ରାସ୍ତା ଓ ପାନୀୟ ଜଳ ସମସ୍ୟାରେ ଜର୍ଜରିତ ରାୟଗଡା ବ୍ଳକ କୁଡିଙ୍ଗଗୁଡା ଗାଁ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆମ ଗ୍ରାମରେ ପାନୀୟ ଜଳର ସୁବ୍ୟବସ୍ଥା ସହ ଝଂଜାବତୀ ନଦୀରେ ବ୍ରିଜ ନିର୍ମାଣ କରି ପ୍ରତିଦିନ ଯାତାୟାତ ସମସ୍ୟାରୁ ଉଦ୍ଧାର କର ବୋଲି କୁଡିଙ୍ଗଗୁଡା ଗ୍ରାମବାସୀଙ୍କ ଏପରି ନିବେଦନ । ତେବେ ଦୀର୍ଘ ଦିନ ଧରି ଲାଗି ରହିଥିବା ପାନୀୟ ଜଳ ସଙ୍କଟ ସଂପର୍କରେ ଗ୍ରାମବାସୀ ପଂଚାୟତ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ୟାକୁ ନେଇ ଅବଗତ କରାଇଥିଲେ ସୁଦ୍ଧା କିଛି ସୁଫଳ ମିଳିପାରି ନ ଥିବା କହିଛନ୍ତି ଗ୍ରାମବାସୀ । ରାୟଗଡା ଜିଲ୍ଳା ହାଲୁଆ ଗ୍ରାମ ପଂଚାୟତ ଅଧିନସ୍ଥ ଝଂଜାବତୀ ନଦୀ ଆରିପାରିରେ ରହିଛି କୁଡିଙ୍ଗଗୁଡା ଗ୍ରାମ । ଗାଁକୁ ଯିବା ପାଇଁ ପକ୍କା ରାସ୍ତାଟିଏ ନ ଥିବା ବେଳେ ବାଟ ଅଗାଳୁଛି ଝଂଜାବତୀ ନଦୀ । ଏହି ନଦୀ ତଟରେ ଚୁଆଁ କରି ଏହାର ଅପରିଷ୍କାର ପାଣି ପିଇ ମାସ ମାସ ଧରି ଦିନ କାଟୁଛନ୍ତି କୁଡିଙ୍ଗଗୁଡା ଗ୍ରାମବାସୀ ।
ରାୟଗଡା ଜିଲ୍ଳା ସଦର ମହକୁମା ଠାରୁ ମାତ୍ର ୮କିଲୋମିଟର ଦୂରରେ ଅବସ୍ଥିତ ଏହି କୁଡିଙ୍ଗଗୁଡା ଗ୍ରାମରେ ପାନୀୟ ଜଳ ସଙ୍କଟ ଓ ରାସ୍ତା ସମସ୍ୟା ପ୍ରଶାସନର ବିକାଶମୂଳକ କାର୍ଯ୍ୟର ଏକ ଅଧପନ୍ତରିଆ ବିକାଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ରାସ୍ତା ନ ଥିବା ବେଳେ ଚଳିତ ଗ୍ରୀଷ୍ମ ପ୍ରବାହର ପ୍ରଚଣ୍ଡ ଖରା ସାଙ୍ଗକୁ ପିଇବା ପାଣିର ସଙ୍କଟ ଜର୍ଜରିତ କରିଛି କୁଡିଙ୍ଗଗୁଡା ଗ୍ରାମବାସୀଙ୍କୁ । ଗାଁରେ ଥିବା ଦୁଇଟି ନୂଳକୂପ ମଧ୍ୟରୁ ଗୋଟିଏରେ ଦୁର୍ଗନ୍ଧ ଲୁହା ଗନ୍ଧ ପାଣି ବାହାରୁଛି ତ କେଉଁଠି ଅଚଳ ହୋଇପଡିଛି ଆଉ ଗୋଟିଏ ନଳକୂପ । ସେହିପରି ଫେଲ୍ ମାରିଛି ସୋଲାର ବ୍ୟବସ୍ଥା । ଫଳରେ ରାୟଗଡା ବ୍ଳକ ପ୍ରଶାସନର ନୀରବତା ଏମାନଙ୍କ ପାଇଁ ଆଣି ଦେଇଛି ଅଭିଶପ୍ତ ଜୀବନ ବଂଚିବାର ଅଭ୍ୟାସ । ଝଂଜାବତୀ ନଦୀରେ ଗାଧୋଇବା ଠାରୁ ଲୁଗାସଫା ସବୁ କରିଥାନ୍ତି ଗ୍ରାମବାସୀ ଏବଂ ଅପରିଷ୍କାର ନଦୀ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରି ଜ୍ୱର,କାଶ ସହ ଚର୍ମରୋଗରେ ଆକ୍ରାନ୍ତ ହେଉଥିବା ଗାଁର ମହିଳା ସୁକାନ୍ତି ଜାକାକା, ଦେଇ ଜାକାକା, ଲାଖ କଲାକା, ନେଲେଇ ଜାକାକା, ଦୂର ମିଣିଆକା, ସୂର୍ଯ୍ୟ ଜାକାକା ପ୍ରମୁଖ ଅଭିଯୋଗ କରିଛନ୍ତି ।
ଗାଁରେ ଥିବା ନଳକୂପ ଓ ସୋଲାର ପମ୍ପ ବ୍ୟବସ୍ଥା ଅଚଳ ହୋଇ ପଡିଥିବାରୁ ଚୁଆଁ ପାଣି ଭରସାରେ ଦିନ କାଟୁଛନ୍ତି କୁଡିଙ୍ଗଗୁଡା ଗ୍ରାମବାସୀ । ଗାଁକୁ ରାସ୍ତାଟିଏ ନ ଥିବାରୁ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି ଗ୍ରାମବାସୀ । ବର୍ଷା ଦିନ ଆସିଲେ ପ୍ରବାହିତ ଝଂଜାବତୀର ପ୍ରଖର ତ୍ସୋତକୁ ପାରି କରି ଯିବା ଏକ ପ୍ରକାର ସମ୍ଭବ ହୋଇ ପାରୁ ନ ଥିବା ବେଳେ ଗାଁ ପଛପଟ ଦେଇ ଯିବା ପାଇଁ ଥିବା ପାହାଡିଆ ରାସ୍ତାର ଶୋଚନୀୟ ଅବସ୍ଥା ଯାତାୟାତ ପାଇଁ ବାଧା ସୃଷ୍ଟି କରୁଛି । ଅନ୍ୟ ଉପାୟ ନ ପାଇ ବର୍ଷା ଦିନେ ଏକ ବିଚ୍ଛିନ୍ନାଂଚଳବାସୀ ଭାବେ ଦିନ କାଟୁଥିବା କହିଛନ୍ତି ଗ୍ରାମବାସୀ । କୁଡିଙ୍ଗଗୁଡା ଗ୍ରାମରେ ବସବାସ କରୁଛନ୍ତି ୩୦ରୁ ଉର୍ଦ୍ଧ ପରିବାର । ଚାଷ ଓ ଦିନ ମଜୁରିଆ ଉପରେ ନିର୍ଭର କରୁଥିବା ଏହି ୩୦ ପରିବାର ଲୋକେ ପାନୀୟ ଜଳ ସମସ୍ୟାକୁ ନେଇ ରାତି ପାହିଲେ ଚିନ୍ତାରେ ରହୁଛନ୍ତି । ସକାଳୁ ପୁଣି ପାଣି ପାଇଁ ଗାଁ ଠାରୁ ଦୀର୍ଘ ୧କିଲୋମିଟର ରାସ୍ତା ଯିବାକୁ ପଡିବ ।
ବ୍ଳକ ପ୍ରଶାସନ ତଥା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ନଳକୂପ କାମକୁ ଆସୁ ନ ଥିବା ବେଳେ ଥିବା ସୋଲାର ବ୍ୟବସ୍ଥା ମଧ୍ୟ କାମରେ ଆସୁନି । ତେବେ ଏ ନେଇ ହାଲୁଆ ଗ୍ରାମ ପଂଚାୟତର ନବ ନିର୍ବାଚିତ ସରପଂଚ ତାମାରାଓ ବିଡିକାଙ୍କୁ ପଚାରିବାରୁ ଯଥାଶୀଘ୍ର ଜଳ ସଙ୍କଟ ଦୂର କରିବା ପାଇଁ ବିଭାଗୀୟ କର୍ତୁପକ୍ଷଙ୍କ ଦୃଷ୍ଟି ଆର୍କଷଣ କରାଯାଇଛି ବୋଲି ପ୍ରକାଶ କରିଥିବା ବେଳେ ବିଭାଗୀୟ କର୍ତୁପକ୍ଷମାନଙ୍କ ସହ ଆଲୋଚନା କରି ଲାଗି ରହିଥିବା ମୁଖ୍ୟ ଏହି ଦୁଇଟି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବୁ ବୋଲି ବ୍ଳକ ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା ପ୍ରକାଶ କରିଛନ୍ତି ।
ଅପରପକ୍ଷେ ନଳକୂପ ମରାମତି ପାଇଁ ଲୋକ ପଠାଯିବ ଏବଂ ତୁରନ୍ତ କୁଡିଙ୍ଗଗୁଡା ଗ୍ରାମବାସୀଙ୍କୁ ପାଣି ଯୋଗାଇ ଦିଆଯିବ ବୋଲି ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଦୀପ୍ତି ପ୍ରକାଶ କରିଛନ୍ତି । ବାସ୍ତବରେ ଘରକୁ ଘର ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଓ ଜଳ ଜୀବନ ମିଶନ ଭଳି ଯୋଜନା କାହା ସ୍ୱାର୍ଥରେ କାର୍ଯ୍ୟକାରୀ ହେଉଛି କୁଡିଙ୍ଗଗୁଡା ଗ୍ରାମ ହେଉଛି ତାହାର ବାସ୍ତବ ଚିତ୍ର ।