ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାତି ପାହିଲେ ୮୦ ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଳନ ପାଇଁ ପଲ୍ଲୀ ରୁ ଦିଲ୍ଲୀ ଯାଏଁ ଚାଲିଛି ବ୍ୟାପକ ପ୍ରସ୍ତୁତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଞ୍ଚଳର ପୁର ପଲ୍ଲୀରେ ଗୋଟାଏ ସପ୍ତାହ ହୋଇଗଲା ସ୍କୁଲ କଲେଜ ରୁ ଆରମ୍ଭ କରି ବାଟିକା ଶ୍ରେଣୀର ପିଲାମାନେ ମଧ୍ୟ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି। ବୁଧବାର ନର୍ଲା ବିଜେପି ତରଫରୁ ଆଖ ପାଖ ସମସ୍ତ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ଙ୍କୁ ନେ଼ଇ ନର୍ଲାରେ ହର ଘର ତ୍ରିରଙ୍ଗା ଯାତ୍ରା କରି ଚହଳ ପକାଇ ଥିବା ବେଳେ ନର୍ଲା ବ୍ଲକ ପ୍ରଶାସନ ତରଫରୁ ବିଡିଓ ବିପିନ ବିହାରୀ ଦୀପ ଙ୍କ ନେତୃତ୍ୱରେ ଗୁରୁବାର ବାଇକ ଶୋଭାଯାତ୍ରା ମାଧ୍ୟମରେ ତ୍ରିରଙ୍ଗା ଯାତ୍ରା କରାଯାଇ ଜନ ସଚେତନତା ସୃଷ୍ଟି କରାଯାଇଥିଲା। ଏଥିରେ ଶହ ଶହ ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ଏହି କ୍ରମରେ ଆଜି ନର୍ଲା ର ନାରୀ ଶକ୍ତି ୮୦ ତମ ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ପତାକାକୁ ସ୍ୱାଗତ କରି ବ୍ଲକ ଅଫିସ ପରିସରରେ ରଙ୍ଗୋଲି ଝୋଟି ମାଧ୍ୟମରେ ତ୍ରିରଙ୍ଗା ଅଭିଯାନ ଯାତ୍ରା କରିଥିବା ଦେଖିବାକୁ ମିଳିଛି। ନର୍ଲା ସିଡିପିଓ ଅଞ୍ଜଳି ପଟ୍ଟନାୟକଙ୍କ ନେତୃତ୍ୱରେ ଆଇସିଡିଏସ ସୁପରଭାଇଜର ରମାବତୀ ପାତ୍ର, ମିଶନ ଶକ୍ତି ବ୍ଲକ ସଂଯୋଜିକା ସବିତା ସେଠୀ, ମିଶନ ଶକ୍ତି ସଭାନେତ୍ରୀ ସଙ୍ଗୀତା ଭୋଇ, ବିନ୍ଦୁ ଲତା ସାମଲ, ଏମବିକେ ତପସ୍ୱିନୀ ପଧାନ ପ୍ରମୁଖଙ୍କ ସମେତ ସମସ୍ତ ଆସିଡିଏସ ଷ୍ଟାଫ, ଅଙ୍ଗନୱାଡ଼ି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ବ୍ଲକ ଅଫିସ ପରିସରରେ ରଙ୍ଗୋଲି ରେ ଝୋଟି ପକାଇ ସୁନ୍ଦର ଭାବରେ ତ୍ରିରଙ୍ଗା ପତାକା, ଭାରତ ମାନଚିତ୍ର, ଭାରତ ମାତାଙ୍କ ଫଟୋ ଚିତ୍ର ସବୁ ଅଙ୍କନ କରି ସେଥିରେ ଫୁଲ ପାଖୁଡ଼ା ଖୋସି ସଜାଇ ଥିଲେ। ଏହା ସହ ସମସ୍ତ ଚିତ୍ର ଶିଳ୍ପୀ ଓ ଅଧିକାରିଣୀ ହାତରେ ତ୍ରିରଙ୍ଗା ପତାକା ଧରି ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା, ଭାରତ ମତାକି ଜୟ ପ୍ରଭୃତି ସ୍ଲୋଗାନ ମାନ ଦେଇଥିଲେ। ଭାରତ ମାତାକି ଜୟ ଧ୍ୱନିରେ ବ୍ଲକ ପରିସର ମୁଖରିତ ହୋଇ ଉଠିଥିଲା।





