ବିସ୍ଥାପିତ ହୋଇପାରିନ୍ତି ଦ୍ୱିମୁଣ୍ଡି ଓ ଡି.କରଳ ଉପର ସାହି

● ସାଂସଦ ସପ୍ତଗିରିଙ୍କ ପରାମର୍ଶ ପରେ ସରକାରଙ୍କୁ ଚିଠି ଲେଖିଥିଲେ ଦକ୍ଷିଣାଂଚଳ ଆରଡିସି

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଅନ୍ତର୍ଗତ ଦ୍ୱିମୁଣ୍ଡି ଓ ଡି.କରଳ ଗ୍ରାମର ଉପର ସାହିକୁ ବିସ୍ଥାପିତ ଅବସ୍ଥା ଘୋଷଣା କରିବା ନେଇ ଆରଏଣ୍ଡଡିଏମ ବିଭାଗ ଓଡିଶା ସରକାରଙ୍କ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି ବ୍ରହ୍ମପୁର,ଦକ୍ଷିଣାଂଚଳ ଆରଡିସି । ସେ ଦେଇଥିବା ଚିଠି ସଂଖ୍ୟା ୩୨୪/୨୨/୧୨/୨୦୨୧ରେ ଉଲ୍ଳେଖ ରହିଛି ଯେ, ଜିଲ୍ଳାର ଦୋରାଗୁଡା ଠାରେ ଥିବା ଉତ୍କଳ ଆଲୁମିନା କମ୍ପାନୀର ରଡ୍ ମିଲ୍ ନିକଟରୁ ମାତ୍ର ୩୦୦ମିଟର ଦୂରରେ ଦ୍ୱିମୁଣ୍ଡି ଗ୍ରାମ ଅବସ୍ଥିତ । ଫଳରେ ଗ୍ରାମବାସୀମାନେ ଶଦ୍ଦ, ବାୟୁ, ଜଳ ଓ ପରିବେଶ ପ୍ରଦୁଷଣରେ ଅସ୍ତବ୍ୟସ୍ତ ହେଉଥିଲେ । ଯାହାକୁ ନେଇ ଉତ୍କଳ ଆଲୁମିନା କମ୍ପାନୀ, ପ୍ରଶାସନ ଏବଂ ଦ୍ୱିମୁଣ୍ଡୀ ଗ୍ରାମବାସୀଙ୍କ ମଧ୍ୟରେ ଗତ ୨୦୧୨ମସିହା ଜୁନ୍ ୧୧ତାରିଖରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା । କିନ୍ତୁ ଚୁକ୍ତିନାମାକୁ ପୂରଣ କରିବାରେ କମ୍ପାନୀ ବିଳମ୍ବତା କରୁଥିବାରୁ ଗତ ୨୦୧୮ ମସିହା ମେ’୨୩ ତାରିଖରେ ଦ୍ୱିମୁଣ୍ଡି ଗ୍ରାମବାସୀମାନେ ଜୋରଜବରଦସ୍ତ କମ୍ପାନୀ ୟୁନିଟ୍ ତଥା ମେସିନାରୀ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାକୁ ନେଇ ରାୟଗଡା ଉପଜିଲ୍ଳପାଳ ଓ ଏସଡିପିଓ ମିଳିତ ଭାବେ ଘଟଣାର ଦୁଇ ଦିନ ପରେ ୨୫ ତାରିଖରେ ପରିଦର୍ଶନରେ ଦ୍ୱିମୁଣ୍ଡି ଗାଁକୁ ଯାଇଥିଲେ । ସେଠାରେ ଅନୁଧ୍ୟାନ ସମୟରେ କମ୍ପାନୀରୁ ମାଟିଯୁକ୍ତ ଧୂଳିଗୁଣ୍ଡର ଝଡ ବହୁ ଜୋରରେ ପ୍ରବାହିତ ହେବା ଫଳରେ ଉପସ୍ଥିତ ଅଧିକାରୀମାନେ ପ୍ରଦୁଷଣର ମାତ୍ରାକୁ ସମାଲୋଚ୍ୟ କରି ଜିଲ୍ଳାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ସେହିପରି ଆରପିଡିଏସି ବୈଠକରେ ଦ୍ୱିମୁୁଣ୍ଡି ଗ୍ରାମାଚଂଳ କ୍ଷେତ୍ରରେ ଉତ୍କଳ ଆଲୁମିନା କମ୍ପାନୀ ପ୍ରତିଷ୍ଠା କରିବା ପ୍ରସ୍ତାବ ଦିଆଯାଇଥିବା ନେଇ ଗ୍ରାମବାସୀ ଓ କମ୍ପାନୀ କର୍ତୁପକ୍ଷ ସୂଚନା ଦେଇଥିଲେ ମଧ୍ୟ ଗ୍ରାମବାସୀମାନେ ଏହାକୁ ଦୃଢ ବିରୋଧ କରିଥିଲେ । ତେବେ କମ୍ପାନୀ ଯୋଜନା କରି ଦ୍ୱିମୁଣ୍ଡି ଗ୍ରାମର ସମସ୍ତ ଚାଷଜମି ସହ ଗାଁକୁ ଅର୍ଜନ କରିବା ପାଇଁ ଚେଷ୍ଠା କରିଥିଲା । ଦ୍ୱିମୁଣ୍ଡି ଗ୍ରାମବାସୀମାନେ ଗରୀବ ଆଦିବାସୀ ଓ ଦଳିତ ଲୋକେ । ଚାଷଜମି ଓ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ସେମାନେ ନିଜର ଜୀବନଜୀବିକା ନିର୍ବାହ କରିଥାନ୍ତି । ଯଦି କମ୍ପାନୀ କର୍ତୁପକ୍ଷ ସମସ୍ତ ଚାଷଜମିକୁ ଅଧିଗ୍ରହଣ କରେ ତେବେ ଗ୍ରାମବାସୀମାନଙ୍କ ଜୀବିକା କିଛି ନ ରହିବା ସହ ଖେଳପଡିଆ, ଶ୍ମଶାନ ଓ ସ୍କୁଲ ମଧ୍ୟ ରହିବ ନାହିଁ । ଏହାକୁ ନେଇ ଦ୍ୱିମୁଣ୍ଡି ଗ୍ରାମକୁ ବିସ୍ଥାପିତ କରିବା ପାଇଁ ଗତ ୨୦୧୪ ମସିହାରେ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଏକ ରିଟ୍ ପିଟିସନ୍ ଦାଖଲ କରାଯାଇଥିଲା ।

ମାନ୍ୟବର ହାଇକୋର୍ଟ ଉକ୍ତ ମାମଲାକୁ ଖାରଜ କରିବା ସହ ଜିଲ୍ଳାପାଳଙ୍କୁ ଏ ନେଇ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ ସହ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଆଦେଶକୁ ନେଇ ଗ୍ରାମବାସୀଙ୍କ ଦାବିକୁ ଶୁଣାଣୀ କରି ତତ୍କାଳୀନ ଜିଲ୍ଳାପାଳ ବର୍ତମାନ କମ୍ପାନୀ ୧.୫ ଏମଟିପିଏ ଉତ୍ପାଦନ କ୍ଷମତା ଏବଂ ୬୦ ମୋଗାୱାଟ ଏବଂ ୨ଟି ବୋଏଲରରେ କାର୍ଯ୍ୟକ୍ଷମ ହେଉଛି ଯଦ୍ୱାରା କମ୍ପାନୀ ଆଖପାଖ ଅଂଚଳ ତଥା ଦ୍ୱିମୁଣ୍ଡି ଗ୍ରାମରେ ପ୍ରଦୁଷଣ ମାତ୍ରା ଅତ୍ୟଧିକ ଗୁରୁତର ହେବନାହିଁ । ଯଦି ଭବିଷ୍ୟତରେ ୧.୫ରୁ ୩.୦ଏମଟିପିଏ ଉତ୍ପାଦନ କ୍ଷମତା କରାଯାଏ ତାହା ହେଲେ କମ୍ପାନୀ ପ୍ରଦୁଷଣ ପରୀକ୍ଷା କରିବା ସହ ବିସ୍ଥାପିତ ନିଷ୍ପତି ନେବାକୁ ପଡିପାରେ ବୋଲି ରିପୋର୍ଟ ଦେଇଥିଲେ । ପରେ ୨୦୧୬ ମସିହାରେ ପୁଣି ଗ୍ରାମବାସୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଜିଲ୍ଳାପାଳଙ୍କ ରିପୋର୍ଟକୁ ଅନୁଧ୍ୟାନ କରି ପୁଣିଥରେ ଦ୍ୱିମୁଣ୍ଡି ଗ୍ରାମକୁ ବିସ୍ଥାପିତ କରିବା ପାଇଁ ପ୍ରାର୍ଥନା କରିଥିଲେ । ପରେ କମ୍ପାନୀ ସଂପ୍ରସାରଣ ହେବା ଯୋଗୁଁ ଏହାର ଶଦ୍ଦ ଓ ଧୂଳିଗୁଣ୍ଡ ପ୍ରଦୁଷଣର ମାତ୍ରା ଅତ୍ୟଧିକ ଥିବାରୁ ଦ୍ୱିମୁଣ୍ଡି ଗ୍ରାମବାସୀଙ୍କ ମାନବାଧିକାର ଏବଂ ସୁରକ୍ଷିତ ଜୀବନକୁ ରକ୍ଷା କରିବା ପାଇଁ ଅନ୍ୟତ୍ର ବିସ୍ଥାପିତ ପାଇଁ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ପ୍ରଶାସନ ସହ ଆଲୋଚନା କରି ନିବେଦନ ଓ ପରାମର୍ଶ କରିବା ପରେ ଜିଲ୍ଳାପାଳ ସରକାରଙ୍କୁ ଚିଠି ଲେଖିଥିଲେ । ଯେହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ୨୦୨୧ ସେପ୍ଟେମ୍ବର ୧୬ ତାରିଖରେ ଉତ୍କଳ କମ୍ପାନୀର ସଂପ୍ରସାରଣ ୟୁନିଟକୁ ଉଦଘାଟନ କରିଥିଲେ ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କ ଚୟନ ସ୍ଥାନରେ ସେମାନଙ୍କୁ ଥଇଥାନ କରି ଡିପି ନିୟମ ପ୍ରକାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ପାଇଁ ସଚିବଙ୍କୁ ଦକ୍ଷିଣାଂଚଳ ଆରଡିସି ଚିଠିରେ ଉଲ୍ଳେଖ କରିଥିବା ନେଇ ସାଂସଦ ସପ୍ତଗିରି ଉଲାକା ଟ୍ୱିଟ୍ କରି ଜଣାଇଛନ୍ତି । ଏଥିସହ ଉକ୍ତ ଦୁଇ ଗ୍ରାମବାସୀଙ୍କୁ ବିସ୍ଥାପିତ କରି ନୂତନ ଭାବେ ଥଇଥାନ କରିବା ପାଇଁ ପୂର୍ବରୁ ଆରଡିସିଙ୍କ ସହ ଆଲୋଚନା କରିଥିବା ସାଂସଦ ଶ୍ରୀ ଉଲାକା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.