ନିୟୋଜିତ ହୋଇଛନ୍ତି ଅନ୍ୟ ପଞ୍ଚାୟତର ଶିଶୁ ଶ୍ରମିକ, ସ୍ଥାନୀୟ ଶ୍ରମିକଙ୍କୁ ଅଣଦେଖା
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର କଛାରପଡା ଅଣ୍ଟାଲ୍ ଜୋର ଠାରେ ମନରେଗା ଯୋଜନାରେ ଚାଲିଥିବା ଚେକ୍ ଡ୍ୟାମ୍ କାମ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଚାଲିଥିବା ନେଇ ଅଭିଯୋଗ ହେଉଛି । ଯାହା ଫଳରେ କାର୍ଯ୍ୟର ସ୍ଥାୟୀତ୍ୱକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ୫ ଲକ୍ଷ ଟଙ୍କା ରହିଥିବାବେଳେ କାର୍ଯ୍ୟ ଆରମ୍ଭ ତାରିଖ ମଧ୍ୟ ଫଳକରେ ସୂଚନା ଦିଆଯାଇ ନାହିଁ । କାର୍ଯ୍ୟକୁ ବିଭାଗୀୟ ଦର୍ଶା ଯାଇଥିବାବେଳେ ଜୈନେକ ଠିକାଦାର କାର୍ଯ୍ୟ ସଂପାଦନା କରୁଥିବା ଜଣାପଡିଛି । ଅନ୍ୟପଟେ ସ୍ଥାନୀୟ ଶ୍ରମିକଙ୍କୁ କାମରେ ନ ଲଗାଇ ଲଡୁଗାଁ ଅଞ୍ଚଳର ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ତେବେ ସ୍ଥାନୀୟ ଅଞ୍ଚଳର ଶ୍ରମିକଙ୍କୁ ନିୟୋଜିତ କରାଯାଇ ନଥିବାରୁ ଶ୍ରମିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ କାର୍ଯ୍ୟରେ ନିୟୋଜିତ ଅଧିକ ଶ୍ରମିକ ଶିଶୁ ଶ୍ରମିକ ରହିଛନ୍ତି । ତେବେ ମନରେଗା ଯୋଜନାରେ ଚାଲିଥିବା ଏହି କାର୍ଯ୍ୟରେ ଜବ କାର୍ଡ ଧାରୀ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ପାରିଶ୍ରମିକ ପାଉଣା ଯିବାକୁ ନିୟମ ରହିଥିବା ବେଳେ ଏଠାରେ ନିୟୋଜିୟ ଥିବା ଅନ୍ୟ ପଞ୍ଚାୟତର ଶିଶୁ ଶ୍ରମିକ କିପରି ପାରିଶ୍ରମିକ ପାଉଣା ପାଇବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ପରିକି ଶିଶୁ ଶ୍ରମିକଙ୍କୁ ଅଧିକ ପରିଶ୍ରମ କରାଇ କମ ପାଉଣା ଦେଇ ଠିକାଦାର ଜଣକ ମାଲେମାଲ ହେବାକୁ ଯୋଜନା ରଖିଥିବା ମଧ୍ୟ ଆଲେଚାନା ହେଉଛି । ଏଣେ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାରଦାର ଜଣକ ମନଇଚ୍ଛା କାମ କରିଚାଲୁଥିବା ବେଳେ ହାତ ତିଆରି ଚିପସ୍, ମେଟାଲ ବ୍ୟବହାର କରୁଥିବା ଦେଖିବାକୁ ମିଲିଛି । ଫଳରେ କାର୍ଯ୍ୟର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି । ଏ ନେଇ କୋକସରା ବ୍ଲକ ଦାୟୀତ୍ୱରେ ଥିବା ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନଙ୍କ ମତାମତ ନେବାରୁ କ’ଣ ହୋଇଛି ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ।