ବିହନ ଧରା ଉତ୍ସବ ସହିତ ଆରମ୍ଭ ହେଲା ଆଦିବାସୀଙ୍କ ଚୈତ୍ର ପରବ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଏକ ଆଦିବାସୀ ବହୁଳ ଜିଲ୍ଲା ଭାବେ ସର୍ବତ୍ର ଜଣାଶୁଣା । ଏହି ଜିଲ୍ଲାରେ ଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଭିନ୍ନଭିନ୍ନ ଉତ୍ସବ ଓ ବିଭିନ୍ନ ସମୟରେ ପାଳିତ ହେଉଥିବା ସମାନ ଉତ୍ସବ ଜିଲ୍ଲାରେ ଆଦିବାସୀ ପରମ୍ପରାକୁ ଏକ ନୂତନ ପରିଚୟ ପ୍ରଦାନ କରିଛି । ଜିଲ୍ଲାର କୋରାପୁଟ, ପଟ୍ଟାଙ୍ଗି, ଲମତାପୁଟ ପ୍ରଭୃତି ଅଞ୍ଚଳରେ ଅନେକ ଆଦିବାସୀ ପରିବାର ଚୈତ୍ର ପର୍ବ ଆରମ୍ଭ କରିବା ହେଉ ବା ବେଣ୍ଟକୁ ଯିବା କାର୍ଯ୍ୟ, ଶୁଭାରମ୍ଭ କରିଥିବାବେଳେ ଦିଶାରୀଙ୍କ ଦ୍ବାରା ଘୋଷଣା ହେବା ସହିତ ପାରମ୍ପରିକ ବିହନ ଧରା ଉତ୍ସବ ପାଳନ କରିଛନ୍ତି । ଗ୍ରାମର ଆଦିବାସୀ ଚାଷୀ ପାହାଡ଼ ଡଙ୍ଗରରେ ବୁଣିବା ପାଇଁ ଘରେ ସଞ୍ଚୟ କରି ରଖିଥିବା ବିହନକୁ ଶ୍ରଦ୍ଧାର ସହ ଗାଁ ନିଶାଣି ମୁଣ୍ଡାକୁ ଆଣି ଗ୍ରାମ ଦେବୀଙ୍କ ପାଖରେ ସମର୍ପିତ କରିଛନ୍ତି । ଗାଁ ଦିଶାରୀ ଗ୍ରାମଦେବୀଙ୍କୁ ନିଶାଣୀ ମୁଣ୍ଡା ଠାରେ ପୂଜାର୍ଚ୍ଚନା କରି ଗାଁର ମହିଳା ଆଣିଥିବା ଧାନକୁ ସ୍ପର୍ଶ କରି ପୁଣିଥରେ ତାଙ୍କରି ହାତରେ ଢାଳି ଦେଇଥିଲେ । ଦିଶାରୀଙ୍କ ହାତର ସ୍ପର୍ଶ ପାଇଥିବା ଏହି ବିହନକୁ ଘରେ ସାଇତି ରଖିଥିବା ବିହନ ସହିତ ମିଶାଇଦେଇ ଡଙ୍ଗର ପାହାଡରେ ବୁଣିଲେ ଚାଷବାସ ଭଲ ହୁଏ ବୋଲି ଲୋକଙ୍କ ମନରେ ବିଶ୍ବାସ ରହିଛି ।ଆଦିବାସୀ ପରମ୍ପରା ଅନୁଯାୟୀ ଗ୍ରାମଦେବୀଙ୍କ ନିକଟରେ ଏହି ଉତ୍ସବ ପାଳନ ହେବା ପରେ ଗାଁର ଯୁବକମାନେ ପ୍ରଥମେ ଟିଙ୍ଗିରି ବେଣ୍ଟ ଓ ପରେ ପରେ ବଡ଼ ବେଣ୍ଟକୁ ବାହାରିଯାଆନ୍ତି ବୋଲି ଜଣାଇଛନ୍ତି । ଏହି ସମୟରେ ଗାଁର ମହିଳା ଓ ଯୁବତୀ ପରିବାରର ପୁରୁଷ ସଦସ୍ୟଙ୍କୁ ବେଣ୍ଟ ମେଲାଣି ଦେବା ପାଇଁ ପାରମ୍ପରିକ ଗୀତ ଗାଇ ଉତ୍ସାହିତ କରିଥାନ୍ତି । ତେବେ ବର୍ତ୍ତମାନ ସରକାର ପଶୁ ଶିକାରକୁ ବାରଣ କରିଥିବା ଯୋଗୁଁ ବେଣ୍ଟ ଓ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରତୀକାତ୍ମକ ଭାବେ ପାଳନ କରି ଉତ୍ସବର ପରିସମାପ୍ତି ଘଟାଉଥିବା ଗ୍ରାମବାସୀ ଜଣାଇଛନ୍ତି । ପୂର୍ବେ ଏହି ବେଣ୍ଟ ୧୫ରୁ ୨୦ ଦିନ ଚାଲୁରହୁଥିବା ବେଳେ ଏବେ ଯୁବ ପିଢ଼ିଙ୍କ ବିଭିନ୍ନ କାର୍ଯ୍ୟ ବ୍ୟସ୍ତତାକୁ ଦେଖି ଏହି ଉତ୍ସବର ଅବଧିକୁ ମଧ୍ୟ କିଛି ମାତ୍ରାରେ କମାଇ ଦିଆଯାଇଛି ବୋଲି ସେମାନେ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.