ପାଣି ପାଇପ ଭାଙ୍ଗିବା ସହ ନଷ୍ଟ କଲେ ପରିବା ଚାଷ
ଲାଞ୍ଜିଗଡ଼,୨/୪ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଛତ୍ରପୁର ପଞ୍ଚାୟତର ବାରବୁଲି ଗାଁରେ ହାତୀପଲ ଉତ୍ପାତ କରିବା ସହ ପାଣି ପାଇପକୁ ମାଡ଼ି ଚକଟି ଦେଇଛନ୍ତି । ଏହାସହ ଚାଷୀଙ୍କ ପନି ପରିବା ଫସଲ ନଷ୍ଟ କରିଛନ୍ତି। ଲାଞ୍ଜିଗଡ ନିକଟସ୍ଥ ରାହୁଳ ଝିମିରି ଜଙ୍ଗଲରେ ରହି ରାତି ହେଲେ ଗାଁ ମୁହାଁ ହେଉଛନ୍ତି ହାତୀପଲ ।
ରାତି ୧୨ଘଣ୍ଟା ସମୟରେ ଏହି ହାତୀପଲ ଲାଞ୍ଜିଗଡ ନିକଟସ୍ଥ ଛତ୍ରପୁର ପଞ୍ଚାୟତର ବାରବୁଲି ଗ୍ରାମକୁ ଆସି ସାନ ମାଝୀଙ୍କ ବାଇଗଣ, ଟମାଟୋ ଓ ପିଆଜ ଗଛକୁ ନଷ୍ଟ କରିବା ସହ ନାଳରୁ ପନିପରିବା ବଗିଚାକୁ ସଂଯୋଗ ହୋଇଥିବା ପ୍ଲାଷ୍ଟିକ ପାଣି ପାଇପକୁ ମାଡି ଚକଟି ନଷ୍ଟ କରିଦେଇଛନ୍ତି। ୨୦୧୭ ମସିହାରେ ପ୍ରଧାନ ଏନଜିଓ ସଂସ୍ଥା ଦ୍ବାରା ବାରବୁଲି ନାଳଠାରୁ ସାନଙ୍କ ୩ ଏକର ଚାଷ ଜମିକୁ ପାଷ୍ଟିକ ପାଣି ପାଇପ ସଂଯୋଗ କରାଯାଇଥିଲା। ଏହି ପାଇପ ପାଣି ଦ୍ବାରା ସାନ ପନିପରିବା ଚାଷ କରିଥିଲେ। ହାତୀପଲ ପାଇପକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ଫଳରେ ସାନ ବେସାହାରା ହୋଇପଡିଛନ୍ତି। ଏବେ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତାର ଆବଶ୍ୟକତା ରହିଛି ।