କଂଗ୍ରେସ ଛାଡ଼ି ଓଜେସିରେ ସାମିଲ ହେଲେ ଅନେକ ନେତା ଓ କର୍ମୀ
ସଭା ପରେ ଶତାଧିକ ଛାମୁଆ କର୍ମୀଙ୍କ ସହ ରଣନୀତି ପ୍ରସ୍ତୁତ କଲେ ମହମ୍ମଦ ମୋକିମ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ କୋରାପୁଟ ଜିଲ୍ଲାରେ ରାଜନୈତିକ ତତ୍ପରତା ବଢ଼ାଇଛି ଓଡ଼ିଶା ଜନତା କଂଗ୍ରେସ (ଓଜେସି)। ଦଳର ସଭାପତି ଇଂ. ମହମ୍ମଦ ମୋକିମଙ୍କ କୋରାପୁଟ ଗସ୍ତ ଅବସରରେ ଆୟୋଜିତ କର୍ମୀ ସମ୍ମିଳନୀରେ ଦଳୀୟ ସଂଗଠନ ସୁଦୃଢ଼ କରିବା ସହ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଦେବାକୁ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ, କଂଗ୍ରେସ ଛାଡ଼ି କେତେକ ନେତା ଓ କର୍ମୀ ଓଜେସିରେ ଯୋଗଦେବା ଜିଲ୍ଲା ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ବୁଧବାର ସ୍ଥାନୀୟ ସର୍କିଟ୍ ହାଉସ୍ଠାରୁ ଓଜେସିର ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଟାଉନ୍ ହଲ୍ରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲା ସଭାପତି ମନୋଜ କୁମାର ବାଘଙ୍କ ଅଧ୍ୟକ୍ଷତାରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହମ୍ମଦ ମୋକିମ କୋରାପୁଟର ବିକାଶକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ।ସେ କହିଥିଲେ, ପିଲାବେଳେ ସେ କୋରାପୁଟରେ ରହି ପାଠ ପଢ଼ୁଥିଲେ। ସେତେବେଳର କୋରାପୁଟ ଓ ବର୍ତ୍ତମାନର କୋରାପୁଟକୁ ତୁଳନା କଲେ ଆଶାନୁରୂପ ଉନ୍ନତି ହୋଇନଥିବା ଅନୁଭବ ହେଉଛି। ଖଣିଜ ଓ ପ୍ରାକୃତିକ ସମ୍ପଦରେ ସମୃଦ୍ଧ ଏହି ଜିଲ୍ଲାର ଲୋକେ ଏବେ ବି ଅବହେଳାର ଶିକାର ହେଉଛନ୍ତି। ରାସ୍ତାଘାଟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଶିକ୍ଷା ଭଳି ମୌଳିକ କ୍ଷେତ୍ରରେ ଜିଲ୍ଲା ପଛରେ ରହିଥିବାରୁ ସେ ସ୍ଥାନୀୟ ନେତୃତ୍ୱର ଇଚ୍ଛାଶକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ବିଜେଡି, ବିଜେପି ଓ କଂଗ୍ରେସ କୋରାପୁଟର ବିକାଶରେ ବିଫଳ ହୋଇଥିବା ଅଭିଯୋଗ କରି ଓଜେସି ସାଧାରଣ ଲୋକଙ୍କ ସ୍ୱର ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ସମ୍ମିଳନୀରେ ରାଜକୁମାର କୁଲଦୀପ, ହିରଣ କୁମାର ମାଛ, ସୁରେନ୍ଦ୍ର ବେନ୍ୟା, କେ.ଏଲ୍. ବୈରାଗୀ, ଜିଲ୍ଲା ପ୍ରଭାରୀ ଦିଲ୍ଲୀପ ରାଉତ, ଓଡ଼ିଶା କୃଷକ ଜନତା କଂଗ୍ରେସର ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ, ଓଜେସିର ସାଧାରଣ ସମ୍ପାଦକ ସଞ୍ଜୟ ରାୟ, ସୁଜିତ ସ୍ୱାଇଁ ଓ ଓଡ଼ିଶା ଯୁବ ଜନତା କଂଗ୍ରେସର ସଭାପତି ଆର୍ଯ୍ୟବୀର ଲେଙ୍କା ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ପ୍ରଦୀପ କୁମାର ଖୋସଲା, ରାଜକୁମାର କୁଲଦୀପ, ସୁରେନ୍ଦ୍ର କୁମାର ବେନ୍ୟା, ହିରଣ କୁମାର ମାଛ, ଲକ୍ଷ୍ମୀ ମହାରଣା, କେ.ଏଲ୍. ବୈରାଗୀ, ଅନିତା ନାୟକ ଓ ଗୀତାଞ୍ଜଳି ମାଛଙ୍କ ସମେତ ଅନେକ ନେତା ଓ କର୍ମୀ କଂଗ୍ରେସ ଛାଡ଼ି ଓଜେସିରେ ସାମିଲ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି। ମୋକିମ ସେମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ମୋକିମ କହିଥିଲେ ଯେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଓଜେସି ନିଜ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବ। ସମ୍ମିଳନୀ ପରେ ସେ ପ୍ରାୟ ଶତାଧିକ ଛାମୁଆ କର୍ମକର୍ତ୍ତାଙ୍କ ସହ ଏକ ପୃଥକ ବୈଠକ କରି ଜିଲ୍ଲାରେ ଦଳୀୟ ସଂଗଠନ ବିସ୍ତାର ଓ ନିର୍ବାଚନୀ ରଣନୀତି ନେଇ ଆଲୋଚନା କରିଥିଲେ।
ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ କୋରାପୁଟରେ ଓଜେସିର ସକ୍ରିୟତା ଏବଂ କଂଗ୍ରେସର କେତେକ ନେତାଙ୍କ ଦଳତ୍ୟାଗ ଆଗାମୀ ନିର୍ବାଚନରେ କେତେ ପ୍ରଭାବ ପକାଇବ, ତାହାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି। ତେବେ ନୂଆ ଦଳ ଭାବେ ଓଜେସି ଜନସମର୍ଥନ ହାସଲ କରିବା ସହ ନିର୍ବାଚନୀ ମୈଦାନରେ କେତେ ପ୍ରଭାବ ପକାଇବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।





