ସର୍ଗିଗୁଡାରେ ନୂଆଖାଇ; ଧରଣୀ ଦେବୀଙ୍କ ନିକଟରେ ଖେଡସୁଆ ସହ ବଳି ଅର୍ପଣ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ପବିତ୍ର ଗଣପର୍ବ ନୂଆଖାଇ। ଏଥିପାଇଁ ସାରା ପଶ୍ଚିମ ଓଡିଶା ଉତ୍ସବ ମୁଖର ହୋଇଉଠିଛି। ପ୍ରଥମେ ଦେବାଦେବୀ ମାନଙ୍କୁ ନୂଆ ଚାଉଳରେ ଅନ୍ନ ପ୍ରସ୍ତୁତ କରି ଅର୍ପଣ କରିବା ପରେ ଜନସାଧାରଣ ନୂଆ ଖାଇଛନ୍ତି। ଆଉ ପ୍ରତ୍ୟେକ ଗ୍ରାମରେ ଗ୍ରାମର ଧରଣୀ ଦେବୀ ରହିଛନ୍ତି ଗ୍ରାମକୁ ସୁରକ୍ଷା ଦେଇ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ଏନଏସି ର ସର୍ଗିଗୁଡା ଗ୍ରାମରେ ମଙ୍ଗଳବାର ଦିବା ୧୦ ଘଣ୍ଟା ସମୟରେ ଗ୍ରାମଦେବୀ ଧରଣୀଙ୍କୁ ପାରମ୍ପାରିକ ରୀତି ନୀତିରେ ପୂଜାର୍ଚ୍ଚନା କରି ନବାନ୍ନ ଭୋଗଲାଗି କରିଛନ୍ତି ପୂଜକ ମାନେ। କଳାହାଣ୍ଡିରେ ଆଦିବାସୀ ପରମ୍ପରା ଓ ସଂସ୍କୃତି ରହି ଆସିଛି। ଏଣୁ ଗ୍ରାମର ଧରଣୀ ଦେବୀଙ୍କୁ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ “ଜାନୀ” ହିଁ ପୂଜା କରିବାର ବିଧି ରହିଛି । ଚଳିତ ବର୍ଷ ଉପ୍ରାଦିତ ହୋଇଥିବା ପ୍ରଥମ ଫସଲ ନୂଆଧାନ କେଣ୍ଡା ଧରଣୀ ଦେବୀଙ୍କ ସମୀପରେ “ଖେଡସୁଆ” କରି ଚାଷୀ ଓ ଗ୍ରାମର ମଙ୍ଗଳ ମନାସୀ ଗ୍ରାମର ଗୌନ୍ତିଆ ଶେଷଦେବ ନାଏକଙ୍କ ସହ ସର୍ଗିଗୁଡା ଗ୍ରାମର ଜାନୀ ଉପେନ୍ଦ୍ର ମାଝି, ଝାଙ୍କର ଦେବ ମାଝୀ, ଗଣା ସୀମାନ ସୁନା, ସହଜୋଗୀ ସୁନାଧର ମାଝୀ , ବୈକୁଣ୍ଠ ମାଝୀ ପ୍ରମୁଖ ଧରଣୀ ଦେବୀ, ଗବଡା ଦେବୀ, ଜାଡେନ, ବାରଭାଇ ଭୀମା, କରଲା ଡଙ୍ଗର, ନଙ୍ଗଲଗୁଡା, ଗୁବୁଡା ପ୍ରମୁଖ ଦେବା ଦେବୀଙ୍କୁ ପୂଜା କରିଛନ୍ତି। କୁକୁଡ଼ା ବଳି ଭୋଗ ଓ ସୁରା ଭୋଗ ଅର୍ପଣ କରିଥିଲେ। ଇତ୍ୟବସରରେ ସାନ ଗଉନ୍ତିଆ ପରିବାରର ସଞ୍ଜୟ ନାଏକ, କିଶୋର ନାଏକ, ଗ୍ରାମବାସୀ ଗଜିନ ମାଝୀ, ନାରାୟଣ ମାଝୀ , ନିହାର ନାଏକ, ବୁଲୁ ମିଶ୍ର, ରବିନ ବାଗ, ବିଦେଶୀ ବାଗ,ହରେକୃଷ୍ଣ ନାଗ, ଈଶ୍ୱର ନାଗ, ଭୀମ ନାଏକ, ରମେଶ ନାଏକ, ବ୍ରହ୍ମଚାରୀ ଜୁଆଡ ପ୍ରମୁଖଙ୍କ ସମେତ ଗ୍ରାମର ଅନେକ ଯୁବକ ଉପସ୍ଥିତ ଥିଲେ।ପରମ୍ପରା ଅନୁଯାଇ ନୂଆଖାଇ ଦିନ ର ପୂର୍ବଦିନ “ରୁଗିବଲା” କାର୍ଯ୍ୟ ସମ୍ପନ୍ନ କରିଥାନ୍ତି ଗ୍ରାମର ଜାନୀ ଓ ଝାଙ୍କର। ଗ୍ରାମକୁ ରୋଗ ପ୍ରବେଶ କରିପାରିବ ନାହିଁ। ଗ୍ରାମର ଜନସାଧାରଣ ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ ସେଥିପାଇଁ ଏହି “ରୁଗିବଲା” ପରମ୍ପରା। ଏହାର ଅର୍ଥ ଯେତେ ରୋଗ, ଦୁଃଖ, କଷ୍ଟ ରହିଛି ତାକୁ ରୁଗିବଲା ମାଧ୍ୟମରେ ପୂଜା ବିଦ୍ଧି କରି ବିଦାୟ କରିଦେବା। ଘରର ଗୃହକର୍ତ୍ତା ଧୂପଦେଇ ଘର ଭିତର ସାରା ବୁଲାଇ ଆଣିବା ପରେ ଏହି ସାମଗ୍ରୀକୁ ନେଇ ଗାଁ ଦାଣ୍ଡରେ ନେଇ ରଖିଥାନ୍ତି। ତାକୁ ଏକାସାଙ୍ଗରେ ଗ୍ରାମର ଜାନୀ ଓ ଝାଙ୍କର ନେଇ ଗ୍ରାମର ଶେଷ ମୁଣ୍ଡରେ ବିଦାୟ ଦେଇ ଫେରିଥାନ୍ତି। ନୂଆଖାଇ ପୂର୍ବରୁ ପ୍ରତିବର୍ଷ ଗ୍ରାମର ଧରଣୀ ଦେବୀଙ୍କୁ ମଧ୍ୟ ସ୍ୱତନ୍ତ୍ର ପୂଜା କରାଯିବାର ପରମ୍ପରା ଆବହମାନ କାଳରୁ ରହିଆସିଛି। ପ୍ରଥମେ ଗ୍ରାମର ଜାନୀ ପବିତ୍ର ଜଳରେ ଧରଣୀ ଦେବୀଙ୍କୁ ସ୍ନାନ ମାର୍ଜନା କରିଥିଲେ। ଏହାପରେ ସିନ୍ଦୁର, ଚନ୍ଦନ, ଧୂପ, ଦୀପ ଓ ପୁଷ୍ପ ପ୍ରଦାନ କରିବା ପରେ ନଡିଆ, କଦଳୀ, ନୂଆଚୁଡା ର ନୈବେଦ୍ୟ ଅର୍ପଣ କରି ପୂଜା କରିଥିଲେ। ଏହାପରେ ବଳିପ୍ରଥା ଅନୁଯାଇ କୁକୁଡା ବଳି ଓ ସୁରା ଅର୍ପଣ କରିଥିଲେ ଦେବୀଙ୍କୁ। ଗ୍ରାମର ଭକ୍ତ ବୃନ୍ଦ ଆଣିଥିବା କୁକୁଡା ଗୁଡିକ ଦେବୀଙ୍କ ନିକଟରେ ବଳୀ ପ୍ରଦାନ କରାଯାଇ ଧରଣୀ ଦେବୀଙ୍କ ନିକଟରେ ଗ୍ରାମର ସଦା ସର୍ବଦା ସୁରକ୍ଷା ଓ ମଙ୍ଗଳ ମନାସି ପ୍ରାର୍ଥନା କରିଥିଲେ ଜାନୀ, ଝାଙ୍କର ଓ ଗଣା। ଇତ୍ୟବସରରେ ଗ୍ରାମର ଯୁବକ ମାନେ ଧରଣୀପୂଜା ପରିଚାଳନାରେ ସହଯୋଗ କରିଥିଲେ। ବାସ୍ତବିକ ନୂଆଖାଇ ଅବସରରେ ଧରଣୀ ଦେବୀଙ୍କ ପୂଜା ଅନନ୍ୟ ଓ ନିଆରା ପରମ୍ପରା ଅଟେ। ସର୍ଗିଗୁଡ଼ା ଗ୍ରାମର ରାଧାକୃଷ୍ଣଙ୍କ ନାମଯଜ୍ଞ ମଣ୍ଡପରେ ମଧ୍ୟ ପୂର୍ବାହ୍ନ ୧୦.୩୦ ସମୟରେ ଭୋଗଲାଗି ହୋଇଥିବା ନୂଆଚୁଡା ଗ୍ରାମବାସୀଙ୍କ ମଧ୍ୟରେ ଅର୍ପଣ କରାଯାଇ ଦିବା ୧୨.୩୦ ସମୟରେ ସମସ୍ତେ ନୂଆବସ୍ତ୍ର ପରିଧାନ କରି ନୂଆ ଅନ୍ନ ସେବନ କରିଥିଲେ। ଏହାପରେ ମହିଳା, ଯୁବକ, ଯୁବତୀ ମାନେ ଗାଁ ଦାଣ୍ଡରେ ବୁଲି ବୁଲି ବଡ ମାନଙ୍କୁ ନୂଆଖାଇ ଜୁହାର କରିଥିଲେ। ଗ୍ରାମର ପ୍ରମୁଖ ସ୍ଥଳ ପ୍ରହରୀ ମଣ୍ଡପରେ ନୂଆଖାଇ ଭେଟ ଘାଟ ଅନୁଷ୍ଠିତ ହୋଇଥଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.