ଡବଲ ଇଞ୍ଜିନ ସରକାରରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ଚିତ୍ର : ଧିମେଇଛି ବିକାଶ, ଉପେକ୍ଷିତ କୋକସରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଲୋକଙ୍କ ଭରସା ଥିଲା, ସରକାର ବଦଳିବ, ବ୍ୟବସ୍ଥା ବଦଳିବା ସଙ୍ଗେ ଅଞ୍ଚଳର ସବୁ ସମସ୍ୟାର ସମାଧାନ ହେବ। ହେଲେ ପ୍ରତିଶ୍ରୁତିର ପାହାଡ଼ ତଳେ ଚାପି ହୋଇଯାଇଛି ବିକାଶ? ମିଛ ସ୍ୱପ୍ନର ଭେଳିକି ଦେଖାଇ ଭୋଟ ନେବା ପରେ ଏବେ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ଭକୁଆ ବନାଇ ଦେଇଛି ବର୍ତ୍ତମାନର ସରକାର। କାଳାହାଣ୍ଡି ଲୋକସଭା କ୍ଷେତ୍ରର ବୃହତ୍ତମ ବିଧାନସଭା ନିର୍ବାଚନ ମଣ୍ଡଳୀ-ଧର୍ମଗଡ଼ରେ ବିକାଶର ରଥ ଆଗକୁ ଗଡ଼ିବା ପରିବର୍ତ୍ତେ ଦିନକୁ ଦିନ ପଛକୁ ଘୁଞ୍ଚୁଥିବା ପ୍ରତୀୟମାନ ହେଉଛି। ଏହାକୁ ନେଇ ସମଗ୍ର କୋକସରା ଅଞ୍ଚଳରେ ଏବେ ତୀବ୍ର ଜନଆକ୍ରୋଶ ସହ ଜୋରଦାର ଚର୍ଚ୍ଚା ଚାଲିଛି। ଗୋଟିଏ ପଟେ ଗତ ବିଜେଡି ସରକାର ଅମଳରେ ବିଜୁ ଏକ୍ସପ୍ରେସୱେ, ଇନ୍ଦ୍ରାବତୀ ଲିଫ୍ଟ କେନାଲ, ବିଦ୍ୟାଳୟ ରୂପାନ୍ତରଣ ଏବଂ ମଠ-ମନ୍ଦିରର ପ୍ରଭୂତ ବିକାଶ କାର୍ଯ୍ୟ ହୋଇଥିଲା। ଅନ୍ୟପଟେ ବର୍ତ୍ତମାନର ‘ଡବଲ ଇଞ୍ଜିନ୍’ ସରକାର କେବଳ ପୁରୁଣା କାମରେ ରଙ୍ଗ ବୋଳି ନିଜର ବାହାବା ନେଉଛି। ୨ ବର୍ଷ ବିତି ସାରିଲାଣି, କୋକସରା ବ୍ଲକର କୌଣସି ଧାର୍ମିକ ପୀଠକୁ ଏପର୍ଯ୍ୟନ୍ତ ଟଙ୍କାଟିଏ ବି ଅନୁଦାନ ମିଳିନାହିଁ। ଯାହା ବି କିଛି ସୌନ୍ଦର୍ଯ୍ୟକରଣ ଦୃଶ୍ୟମାନ ହେଉଛି, ତାହା ବିଜେଡି ସରକାରଙ୍କ ଅମଳର ବୋଲି ଭକ୍ତ ଓ ପର୍ଯ୍ୟଟକମାନେ ସିଧାସଳଖ ମତ ଦେଉଛନ୍ତି। ୨ ବର୍ଷରେ ଯେଉଁ ସରକାର କେବଳ ରଙ୍ଗ ବୋଳିବାରେ ସମୟ ବିତାଇଦେଲା, ବାକି ୩ ବର୍ଷରେ ତାହା କ’ଣ ବା ନୂଆ କରିବ? ଏହାକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜେଡି ଶାସନ କାଳରେ କୋକସରାର ବିକାଶ ଧାରା ଗଗନଚୁମ୍ବୀ ଥିଲା। ୧୫ ହଜାର ବର୍ଷ ତଳର ଐତିହାସିକ ଗୁଡ଼ହାଣ୍ଡି-ଡୋକରୀ ଚଞ୍ଚରା ପର୍ଯ୍ୟଟନ ସ୍ଥଳୀର ବିକାଶ, କରକ ଜଳପ୍ରପାତର ଉନ୍ନତିକରଣ, ପ୍ରସିଦ୍ଧ ବୁଢ଼ାରଜା ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଶହ ଶହ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇବା ବିଜେଡି ଅମଳର ପ୍ରମୁଖ ଉପଲବ୍ଧି ଥିଲା। ମାତ୍ର ଗତ ୨ ବର୍ଷ ହେଲା ଏହି ବିକାଶର ଗତି ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ବର୍ତ୍ତମାନ ଯାହା ବି କିଛି ଛୋଟକାଟର କାମ ହେଉଛି, ତାହା କେବଳ ଗ୍ରାମ ପଞ୍ଚାୟତ କିମ୍ବା ପଞ୍ଚାୟତ ସମିତି ସ୍ତରର। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ କିମ୍ବା କୃଷି ବିଭାଗ କୋକସରା ବ୍ଲକକୁ ଆଖିଦୃଶିଆ ଅନୁଦାନ ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏପଟେ ମେଘା ଲିଫ୍ଟ ଚାଷୀଙ୍କ ରବିଧାନ ବିକ୍ରି ପାଇଁ ଟୋକନ ସମସ୍ୟା, ତିନି ମାସର ବିଧବା ବାର୍ଦ୍ଧକ୍ୟ ଭତା ପ୍ରଦାନ ଗୋଟିଏ ପଟେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ଖାଉଟିଙ୍କ ଅଣ୍ଟା ଭାଙ୍ଗି ଦେଉଥିବା ବେଳେ, ଅନ୍ୟପଟେ ବିକାଶ ନାଁରେ ଡବଲ ଇଞ୍ଜିନ୍ ସରକାର ଜନସାଧାରଣଙ୍କୁ ‘ଡବଲ ଧୋକା’ ଦେଇଛନ୍ତି ବୋଲି ସ୍ଥାନୀୟ କୃଷକ, ଶ୍ରମିକ ଓ ବୁଦ୍ଧିଜୀବୀ କ୍ଷୋଭର ସହ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.