ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସଂକୀର୍ତ୍ତନ ମଣ୍ଡଳୀର ଆଗ ଧାଡିରେ ରହି “ହରେ କୃଷ୍ଣ ହରେ ରାମ” ମହାମନ୍ତ୍ର ଗାନ କରି ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସତ୍ୟବାନ ସାହାଣୀ (ପିଛାରୁ)ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ସେ ପ୍ରସିଦ୍ଧ ସଂକୀର୍ତ୍ତ ଗୁରୁ ବିଜୟ ପଣ୍ଡା ସଂକୀର୍ତ୍ତନ ମଣ୍ଡଳୀର ବିିଶିଷ୍ଟ କଣ୍ଠଶିଳ୍ପୀ ଥିଲେ। ନର୍ଲା ସଂକୀର୍ତ୍ତନ ମଣ୍ଡଳୀରେ ତାଙ୍କୁ ବିଜୟ ପଣ୍ଡାଙ୍କ ଡାହାଣ ହାତ ବୋଲି ମଧ୍ୟ କୁହାଯାଉଥିଲା। ତାଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ରବିବାର ରାତିରେ ନର୍ଲା ତ୍ରୀନାଥ ମନ୍ଦିରରେ ତ୍ରୀନାଥ ମେଳାରେ ଭଜନ କୀର୍ତ୍ତନ ସାରି ଘରକୁ ଫେରିଥିଲେ। ରେଗଡିମାଳ ରେ ଜଣକ ଘରେ ସଂକୀର୍ତ୍ତନ କାର୍ଯ୍ୟକ୍ରମକୁ ତାଙ୍କର ଯିବାର ଥିଲା। ହେଲେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ସଦସ୍ୟ ମାନଙ୍କ ସହ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡା ଏବଂ ତାଙ୍କ ମଣ୍ଡଳୀର ସାଥି କଳାକାର ମାନେ ଭବାନୀପାଟଣା ଡାକ୍ତରଖାନାକୁ ନେଉଥିବା ସମୟରେ ଘଣ୍ଟମାଳ ନିକଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ପୁଅ ଝିଅ ପାଠ ପଢୁଛନ୍ତି। ପିଛାରୁ ହୋଟେଲରେ ମିଠା କାରିଗର ଭାବରେ କାମ କରୁଥିଲେ। ଏବେ ତାଙ୍କ ମୃତ୍ୟୁରେ ପରିବାର ଭାଙ୍ଗି ପଡିଛନ୍ତି। ପରିବାରରେ ଆଉ ରୋଜଗାରକ୍ଷମ ବ୍ୟକ୍ତି ନାହାନ୍ତି। ଏଣୁ ତାଙ୍କ ପରିବାରକୁ ସରକାର ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି। ତାଙ୍କ ନିଧନରେ ନର୍ଲା ବିଧାୟୀକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ତନୁଜା ହରପାଲ, ବିଶିଷ୍ଟ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡା, ଶରଣ ଚନ୍ଦନ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ନୀରଜ ଶର୍ମା (ସାନୁ), ବ୍ଲକ ସମ୍ପାଦକ ଦୀପୁ ପାତ୍ର ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।





