ସର୍ବ ଅନୁକୂଳର ପର୍ବ ଅକ୍ଷୟ ତୃତୀୟା

ଅକ୍ଷୟ ଶବ୍ଦର ଅର୍ଥ ଯାହା କେବେ କ୍ଷୟହୁଏ ନାହିଁ। ତେଣୁ ଏହି ଦିନ ଧନଧାନ୍ୟ, ହସ, ଉଲ୍ଲାସ, ଶାନ୍ତି ଓ ବିଶ୍ୱାସର କ୍ଷୟ ନହୋଇ ବରଂ ବୃଦ୍ଧି ଘଟିଥାଏ ବୋଲି ଲୋକବିଶ୍ୱାସ ରହିଛି। ଏହି ଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ଆଦି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ। ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯାଇଥାଏ। ଜ୍ୟୋତିର୍ବିଦ୍ୟା ସହ ଭାରତୀୟ କୃଷି ସଂସ୍କୃତିର ଅଭିନ୍ନ ସଂପର୍କ ଥିବାରୁ ବୈଶାଖ ଶୁକ୍ଲ ତୃତୀୟା ତିଥିରେ ଅକ୍ଷୀମୁଠି ଆରମ୍ଭ କରାଯାଇଥାଏ।

Omkar Vasthu
Omkar Vasthu

ପୌରାଣିକ ଆଖ୍ୟାନ ଅନୁସାରେ ବୈଶାଖ ଶୁକ୍ଲ ତୃତୀୟା ଦିନ ଦେବୀ ଅନ୍ନପୂର୍ଣ୍ଣାଙ୍କ ଜନ୍ମ ହୋଇଥିଲା। ବୈଶାଖ ଶୁକ୍ଲ ତୃତୀୟା ତିଥି ଅକ୍ଷୟ ତୃତୀୟା ଭାବେ ପରିଚିତ। ଏହି ଦିନ ଠାରୁ ସତ୍ୟ ଓ ତ୍ରେତୟା ଯୁଗରେ ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି। ବ୍ୟାସଦେବ ଓ ଶ୍ରୀ ଗଣେଶ ଏହି ଦିନଠୁ ମହାଭାରତ ରଚନା ଆରମ୍ଭ କରିଥିଲେ। ଦେବଦେବ ମହାଦେବଙ୍କୁ ପ୍ରାର୍ଥନା କରି କୁବେର ଏହି ଦିନଠାରୁ ଧନର ଦେବତା ଭାବେ ସ୍ବୀକୃତ ତଥା ଅଧିକାର ପ୍ରାପ୍ତ ହୋଇଥିଲେ। ଦ୍ବାପର ଯୁଗରେ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି ଦିନ ଅକ୍ଷୟ ପାତ୍ର ପ୍ରାପ୍ତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏପରି ଅନେକ ଧାର୍ମିକ ଭାବନା ଓ ବିଶ୍ବାସ ଅକ୍ଷୟ ତୃତୀୟା ସହ ଯୋଡିହୋଇ ରହିଛି। ଏହି ଦିନରେ ଆରମ୍ଭ ହୋଇଥିବା କାର୍ଯ୍ୟ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଏଡାଇ ଭାଗ୍ୟ ଅନୁକୂଳ ଫଳ ଦେଉଥିବା ବିଶ୍ବାସ ରହିଛି। କୃଷିଜୀବୀମାନଙ୍କ ପାଇଁ ଏହା ଏକ ପବିତ୍ର ଦିବସ। ଏହି ଦିନକୁ ଚାଷୀ ବଡ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାଏ।

ନିଜ ଘରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ସ୍ତ୍ରୀ ହାତରୁ ବିହନପୂର୍ଣ୍ଣ ନୂଆ ଟୋକେଇ ଓ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଇଥାଏ ଚାଷୀ। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଧୂପ ଦୀପ ଦେଇ ଅମୃତବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ। କୃଷିକ୍ଷେତ୍ରରେ ମୁଠାମୁଠା ବିହନ ବୁଣିବା ସହ ଈଶାଣ କୋଣରେ ବଳକା ଧାନକୁ ପୋତି ହଳ ବୁଲାଏ ଚାଷୀ। ଏହାକୁ ଅକ୍ଷୀମୁଠି କୁହନ୍ତି।

ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ କାଠ ଅନୁକୂଳ କରାଯାଏ। ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି। ତିନି ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଏ। ରୂପକାର, କମାର, ଚିତ୍ରକର, ଭୋଇ, ଅମୀନ ସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳନ କରାଯାଏ। ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ଏହା ସହିତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ।

ଏହିଦିନ ସମ୍ବଲପୁରରେ ଶୀତଳଶଷ୍ଠୀ ଯାତ୍ରାର ଶୁଭାରମ୍ଭ ହୁଏ। ବଳଦେବଜୀଉ ମନ୍ଦିରରେ କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମଙ୍କର ରେବତୀଙ୍କ ସହ ବିବାହୋତ୍ସବ ଅନୁଷ୍ଠିତ ହୁଏ। ପର୍ଶୁରାମ ଓ ଜୟଦେବଙ୍କ ଜୟନ୍ତୀ ପାଳନ ହୁଏ। ବଦ୍ରୀନାଥ ଧାମ ଏହି ଦିନ ଖୋଲାଯିବା ବିଧି ରହିଛି।

ଏହି ଦିନ ଜଳଦାନ କଲେ ପୁଣ୍ୟଫଳ ମିଳେ ବୋଲି ଲୋକକଥା ରହିଛି। ଜଣେ ପାପୀ ବ୍ୟକ୍ତି ଥିଲା। ସେ ତା’ ଜୀବନରେ କିଛି ଦାନ ଧର୍ମ କାର୍ଯ୍ୟ କରି ନଥିଲା। ଥରେ ତା’ ଗୃହକୁ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳ ଭିକ୍ଷା କଲେ। ପାପୀ ବ୍ୟକ୍ତିଟି ତାଙ୍କୁ ଜଳ ନଦେଇ କଟୁ କଥା କରି ବିତାଡ଼ିତ କରୁଥିବା ସମୟରେ ତାଙ୍କ ସ୍ତ୍ରୀ ସୁଶିଳା ସ୍ବାମୀଙ୍କୁ ବାଧା ଦେଇଥିଲେ। ସୁଶିଳା ତୃଷାର୍ତ୍ତ ବ୍ରାହ୍ମଣଙ୍କୁ ଜଳଦାନ କଲେ। କିଛି ବର୍ଷ ପରେ ପାପୀ ବ୍ୟକ୍ତିଟିର ମୃତ୍ୟୁ ହୋଇଯାଏ। ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲା। ଯମଦୂତମାନେ ତାକୁ ତିରସ୍କାର କରିଥିଲେ। ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ୟକ୍ତିକୁ ଜଳଦାନ କଲେ। ଦୂତମାନେ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ ଯେ ଏହି ବ୍ୟକ୍ତି ସାରା ଜୀବନ ପାପକର୍ମ କରିଥିଲେ ମଧ୍ୟ ଅକ୍ଷୟ ତୃତୀୟା ଦିନ ତାଙ୍କ ପତ୍ନୀ ତୃଷାର୍ତ୍ତ ବ୍ରାହ୍ମଣଙ୍କୁ ଜଳଦାନ କରିଥିଲେ। ପତ୍ନୀଙ୍କ ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି। ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ।

ଉପସ୍ଥାପନା:

ସୁନୀଲ କୁମାର ଧଙ୍ଗଡାମାଝୀ

ସଂପାଦକ, ଓଡ଼ିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.