ଗଣ୍ଡ ସଂପ୍ରଦାୟର ବୁଢାଦେଓ ଯାତ୍ରା

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଆଭ୍ୟନ୍ତରୀଣ ପଂଚାୟତ ଉର୍ଲଦାନୀ ପଂଚାୟତର ଗଣ୍ଡ ସଂପ୍ରଦାୟର ବୁଢାଦେଓ ଯାତ୍ରା ରୀତିନୀତି ମତେ ଅନୁଷ୍ଠିତ ହେଇଯାଇଛି । ପ୍ରତିବର୍ଷ ପୌଷମାସରେ ହେଉଥିବା ଏହି ପର୍ବକୁ ବୁଢାଦେଓ ଯାତ୍ରା ବା ଖଳା ଯାତ୍ରା ନାମରେ ବେଶ ଜଣାଶୁଣା । ଏହି ଯାତ୍ରାକୁ ଗଣ୍ଡ ସଂପ୍ରଦାୟର ଦେବତା ବିବାହ ବୋଲି ମଧ୍ୟ ବିଶ୍ୱାସ ରହିଛି ଏବଂ ଏହି ଯାତ୍ରା ପରେ ହିଁ ଗଣ୍ଡ ସଂପ୍ରଦାୟର ବିବାହ କାର୍ଯ୍ୟ ଆରମ୍ଭ ହେଇଥାଏ । ମସାନ୍ ଅଣା, ପିଦର ବସା ଭଳି ନିଜର ସମସ୍ତ ପୂଜା ବିଧି ସମ୍ପନ୍ନ ହେଇଥିଲା । ଏହି ଯାତ୍ରାରେ ପଥରରେ ଛେଳିର ମୁଣ୍ଡକୁ ଛେଚି ବଳୀ ଦେବାର ପରମ୍ପରା ନିଆରା ଏବଂ ଗଣ୍ଡ ସଂପ୍ରଦାୟର ଲୋକ ବିଶ୍ୱାସ । ନିଜର ଏକ ସ୍ୱତନ୍ତ୍ର ପୂଜାବିଧି ତଥା ପୂଜା ପ୍ରକ୍ରିୟା ପାଇଁ ବେଶ ପରିଚିତ ଏହି ଯାତ୍ରା । ତେବେ ଗତଦୁଇ ବର୍ଷ ହେଲା କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଏହି ଯାତ୍ରା ରେ ଜନସମାଗମ ହେଉନାହିଁ । ଏହି ଯାତ୍ରାରେ ଜାନୀ ଡ଼ିଙ୍ଗର ପାତ୍ର, କୁମୁରା ନିତ୍ୟାନନ୍ଦ ପାତ୍ର, ଛତ୍ରିଆ ବିରାଜ ପନ୍ଦର, ଦେଧରିଆ ପନ୍ଦର ପାତ୍ର, ତାଲପିଆ ବନମାଳୀ ପାତ୍ର, ନିଜ ନିଜ ଦାୟିତ୍ୱ ସମ୍ପାଦନ କରିଥିବାବେଳେ ଗଣ୍ଡ ସଂପ୍ରଦାୟର ଗବେଷକ ତଥା ଅଧ୍ୟାପକ କୌତୁକ ପନ୍ଦର, ବଲାଙ୍ଗିରର ଯୁବ ଗାଳ୍ପିକ ଜଗନ୍ନାଥ ସାହୁ, ବରଗଡ଼ର ଶିକ୍ଷକ ପୁସ୍ତମ ଜୁଆଡ଼ି ଏହି ଯାତ୍ରା ଦେଖିବାକୁ ଯାଇଥିବାବେଳେ କେଶବଲାଲ ପାତ୍ର, ଦିଲୀପଲାଲ ପାତ୍ର, ଗୋବିନ୍ଦ ପାତ୍ର, ମଦନସିଂ ପାତ୍ର, ନେତ୍ରାନନ୍ଦ ପାତ୍ର, ମୀନକେତନ ପାତ୍ର, ଲିଙ୍ଗରାଜ ପାତ୍ର, ଗୋବିନ୍ଦ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.