ଆନ୍ଧ୍ର ମାଫିଆଙ୍କ କବଜାରେ ଆଦିବାସୀଙ୍କ ଶହଶହ ଏକର ଜମି

ଜବରଦଖଲରେ ସରକାରୀ ଜମି, ଜାଣି ଅଜଣା ସରକାରୀ କଳ !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡିଶା ସୀମାନ୍ତରେ ଆନ୍ଧ୍ରପ୍ରଦେଶର ଦାଦାଗିରିକୁ ନେଇ ଚର୍ଚ୍ଚା ଥମିନଥିବାବେଳେ ଆନ୍ଧ୍ରପ୍ରଦେଶର ଜମି ମାଫିଆମାନେ ଏବେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଆଦିବାସୀ ବହୁଳ ଅଞ୍ଚଳଗୁଡିକରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଦଲାଲମାନଙ୍କ ଜରିଆରେ ଫୁସୁଲାଫୁସୁଲି କରି ଶାଗମାଛ ଦରରେ ମୂଲ୍ୟବାନ ଜମିଗୁଡିକ କିଣିନେଇଛନ୍ତି । ଏପରିକି ଉଭୟ ରାସ୍ତା କଡ କିମ୍ବା ଜଙ୍ଗଲକୁ ଲାଗିଥିବା ଜମିଗୁଡିକୁ ସେମାନେ ପସନ୍ଦ କରିବା ସହିତ ସେଗୁଡିକୁ କମ୍ ଦାମ ଦେଇ କିଣୁଛନ୍ତି ଏବଂ ଭିତିରାଭିତିରି ସରକାରୀ ଜମି, ସଂରକ୍ଷିତ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ କିମ୍ବା ଗୋଚର ଜମିଗୁଡିକୁ କବଜା କରି ନେଉଛନ୍ତି। ଏନେଇ ଦୀର୍ଘ ଦିନରୁ ଅଭିଯୋଗ ହେଉଥିଲେ ହେଁ ପ୍ରଶାସନ, ରାଜସ୍ୱ ଓ ଜଙ୍ଗଲ ବିଭାଗ ଜାଣି ଅଜଣା ରହୁଥିବାରୁ ଏବେ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ନେଡିଗୁଡ କହୁଣୀକୁ ବୋହିଯିବା ପରିସ୍ଥିତି ସୃଷ୍ଟି ହେଲାଣି । ଏପରି ପରିସ୍ଥିତି ହେଲାଣି ଯେ, ଜଙ୍ଗଲ ଜମି ଅଧିକାର ଆଇନରେ ଆଦିବାସୀଙ୍କ ଜମିଗୁଡିକୁ ମଧ୍ୟ ସେମାନଙ୍କ ଅଜାଣତରେ କବଜା କରିନେବାକୁ ପଛାଉନାହାନ୍ତି ଆନ୍ଧ୍ରପ୍ରଦେଶର ଜମି ମାଫିଆମାନେ । ଏପରି ଏକ ସଙ୍ଗୀନ ଅଭିଯୋଗ ଏବେ ସାରା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଥିବାବେଳେ ପ୍ରଶାସନ କିନ୍ତୁ ଜାଣି ଅଜଣା ସାଜିଛି । ଅଭିଯୋଗ ଅନୁଯାୟୀ ଲାଞ୍ଜିଗଡ ବ୍ଲକ ବାତେଲିମା ଗ୍ରାମପଞ୍ଚାୟତ ବୋରିଂପଦର ଗାଁର ୧୩ ଏକର ଜମିକୁ ଅମ୍ବାଦଳାର ଦଲାଲ ଜରିଆରେ ଆନ୍ଧ୍ରପ୍ରଦେଶର ଜଣେ ଜମି ମାଫିଆ କିଣିଥିଲେ । ଗତ କିଛିବର୍ଷ ତଳେ ଆଦିବାସୀଙ୍କ ଜମିକୁ ବିନା ଅନୁମତିରେ କାରସାଦି କରି ଆନ୍ଧ୍ରପ୍ରଦେଶର ସଂପୃକ୍ତ ବ୍ୟକ୍ତି କିଣିଥିବାବେଳେ ଏ ବର୍ଷ ସେଇ ଜମିକୁ ଜେସିବି ଲଗାଇ ସମତୁଲ କରୁଥିବା ଦେଖିବାକୁ ମିଳିଛି । ତେବେ ନିଜ କିଣିଲା ଜମି ଅପେକ୍ଷା ବୋରିଂପଦର ମୌଜାରେ ଥିବା ଶହେ ଏକରରୁ ଉର୍ଦ୍ଧ୍ୱ ସରକାରୀ ଜମି, ସଂରକ୍ଷିତ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ ସମେତ ଆଦିବାସୀଙ୍କ ନାମରେ ରେକର୍ଡଭୁକ୍ତ ଥିବା ଜମିଗୁଡିକୁ ନିଜ ଜମିରେ ମିଶାଇବାରେ ଲାଗିପଡିଛନ୍ତି ଏହି ଆନ୍ଧ୍ରପ୍ରଦେଶର ଜମି ମାଫିଆ । ତାଙ୍କୁ ଅମ୍ବାଦଳା ଅଞ୍ଚଳର ଜଣେ ଜମି ଦଲାଲ ଭରପୁର ସହଯୋଗ କରିବା ସହିତ ସାହସ ଦେଉଥିବାବେଳେ ସ୍ଥାନୀୟ ତହସିଲ କର୍ତ୍ତୃପକ୍ଷ, ବନବିଭାଗର କର୍ମକର୍ତ୍ତା ସମସ୍ତେ ନିରବଦ୍ରଷ୍ଟା ସାଜିଥିବାରୁ ବ୍ୟକ୍ତି ଜଣକ ଏପରି ଭାବେ ଜବରଦଖଲ କରିଥିବା ଅଭିଯୋଗ ହେଉଛି । ଏପରିକି ବୋରିଂପଦର ଗ୍ରାମବାସୀ ଏ ସଂପର୍କରେ ଅଭିଯୋଗ କଲେ ଧମକଚମକ ଦେଉଥିବା ମଧ୍ୟ ଶୁଣିବାକୁ ମିଳିଛି । ଏଣୁ ବୋରିଂପଦରରେ ଆନ୍ଧ୍ର ମାଫିଆ କିଣିଥିବା ଜମି ଆଦିବାସୀଙ୍କ ଜମି ଓ ଏହାର ସାମୁହିକ ମାଲିକାନା ଥିବାରୁ ଏହାର ରେଜିଷ୍ଟ୍ରେସନ ଅନୁମତି ଏବଂ ମ୍ୟୁଟେସନ ବାତିଲ କରିବା, ବେଆଇନ ଜବରଦଖଲ ଯୋଗୁଁ ଅପରାଧିକ ମାମଲା ରୁଜୁ କରିବା ସହିତ ମାଫିଆ ଓ ଦଲାଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଗଲେ ବୋରିଂପଦର ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଆଜି ଲାଞ୍ଜିଗଡ ରାଜସ୍ୱ ନିରୀକ୍ଷକ ବୋରିଂପଦର ତଦନ୍ତ ପାଇଁ ଯାଇଥିଲେ ହେଁ ମିଳିତ ତଦନ୍ତ କରାଯିବ ବୋଲି ଫେରି ଆସିଛନ୍ତି । ସୂଚନାଯୋଗ୍ୟ, ଲାଞ୍ଜିଗଡ ବ୍ଲକର କେବଳ ବାତେଲିମା ନୁହେଁ କାନକୁଟ୍ରୁ ଗ୍ରାମପଞ୍ଚାୟତର ପାଇକବୋରି, କନ୍ଧବୋରି, ଲାଞ୍ଜିଗଡରୋଡ ଗ୍ରାମପଞ୍ଚାୟତର କିଡିଙ୍ଗ, କାଉଗୁଡା, ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତର ମଧୁପୁର ଆଦି ଅଞ୍ଚଳରେ ମଧ୍ୟ ଆନ୍ଧ୍ର ଜମି ମାଫିଆମାନେ ସକ୍ରିୟ ଥିବାବେଳେ ସେମାନଙ୍କୁ ପ୍ରଶାସନ ସହାୟତା ଦେଉଥିବାରୁ ସେମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି ବୋଲି ଅଭିଯୋଗ ହେଉଛି । ଏଣୁ ଏପରି ପରିସ୍ଥିତି ଯୋଗୁଁ ଆନ୍ଧ୍ର ଜମି ମାଫିଆମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଏକ ବିରାଟ ଧରଣର ଜନ ଆନ୍ଦୋଳନକୁ ଏଡାଇ ଦିଆଯାଇନପାରେ ବୋଲି ଅଞ୍ଚଳରେ ଆଲୋଚନା ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.