୧୫ ବର୍ଷରୁ କମ କ୍ରିକେଟରେ ଓଡିଶା ପାଇଁ ଖେଳିବେ ଗୁଡାରି ଝିଅ ଆୟୁଷା

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ୧୫ ବର୍ଷରୁ କମ କ୍ରିକେଟରେ ଓଡିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ଝିଅ ଆୟୁଷା ମିଶ୍ର । ଏ ନେଇ ଓସିଏ ପକ୍ଷରୁ ସୂଚନା ମିଳିଛି ଏବଂ ଆସନ୍ତା ୧୯ ତାରିଖରେ ବଲାଙ୍ଗିର ଠାରେ ହେବାକୁ ଥିବା କ୍ୟାମ୍ପରେ ୧୮ ତାରିଖ ସୁଦ୍ଧା କୋଚଙ୍କ ନିକଟରେ ଉପସ୍ଥିତ ରହିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଛି । ଗତ କିଛି ଦିନ ହେବ ସେ କଟକ ବାରବାଟି ଷ୍ଟାଡ଼ିଅମରେ ଓସିଏ ପକ୍ଷରୁ ଟିମ ସହ ପ୍ରାକ୍ଟିସ କରୁଥିଲେ । ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ପାଇଁ ବାରବାଟି କ୍ରିକେଟ ଷ୍ଟାଡିଅମରେ ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଖେଳିବାର ସୁଯୋଗ ପାଇଥିଲେ । ବର୍ତ୍ତମାନ ସେ ବ୍ରହ୍ମପୁର ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଜଣେ ଦକ୍ଷ ବାମହାତୀ ବ୍ୟାଟ୍ସମ୍ୟାନ ଭାବେ ଜିଲ୍ଲାରେ ଜଣାଶୁଣା ଥିବା ବେଳେ ସେ ଜଣେ ଭଲ ଓଡିଶୀ ନୃତ୍ୟ ଶିଳ୍ପୀ ଭାବେ ଭୁବନେଶ୍ୱରରେ ପ୍ରଖ୍ୟାତ ନୃତ୍ୟଶିଳ୍ପୀଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ପିତା ମିନତ ମିଶ୍ର ବ୍ରହ୍ମପୁରରେ ପୋଲିସ ବିଭାଗରେ କାର୍ଯ୍ୟରତ ଥିବା ବେଳେ ସେ ମଧ୍ୟ ଜଣେ ଭଲ କ୍ରିକେଟ ଖେଳାଳି ଭାବେ ପୂର୍ବରୁ ଗୁଡାରି ପାଇଁ ଅନେକ ଥର ଗୌରବ ଆଣିଛନ୍ତି । ଏହାଛଡା ସେ ଗଜପତି ଜିଲ୍ଲା କ୍ରିକେଟ ପାଇଁ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ । ପିତାଙ୍କ କହିବାନୁଯାୟୀ ଝିଅ ପରିଶ୍ରମ କରୁଛି ସମସ୍ତଙ୍କ ଆଶୀର୍ବାଦ ରହିଲେ ସେ ଜାତୀୟ ଦଳରେ ଖେଳିବାର ସୁଯୋଗ ପାଇବ । ଏହି ଖବର ଶୁଣିବା ପରେ ଆୟୁଷାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.