ଅଦିନିଆ ବର୍ଷାର ପ୍ରକୋପକୁ ନେଇ ଚିନ୍ତାରେ ଚାଷୀ, ଖଳାରେ ଧାନ ଓ ଏକର ଏକର ଜମିରେ କପା ନଷ୍ଟ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାରେ ଅଦିନିଆ ବର୍ଷା ବଢାଇ ଦେଇଛି ଧାନ ଓ କପା ଚାଷୀଙ୍କ ଚିନ୍ତା । ରାୟଗଡା ସଦର ବ୍ଳକ ଅଂଚଳରେ ନଷ୍ଟ ହୋଇଯାଇଛି ଏକର ଏକର ଚାଷଜମିର ଅମଳ ଧାନ ଓ କପା । ଖଳାରେ ପାଣି ଜମି ରହିବା ଫଳରେ ନଷ୍ଟ ହୋଇଯାଇଛି ଖଳାରେ ପଡି ରହିଥିବା ଧାନ ଓ ବସ୍ତା ବସ୍ତା ଧାନ । ସେହିପରି ଅଦିନିଆ ବର୍ଷାରେ ଭିଜି ଭିଜି ନଷ୍ଟ ହୋଇଯାଇଛି କପା । ଏବେ ଅମଳ ଧାନରେ ଗଜା ଦେଖିବାକୁ ମିଳୁଥିବା ବେଳେ କପା ତଳେ ପଡି ନଷ୍ଟ ହେଉଛି । ସାହୁକାରମାନଙ୍କ ପାଖରୁ ଋଣ କରି ଫସଲ କରିଥିବା ଚାଷୀ ଏବେ ଋଣ ଶୁଝିବ କିପରି । ଯାହାକୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଛି । ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଥିବାର ସମ୍ଭାବନା ଥାଇ ମଧ୍ୟ କୈାଣସି ବିଭାଗୀୟ ଅଧିକାରୀ ଏ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନକୁ ନ ଆସିଥିବାରୁ ନଷ୍ଟ ଅମଳ ଧାନ ଓ କପାକୁ ନେଇ ଚାଷୀ ଆଖିରେ ଲୁହ ଦେଖିବାକୁ ମିଳିଛୁ । ଅପରପକ୍ଷେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବାକୁ ଥିବା ବେଳେ ବୀମା କରି ନ ଥିବା ଚାଷୀ ନିଶ୍ଚିତ ଭାବେ ଏଥିରୁ ବାଦ ପଡିବେ ବୋଲି ରାୟଗଡା ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ ପ୍ରକାଶ କରିଛନ୍ତି ।

ଗାଜିଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ବିଲେସୁ ଗ୍ରାମର ଚାଷୀ ଦଶରଥୀ ହଂସବଂଶ, ଭାଗିରଥୀ ହଂସବଂଶ, ବରିକା ହଂସବଂଶ ଓ ସୀମାଂଚଳ ପଣ୍ଡାଙ୍କ ପାଖାପାଖି ୨୨ଏକର ଚାଷ ଜମିର ଅମଳ ଧାନକୁ ଆଣି ଖଳାରେ ରଖି ବସ୍ତା ବସ୍ତା କରି ପ୍ୟାକେଟ କରି ରଖିଥିଲେ । ଟୋକେନ ପାଇ ମଣ୍ଡିକୁ ଧାନ ନେବା ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଅଦିନିଆ ବର୍ଷା ଯୋଗୁଁ ୫୭୦ବସ୍ତା ଧାନ ଓ ଖଳାରେ ପଡିଥିବା ଧାନ ସଂପୂର୍ଣ୍ଣ ଭିଜି ଯାଇ ନଷ୍ଟ ହୋଇଯାଇଛି । ଏବେ ଓଦା ଧାନଗୁଡିକୁ ମଣ୍ଡିରେ ବିକ୍ରିକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀଭାଇମାନେ । ପ୍ରଶାସନ ଏ ଦିଗରେ ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି । ସେହିପରି ରାୟଗଡା ବ୍ଳକର ଇରକୁବାଡି, ପୀତାମହଲ, ଗାଜିଗାଁ, କେରଡା, ଜେମାଦେଇପେଣ୍ଠ ସହ ଅନ୍ୟ ପଂଚାୟତଗୁଡିକରେ କରାଯାଇଥିବା ଏକର ଏକର କପା ଚାଷ ମଧ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ।

ଚଳିତ ବର୍ଷ କପା ଭଲ ଅମଳ ହୋଇଥିବାକୁ ନେଇ ଚାଷୀ ବେଶ ଖୁସିରେ ଥିବା ବେଳେ ଅଦିିନିଆ ବର୍ଷା ଦାଉ ସାଜିଛି । ତୋଳା ହୋଇ ନ ଥିବା କପା ଏବେ ତେବେ ତିନି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଭିଜି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଏପରିକି ଗାଁକୁ ଆସି କପା ନେଇଯାଉଥିବା ସାହୁକାର ତଥା ବ୍ୟବସାୟୀମାନେ ଆଉ ଉଚିତ ମୂଲ୍ୟ ଦେଇ କପା ନେବେ କି ନାହିଁ ତାହା ଉପରେ ଚିନ୍ତାପ୍ରକଟ କରି ମୁଣ୍ଡରେ ହାତ ଦେଇ ବସିଥିବା କହିଛନ୍ତି ଚାଷୀ କୈଳାସ ପିଡିକା ଓ ଶ୍ରୀନିବାସ ପିଡିକା । ଚଳିତ ବର୍ଷ ଜିଲ୍ଳାରେ ୬ଲକ୍ଷ ୯୦ହଜାର କ୍ୱିଂଟାଲ କପା ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିବା ନେଇ ଶ୍ରୀ ପ୍ରହରାଜ ସୂଚନା ଦେଇଛନ୍ତି । ତେବେ ମଣ୍ଡି ବ୍ୟବସ୍ଥା ରହିଥିଲେ ମଧ୍ୟ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଘରୋଇ ବ୍ୟବସାୟୀ ତଥା ଡିଲର ମାନେ କ୍ୱିଂଟାଲ ପିଚ୍ଛା ୨ରୁ ୩ହଜାର ଟଙ୍କା ଅଧିକା ଦେଇ ଚାଷୀଙ୍କ ଠାରୁ ସିଧାସଳଖ ଧାନ କ୍ରୟ କରି ନେଉଥିବାରୁ ଚଳିତ ବର୍ଷ ସିସିଆଇ ମଧ୍ୟ ଧାନମଣ୍ଡିରୁ ଧାନ କ୍ରୟ କରୁ ନ ଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.