କବିତା: ମଧ୍ୟବିତ୍ତ

✍🏼ମହାଶ୍ୱେତା ପାଣିଗ୍ରାହୀ

ଗରୀବ ନୁହେଁ ମୁଁ ନୁହେଁ ପୁଣି ଧନୀ
ଚଳଣି ମୋ ମଧ୍ୟବିତ୍ତ ,
ହାଡ଼ ଥାଇ ମାଂସ ଝଡି ଯିବ ଦେହୁ
କାହାଣୀ ମୋ ମର୍ମାହତ।

ବିମାତା ପୁତ୍ର ମୁଁ ସରକାରଙ୍କର
ବିପିଏଲ୍ ଯୋଜନା ହତ,
ଆଉ ବାକି ଯେତେ ଯୋଜନାରୁ ଆପେ
କଟିବା ମୋ ପାଇଁ ହିତ।

ଦିନଟେ ବଞ୍ଚିଲେ ଲାଗେ ଯୁଗ ପରି
ନିଅଣ୍ଟିଆ ଜୀବନ ଏ ତ’,
ପାଦ ଲମ୍ବିଯାଏ ଚାଦର ପାଏନି
ଆଶା ପରା ଅପ୍ରମିତ।

ଆଶା ଯେତେ ମୋର ଆକାଶର ଜହ୍ନ
ସପନ ଭଳି ସେ ମିତ,
ରାତି ସରିଯାଏ ସ୍ବପ୍ନ ଲିଭି ଯାଏ
ଅଧା ରହିଯାଏ ଗୀତ।

ଅନ୍ଧକୁ ସୌନ୍ଦର୍ଯ୍ୟ କି କାମରେ କୁହ
ବଧିରକୁ ଭାଗବତ,
ବାରମାସ ମୋର କଣ୍ଟି କଣ୍ଟି କଟେ
ଖରା, ବର୍ଷା ଅବା ଶୀତ।

ଦୁନିଆ ଚଲାଏ ଧନୀ ଲୋକ ଜାଣ
ହାତରେ ଯାହାର ବିତ୍ତ,
ଗରୀବକୁ ପୋଷେ ଆମ ସରକାର
ଗରୀବ ହୁଅନ୍ତି ପ୍ରୀତ।

କାହାର ସାଧ୍ୟ ଯେ ବୁଝି ପାରିବ ଏ
ମୁଁ ଯେଉଁ ଶ୍ରେଣୀ ଭୂକ୍ତ,
ନାହିଁ ଅଧିକାର କି ଅବା ଜୋଅର୍
କହି ବି ନ ପାରେ ସତ।

ଦିଅଁଙ୍କୁ ପ୍ରସାଦ ଚଢାଇଲା ବେଳେ
ପ୍ରଥମ ଧାଡିରେ ମୁଁ ତ,
ସେହି ଦିଅଁ କୁଣ୍ଠା ଆଶିଷ ଦେବାକୁ
ଆଦାୟର ମୁଁ ଯେ ସ୍ରୋତ।

ଶୈଶବ ଅଜ୍ଞାତ କଟିଗଲା ଯାହା
ଯଉବନ ବିଳମ୍ବିତ,
ବାର୍ଦ୍ଧକ୍ୟରେ କିବା ହେବ ପ୍ରୟୋଜନ
ଶେଷ ଘଣ୍ଟା ଉପନୀତ।

ମୃତ୍ୟୁ ଉପରାନ୍ତେ ଯମ ଯନ୍ତ୍ରଣାକୁ
ଭାଳେ ନାହିଁ ମୋର ଚିତ୍ତ,
ସରଗ ସୁଖର ପ୍ରାପ୍ତି ଲୋଡା ନାହିଁ
ଜୀବନ ଏ ଅଯାଚିତ।

ଜ୍ଞାତ ଥାଇ ଏଠି ଅଜ୍ଞାତ ସବୁ
ନିର୍ଭୟରେ ଭୟଭୀତ,
ରାଜ ଗୋଜାଙ୍କୁ ବା କିଏ ବୁଝାଇବ
ସାହା ସେଇ ଜଗନ୍ନାଥ।

ସାଇ ପ୍ରିୟା ନଗର
ରାୟଗଡ଼ା
ମୋ: ୭୦୦୮୧୯୨୪୫୩

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.