ଓଡ଼ିଆ ବାର୍ତ୍ତା/ ବାଣପୁର: ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ତୁଳସୀଦେଈପୁର ଶାସନ ଗ୍ରାମର ବାସିନ୍ଦା ତଥା ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ଏସ୍ଡିଓ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ଖଣ୍ଡଗିରିସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଚ଼ାକିରି କାର୍ଯ୍ୟକାଳରେ ସେ ନିଜର ସଚ୍ଚୋଟତା, କର୍ତ୍ତବ୍ୟନିଷ୍ଠା ଓ ଦାୟିତ୍ୱବୋଧ ଦ୍ୱାରା ସହକର୍ମୀ ତଥା ସାଧାରଣ ଜନତାଙ୍କ ନିକଟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ତାଙ୍କର ସରଳ ଜୀବନଶୈଳୀ, ମିଷ୍ଟଭାଷୀ ସ୍ୱଭାବ ଓ ପରୋପକାରୀ ମନୋଭାବ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିବ। ପୁରୀ ସ୍ବର୍ଗଦ୍ବାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଜ୍ୟେଷ୍ଠପୁତ୍ର ସୁଶାନ୍ତ କୁମାର ତ୍ରିପାଠୀ ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ସମୟରେ କନିଷ୍ଠ ଭ୍ରାତା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିନାୟକ ତ୍ରିପାଠୀ, ପୁତ୍ର, ପୁତ୍ରବଧୂ, ଝିଅ, ଜ୍ବାଇଁ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।





