୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷରୁ କମ ବାଳକ ଓ ବାଳିକା ତୀରନ୍ଦାଜ ପ୍ରତିଯୋଗିତା ୨୦୨୬-୨୭ ଉଦଘାଟିତ ହୋଇଯାଇଛି। ରାଜ୍ୟ ବିଦ୍ୟାଳୟ କ୍ରୀଡା ସମୂହ, ଓଡ଼ିଶା ଓ ଜିଲ୍ଲା ବିଦ୍ୟାଳୟ କ୍ରୀଡା ସମୂହ, କଳାହାଣ୍ଡି ଏହି ପ୍ରତିଯୋଗିତା ଆୟୋଜନ କରୁଛନ୍ତି।

ମା’ ମାଣିକେଶ୍ୱରୀ ମନ୍ଦିରରୁ ମଶାଲ ଆସିବା ପରେ ପ୍ରତିଯୋଗୀମାନଙ୍କ ସମ୍ମିଳିତ ପଦଚାଳନା ଓ ରାଷ୍ଟ୍ରଗାନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିରଞ୍ଚି ନାରାୟଣ ବାହିନୀପତିଙ୍କ ସଂଯୋଜନାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଷିଗୁଡ଼ାର ଶିକ୍ଷାର୍ଥୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଶାସ୍ତ୍ରୀଜୀ ଶିକ୍ଷା ନିକେତନର ଶିକ୍ଷାର୍ଥୀମାନେ ଫିଜିକାଲ୍ ଡିସପ୍ଲେ ପ୍ରଦର୍ଶନ କରିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ସଭାପତିତ୍ୱ କରିଥିଲେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶାର ଶାରୀରିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡା ବିବରଣୀ ପାଠ କରିଥିଲେ।

ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମାଜସେବୀ ଆର୍ତ୍ତତ୍ରାଣ ମହାପାତ୍ର ଓ ଯୁଗଳ କିଶୋର ପୋଢ଼, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ ଓ ହେମସାଗର ମହାନନ୍ଦ, ଢେଙ୍କାନାଳ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଜାତା ପଟ୍ଟନାୟକ ଓ ନୂଆପଡ଼ା ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରତନ ସିଂ ବାରିକ ମଞ୍ଚାସୀନ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ତାଙ୍କ ରଚିତ ପୁସ୍ତକ ‘ଶ୍ରେଣୀକକ୍ଷର ମାନ ଓ ଗୁଣବତ୍ତା’ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ରାଜ୍ୟ ଅଧିକାରୀ ନିରଞ୍ଜନ ଶତପଥୀ।

ଶେଷରେ କଳାହାଣ୍ଡି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂହ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ଆୟୋଜକ କମିଟିର ସଦସ୍ୟ ସଦସ୍ୟା, ଡିଇଓ ଏବଂ ଡିପିସି କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତା ଆସନ୍ତା ୩୦ ତାରିଖ ଯାଏଁ ଚାଲିବ। ଏଥିରେ ୨୧ ଜିଲ୍ଲାରୁ ଆସିଥିବା ୨୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.