ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ଗତ ୨ ବର୍ଷରୁ ଉର୍ଦ୍ଧ ହେବ ଲଗାତାର ଭାବେ ବଲାଙ୍ଗୀର ବନଖଣ୍ଡ ଅଧିନସ୍ଥ ମୁରିବାହାଲ ରେଞ୍ଜ ଅଞ୍ଚଳରେ ବଣୁଆ ହାତୀ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇ ବିଭିନ୍ନ ସମୟରେ କୂଅରେ ପଡିଥିବା ବେଳେ ପୁଣି ଏହି ରେଞ୍ଜରେ ଗତକାଲି ବିଳମ୍ୱିତ ରାତିରେ ଏକ ଗଭୀର ଚାଷ କୂଅ ଭିତରେ ଖସିପଡ଼ିଥିଲେ ମା’ ଓ ଛୁଆ ହାତୀ। ସ୍ଥାନୀୟ ବନ ବିଭାଗ ଓ ଅଗ୍ନିଶମ ବାହିନୀର ଦୀର୍ଘ ଘଣ୍ଟାର ମିଳିତ ଅକ୍ଲାନ୍ତ ପରିଶ୍ରମ ଏବଂ ସୂଚାରୁ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରକରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଧୀନସ୍ଥ ବେଲପଡ଼ା ଥାନା ସୁଲେକେଲା ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମର ରାଜୀନ୍ଦ୍ର ପୁଟେଲଙ୍କ ବାଡ଼ି ପଛପଟେ ଥିବା ଏକ ଚାଷ କୂଅ ନିକଟରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟାରୁ ୧୧:୩୦ ମଧ୍ୟରେ ଖାଦ୍ୟ ଖୋଜୁଥିବା ବେଳେ ମା’ ଓ ଛୁଆ ହାତୀ ହଠାତ୍ କୂଅ ଭିତରକୁ ଗଳି ପଡ଼ିଥିଲେ। ସ୍ଥାନୀୟ ଗ୍ରାମବାସୀ ଏହା ଦେଖିବା ପରେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଆଜି ଭୋର ୪ଟାରୁ ମୁରିବାହାଲ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିପୁଳ ପ୍ରସ୍ତୁତି ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୁରିବାହାଲ ଭାରପ୍ରାପ୍ତ ରେଞ୍ଜର ଡମ୍ବରୁଧର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଫରେଷ୍ଟର ଧ୍ରୁବ ଚରଣ ବଗର୍ତ୍ତୀ, ଡଙ୍ଗାବାଞ୍ଜି ଫରେଷ୍ଟର ମନୋଜ ଦଣ୍ଡସେନା, ଗୁଡିଘାଟ ଫରେଷ୍ଟର ହୃଷିକେଶ ଭୋଇ, ଗୁଲମୀ ଫରେଷ୍ଟର ସତ୍ୟମ୍ ମହାନ୍ତି, ଯଇଁନ୍ତରା ବିଟ ଇନଚାର୍ଜ ଜିନାସିଶ ସ, ମୁରିବାହାଲ ବିଟ ଇନଚାର୍ଜ ବିଶାଲ ବିଭାର ଏବଂ ବିଭାଗୀୟ ଅନ୍ୟାନ୍ୟ କର୍ମଚାରୀମାନେ ଏହି କଠିନ ଉଦ୍ଧାର ଅଭିଯାନରେ ସକ୍ରିୟ ଭାବେ ନିୟୋଜିତ ହୋଇଥିଲେ। ଏଥିସହ ମୁରିବାହାଲ ଓ ବେଲପଡ଼ା ଅଗ୍ନିଶମ ଟିମ୍ର ସହାୟତାରେ ଏକ ଜେସିବି ମେସିନ୍ ଯୋଗେ କୂଅର ଗୋଟିଏ ପାର୍ଶ୍ୱକୁ ଖୋଳି ଏକ ଢାଲୁ ରାସ୍ତା (ର୍ୟାମ୍ପ୍) ପ୍ରସ୍ତୁତ କରାଯାଇଥିଲା। ଏହି ନିର୍ମିତ ରାସ୍ତା ଦେଇ କୌଣସି ଆହାତ ନହୋଇ ମା’ ଓ ଛୁଆ ହାତୀ ଅତି ସୁରକ୍ଷିତ ଭାବେ କୂଅରୁ ବାହାରି ଆସିଥିଲେ। ଉଦ୍ଧାର ପରେ ଉଭୟ ନିକଟସ୍ଥ ସୁନାରୀ ସଂରକ୍ଷିତ ଜଙ୍ଗଲ ଆଡ଼କୁ ଚାଲିଯାଇଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ ଥାଉକି, ଗତ ୨ ବର୍ଷରୁ ଉର୍ଦ୍ଧ ଦିନ ହେବ ମୁରିବାହାଲ ରେଞ୍ଜ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଏବଂ ଅସୁରକ୍ଷିତ କୂଅ ଯୋଗୁଁ ନିରନ୍ତର ବିପଦ ସୃଷ୍ଟି ହୋଇଛି। ପୂର୍ବରୁ ୧୩ ନଭେମ୍ବର ୨୦୨୫ ରେ ବିଜାମାଲ ଗ୍ରାମର ଏକ ପରିତ୍ୟକ୍ତ କୂଅରେ ଏକ ହାତୀ ଛୁଆ ପଡ଼ିଯାଇଥିବା ବେଳେ, ତା’ର ପରଦିନ ଅର୍ଥାତ୍ ୧୫ ନଭେମ୍ବର ୨୦୨୫ ରେ ଗୁଡ଼ିଘାଟ୍ ପଞ୍ଚାୟତର ଲତାସହଡା ସଂରକ୍ଷିତ ଜଙ୍ଗଲର ଅନ୍ୟ ଏକ ପରିତ୍ୟକ୍ତ କୂଅରୁ ଆଉ ଗୋଟିଏ ବଣୁଆ ହାତୀକୁ ଉଦ୍ଧାର କରାଯାଇଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅଞ୍ଚଳରେ ଥିବା ପରିତ୍ୟକ୍ତ ଓ ଅସୁରକ୍ଷିତ କୂଅଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ସାଧାରଣରେ ଦାବି ହେଉଛି।





