତି ପ୍ରକାରେ ବାଘୁଆ ଜଳଭଣ୍ଡାରରେ ଗଛିତ ଥିବା ବ୍ୟବହାର ଯୋଗ୍ୟ ୨୦୯୬.୨୫ ହେକ୍ଟର ମିଟର ଜଳର ଅବସ୍ଥିତିକୁ ଲକ୍ଷ୍ୟ ରଖ୍ ଆଗାମୀ ଖରିଫ ଋତୁରେ ୨୮/ ୭/୧୨ ତାରିଖ ଠାରୁ ବାମ ଓ ଡାହାଣ କେନାଲ ଦ୍ଵାରା ଜଳସେଚନ ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ସଭା କାର୍ଯ୍ୟ ପରିଚାଳନା ସକାଶେ ଅନ୍ୟତମ ସହକାରୀ ଯନ୍ତ୍ରୀ ଇଂ ପୂର୍ଣ୍ଣଚନ୍ଦ୍ର ପୁରୋହିତ ସହଯୋଗ କରିବା ସହିତ ସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ବିଭିନ୍ନ ପାଣି ପଞ୍ଚାୟତର ଚାଷୀମାନେ ଉପସ୍ଥିତ ଥାଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।





