ଚିଙ୍ଗୁଡ଼ିଖୋଲରେ ବର୍ଷାର ତାଣ୍ଡବ: ଜଗନ୍ନାଥ ମନ୍ଦିର ପରିସରରେ ଆଣ୍ଠୁଏ ପାଣି, ହନ୍ତସନ୍ତ ଭକ୍ତ ଓ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ ଗଞ୍ଜାମ: ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ର ଚିଙ୍ଗୁଡ଼ିଖୋଲ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ବର୍ଷା ଜଳ ନିଷ୍କାସନ ହୋଇନପାରିବାରୁ ଗାଁର ବିଭିନ୍ନ ସ୍ଥାନ ସହ ଜଗନ୍ନାଥ ମନ୍ଦିର ପରିସରରେ ଆଣ୍ଠୁଏ ପାଣି ଜମି ରହିଛି। ଏହାକୁ ନେଇ ଗ୍ରାମବାସୀ ଓ ଭକ୍ତମାନେ ହନ୍ତସନ୍ତ ହେଉଛନ୍ତି। ବର୍ଷା ଜଳ ଜମି ରହିବା ଯୋଗୁଁ ମନ୍ଦିରକୁ ଯିବା ପାଇଁ ଭକ୍ତମାନଙ୍କୁ ପାଣି ଭିତରେ ଯାତାୟାତ କରିବାକୁ ପଡ଼ୁଛି। ଧାର୍ମିକ ଭାବନା ସହ ଜଡ଼ିତ ଏହି ସ୍ଥାନର ପରିବେଶ ମଧ୍ୟ ପ୍ରଭାବିତ ହେଉଛି। ପାଣି ଜମି ରହିବା ଯୋଗୁଁ ମଶା ଓ ଅନ୍ୟାନ୍ୟ କୀଟପତଙ୍ଗ ବଢ଼ିବା ସହ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି। ଅନ୍ୟପଟେ ଗାଁର ରାସ୍ତାଘାଟରେ ମଧ୍ୟ ପାଣି ଜମି ରହିଥିବାରୁ ଲୋକଙ୍କ ଦୈନନ୍ଦିନ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରତିବର୍ଷ ବର୍ଷା ଋତୁରେ ଏହି ଅଞ୍ଚଳରେ ଜଳ ନିଷ୍କାସନ ଏକ ବଡ଼ ସମସ୍ୟା ହୋଇ ଦେଖାଦେଉଛି। ଠିକ୍‌ ଭାବରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷା ହେଲେ ପାଣି ଜମି ରହୁଛି। ଫଳରେ ଗ୍ରାମବାସୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ପୂର୍ବରୁ ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇବା ସହ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ହେଲେ ଏପର୍ଯ୍ୟନ୍ତ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ତେଣୁ ଗ୍ରାମବାସୀ ତୁରନ୍ତ ପ୍ରଶାସନର ହସ୍ତକ୍ଷେପ ଦାବି କରିବା ସହ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା ଏବଂ ବର୍ଷା ଜଳର ତୁରନ୍ତ ନିଷ୍କାସନ ପାଇଁ ଦାବି କରିଛନ୍ତି। ଏବେ ଦେଖିବାର କଥା, ପ୍ରଶାସନ କେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରୁଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.