ପାଳିତ ହେଲା ପାର୍ବତୀ ଗିରିଙ୍କ ଶତବାର୍ଷିକୀ ସହ ଦିଲ୍ଲୀ ଉତ୍କଳ ଅସ୍ମିତା ଫାଉଣ୍ଡେସନର ଦଶମ ବାର୍ଷିକ ଉତ୍ସବ

ନନ୍ଦିନୀ ଶତପଥୀ ଓ ପାର୍ବତୀ ଗିରିଙ୍କ ଜୀବନୀଭିତ୍ତିକ ପୁସ୍ତକ ଉପରେ ଆଲୋଚନା, ପାଞ୍ଚ ବିଶିଷ୍ଟ ବ୍ୟକ୍ତିତ୍ୱ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଅସ୍ମିତାର ସୁରକ୍ଷା, ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ସହ ମହାନ ବ୍ୟକ୍ତିତ୍ୱଙ୍କ ଅବଦାନକୁ ପରବର୍ତ୍ତୀ ପିଢ଼ି ନିକଟରେ ପହଞ୍ଚାଇବାର ଆହ୍ୱାନ ସହ ଦିଲ୍ଲୀ ଉତ୍କଳ ଅସ୍ମିତା ଫାଉଣ୍ଡେସନର ଦଶମ ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି।ଦୁଇଟି ଅଧିବେଶନରେ ଆୟୋଜିତ ଏହି ଉତ୍ସବର ପ୍ରଥମ ଅଧିବେଶନରେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସମାଜସେବୀ ତଥା ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଜନ୍ମଶତବାର୍ଷିକୀ ପାଳନ କରାଯାଇଥିଲା।ଏହି ଅବସରରେ ଛଅ ଜଣ ବିଶିଷ୍ଟ କବି ଓ ସାହିତ୍ୟିକ ପାର୍ବତୀ ଗିରିଙ୍କ ତ୍ୟାଗ, ସେବା ଓ ଦେଶପ୍ରେମ ଉପରେ ଆଲୋକପାତ କରିଥିଲେ। ବକ୍ତାମାନେ କହିଥିଲେ ଯେ ପାର୍ବତୀ ଗିରି କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନଥିଲେ, ସେ ଥିଲେ ମାନବସେବାର ଏକ ଉଜ୍ଜ୍ୱଳ ପ୍ରତୀକ। ପଶ୍ଚିମ ଓଡ଼ିଶାର ଅନାଥ ଶିଶୁମାନଙ୍କ ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ। ଜୀବନର ଶେଷ ପର୍ଯ୍ୟନ୍ତ ଦେଶ ଓ ସମାଜର ସେବାରେ ନିଜକୁ ସମର୍ପିତ କରିବାର ତାଙ୍କ ଜୀବନାଦର୍ଶ ଆଜିର ପିଢ଼ି ପାଇଁ ପ୍ରେରଣାଦାୟକ ବୋଲି ସେମାନେ ମତ ଦେଇଥିଲେ। ଫାଉଣ୍ଡେସନର ସଭାପତି ପ୍ରଫୁଲ୍ଲ କୁମାର ମହାନ୍ତି କହିଥିଲେ ଯେ ଆଜିର ଯୁବପିଢ଼ି ପାର୍ବତୀ ଗିରିଙ୍କ ଜୀବନୀରୁ ପ୍ରେରଣା ନେବା ଉଚିତ। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ପିଢ଼ିକୁ ଇତିହାସ ଓ ମହାନ ବ୍ୟକ୍ତିତ୍ୱଙ୍କ ଜୀବନାଦର୍ଶ ସହ ଯୋଡ଼ି ରଖାଯାଇପାରିବ। ପରିଷଦର ସଭାପତି ଡା. ଅନୀତା ପଣ୍ଡା ଏବଂ ‘ଅଲିଭା ଜ୍ୟୋତି’ ପୁସ୍ତକର ଆଲୋଚନା ପ୍ରସଙ୍ଗରେ ପାର୍ବତୀ ଗିରିଙ୍କ ଜୀବନ ଓ କୃତିକୁ ଅଧିକ ବ୍ୟାପକ ଭାବେ ପ୍ରଚାରପ୍ରସାର କରିବାର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ। ଦ୍ୱିତୀୟ ଅଧିବେଶନରେ ବିଶିଷ୍ଟ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର ସଭାପତିତ୍ୱ କରିଥିଲେ। ନିର୍ବାଚନ କମିଶନଙ୍କ ପ୍ରାକ୍ତନ ପରାମର୍ଶଦାତା ଡ. ଭଗବାନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଓ ଓଡ଼ିଆ ଜାତିର ପରିଚୟକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଡା. ଅନୀତା ପଣ୍ଡାଙ୍କ ପରି ମହିଳା ଚିକିତ୍ସକ ଓଡ଼ିଆ ଅସ୍ମିତାର ପ୍ରସାର ଏବଂ ଜନ୍ମମାଟିର ସେବା ପାଇଁ ନିଜକୁ ନିୟୋଜିତ କରିଥିବାରୁ ସେ ତାଙ୍କର ପ୍ରଶଂସା କରିଥିଲେ। ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ବରିଷ୍ଠ ସାମ୍ବାଦିକ ତଥା ଫାଉଣ୍ଡେସନର ଉପସଭାପତି ଗୁରୁ କଲ୍ୟାଣ ମହାପାତ୍ର ଡା. ଅନୀତା ପଣ୍ଡାଙ୍କ ବହୁମୁଖୀ ପ୍ରତିଭା ଓ ସମାଜକଲ୍ୟାଣମୂଳକ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଉତ୍ସବର ଉଦ୍ଦେଶ୍ୟ ବ୍ୟାଖ୍ୟା କରି ଓଡ଼ିଶା ବାହାରେ ଓଡ଼ିଆମାନଙ୍କ ପ୍ରତିଷ୍ଠା ଓ କୃତିତ୍ୱ ବୃଦ୍ଧିର ଆବଶ୍ୟକତା ଉପରେ ମତ ରଖିଥିଲେ। ବର୍ଷୀୟାନ ଭାଷାବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଓଡ଼ିଆ ଭାଷାର ସାମଗ୍ରିକ ବିକାଶକୁ ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ଅଭିହିତ କରିଥିଲେ। ମୁଖ୍ୟବକ୍ତା ଡ. ବାସନ୍ତୀ ମହାନ୍ତି ଉନ୍ମୋଚିତ ପୁସ୍ତକ ଓ ବାର୍ଷିକ ପତ୍ରିକା ଉପରେ ଯୁକ୍ତିନିଷ୍ଠ ଆଲୋଚନା କରି ଶ୍ରୋତାମାନଙ୍କ ପ୍ରଶଂସା ଲାଭ କରିଥିଲେ। ନିଜର ଲେଖକୀୟ ଅଭିଭାଷଣରେ ଡା. ଅନୀତା ପଣ୍ଡା ଓଡ଼ିଆ ପ୍ରୀତି ଓ ଅସ୍ମିତାକୁ ସୁଦୃଢ଼ କରିବାରେ ପୁସ୍ତକ ପ୍ରକାଶନର ଭୂମିକା ଉପରେ ଆଲୋକପାତ କରିଥିଲେ। ବିଶିଷ୍ଟ ରାଜନେତ୍ରୀ ତଥା ସାହିତ୍ୟିକା ନନ୍ଦିନୀ ଶତପଥୀଙ୍କ ସାହିତ୍ୟକୃତିକୁ ନେଇ ‘ନନ୍ଦିନୀଙ୍କ ନୀଳ ଖାତାରୁ’ ଏବଂ ପାର୍ବତୀ ଗିରିଙ୍କ ଜୀବନୀ ଉପରେ ପୁସ୍ତକ ରଚନା କରିପାରିଥିବାରୁ ସେ ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଥିଲେ। ପିଲାଦିନରୁ ନନ୍ଦିନୀ ଶତପଥୀଙ୍କ ସାହିତ୍ୟ ପ୍ରତି ଆଗ୍ରହ ଥିବା କଥା ଉଲ୍ଲେଖ କରି ସେ କହିଥିଲେ ଯେ ଜଣେ ବ୍ୟକ୍ତିଙ୍କଠାରେ ଏକାଧିକ ପ୍ରତିଭା ଥିଲେ କୌଣସି ଗୋଟିଏକୁ ଅଣଦେଖା କରିବା ଉଚିତ ନୁହେଁ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ନୀଳାଦ୍ରି ଭୂଷଣ ହରିଚନ୍ଦନ, ନିରଞ୍ଜନ ସାହୁ, ଡା. ବି.ଏନ୍.ଆର୍. ସୁବୁଦ୍ଧି, ଲୋକନାଥ ଦାଶ ଓ ଡା. ସାଧୁଚରଣ ପଣ୍ଡାଙ୍କୁ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ପରିଷଦର ସଦସ୍ୟ ଡ. ସାଧୁଚରଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ସ୍ତମ୍ଭକାର ତଥା ‘ସମଦୃଷ୍ଟି’ ପାକ୍ଷିକର ସମ୍ପାଦକ ବିଘ୍ନେଶ୍ୱର ସାହୁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ, ଐତିହ୍ୟ ଓ ଅସ୍ମିତାର ସୁରକ୍ଷା ସହ ମହାନ ବ୍ୟକ୍ତିତ୍ୱଙ୍କ ଜୀବନାଦର୍ଶକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବାର ସଂକଳ୍ପ ପ୍ରତିଫଳିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.