ଉଦଘାଟନ ଫଳକ ଭାଙ୍ଗିଦେଲେ ଅସନ୍ତୋଷ ଗୋଷ୍ଠି
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଳା ସଦର ବ୍ଳକ ଡାଙ୍ଗଲୋଡି ଗ୍ରାମ ପଂଚାୟତର ଦୁର୍ଗମ ଅଂଚଳରେ ପଂହଚିଲା ନେଟୱାର୍କ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୋବାଇଲ ଟାୱାରର ଉଦଘାଟନ କରିଥିବା ବେଳେ ଉଦଘାଟନର କିଛି ସମୟ ମଧ୍ୟରେ ମନ୍ତ୍ରୀ ଯିବା ପରେ କେହି ଅସନ୍ତୋଷ ଗୋଷ୍ଠୀ ଭାଙ୍ଗି ଦେଇଗଲେ ଉଦଘାଟନ ଫଳକ ।
କଂଗ୍ରେସ ନେତା, ସାଂସଦ ମୋବାଇଲ ଟାୱାର ନିମନ୍ତେ ସଂସଦରେ ଦାବି ଉଠାଉଥିବା ବେଳେ ବିଜେଡି ନେତା, ମନ୍ତ୍ରୀ ଆସି ଦଳୀୟ କାର୍ଯ୍ୟକ୍ରମ ଭଳି ମୋବାଇଲ ଟାୱାର ଉଦଘାଟନ କରୁଥିବାରୁ କିଛି ଅସନ୍ତୋଷ ଗୋଷ୍ଠୀ ଉଦଘାଟନ ଫଳକକୁ ଭାଙ୍ଗି ଦେଇ ଚାଲି ଯାଇଥିବା ଅଂଚଳରେ ଚର୍ଚ୍ଚା ହେଉଛି । ଫଳକ ଭଙ୍ଗା ଘଟଣାକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅଂଚଳବାସୀ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି ।
ରାୟଗଡା ଜିଲ୍ଳା ସଦର ବ୍ଳକ ଡାଙ୍ଗଲୋଡି, କାରୁବାଇ, ପିପଲଗୁଡା, ମିରାବାଲି, ସାନ୍ଧୁବାଡି, ଦୁର୍ଗପାଡୁ ଆଦି ଗ୍ରାମ ପଂଚାୟତରେ ଦଶନ୍ଧି ଧରି ମୋବାଇଲ ନେଟୱାର୍କ ବ୍ୟବସ୍ଥା ନଥିବାରୁ ଏଠାକାର ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଶେଷ କରି ଜରୁରୀକାଳନୀ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ୧୦୮, ୧୦୨ଭଳି ଆମ୍ବୁଲାନ୍ସ ସେବାରୁ ବଂଚିତ ହେଉଥିବା ବେଳେ ବ୍ୟାଙ୍କ ସେବା, ଅନଲାଇନ ପାଠପଢା ସହ ଅନ୍ୟ ନେଟୱାର୍କିଂ ବ୍ୟବସ୍ଥାରୁ ବାଦ ପଡୁଥିଲେ ଏହି ପଂଚାୟତବାସୀ ।
ଏମାନଙ୍କର ଦୀର୍ଘ ଦିନର ଦାବିକୁ ନେଇ ରାୟଗଡା ଜିଲ୍ଳା ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଅନେକ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ମୋବାଇଲ ଟାୱାର ନିର୍ମାଣ ପାଇଁ ଦାବି ଉପସ୍ଥାପନା କରାଯାଇଥିଲା । ତେବେ ଜିଓ କମ୍ପାନୀ ପକ୍ଷରୁ ଡାଙ୍ଗଲୋଡି ପଂଚାୟତର ପେନିକଣା ଠାରେ ମୋବାଇଲ ଟାୱାର ନିର୍ମାଣ କରାଯାଇଥିଲା । ଯଥାଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଂଚଳବାସୀ ଦାବି କରିବା ପରେ ଆଜି ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ କରକମଳରେ ଏହି ଟାୱାରର ଉଦଘାଟନ କରାଯାଇଥିଲା ।
ଡାଙ୍ଗଲୋଡି, ପେନିକଣା ସମେତ ଆଖପାଖର ୧୨ଖଣ୍ଡ ଗ୍ରାମର ଗ୍ରାମବାସୀ ବାଜା ବଜାଇ ମନ୍ତ୍ରୀଙ୍କ ସମେତ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା, ଜିଲ୍ଳା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପୁଲାକା, ରାୟଗଡା ଜିଲ୍ଳା ବିଜେଡି ମହିଳା ସଭାନେତ୍ରୀ ଅନୁସୂୟା ମାଝି, ଚନ୍ଦ୍ରକାନ୍ତ ସାମଲ, ଅମ୍ବିକା ବିଡିକା, ଆନନ୍ଦ ସାରକା, ଚକ୍ରଧର ବିଡିକା, ପି.ଗୈାରୀଶଙ୍କର ରାଓ, ଡାଙ୍ଗଲୋଡି ସରପଂଚ ଗଙ୍ଗାଧର କାଡ୍ରକା, ସମିତି ସଭ୍ୟ ଅଜିତ୍ ମାଣ୍ଡାଙ୍ଗି, ନାଏବ ସରପଂଚ ମାଟି କିଲକା ଓ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ ।
ଦୁର୍ଗମ ଅଂଚଳରେ ମୋବାଇଲ ଟାୱାର ଉଦଘାଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସାରକା ଯୋଗ ଦେଇ ଅଂଚଳବାସୀଙ୍କ ଦୀର୍ଘ ଦିନର ଦାବିକୁ ସରକାର ବିଳମ୍ବରେ ପୂରଣ କଲେ ମଧ୍ୟ ଅଂଚଳବାସୀଙ୍କ ପାଇଁ ଏହା ବହୁତ ଉପକାର ହେବ । ପୂର୍ବରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜିଲ୍ଳା ସଦର ମହକୁମାର ପ୍ରଶାସନିକ ଅଧିକାରୀ ତଥା ସ୍ଥାନୀୟ ପୋଲିସ ଥାନା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଯେଉଁ ଯୋଗାଯୋଗ ଅସୁବିଧା ରହିଥିଲା ବର୍ତମାନ ଟାୱାର କାର୍ଯ୍ୟକ୍ଷମ ହୋଇଥିବାରୁ ସମସ୍ୟାର ସମାଧାନ ହୋଇପାରିଛି ବୋଲି କହିଛନ୍ତି ।
ଆଜି ଠାରୁ ଟାୱାର କାର୍ଯ୍ୟକ୍ଷମ ହୋଇଥିବାରୁ ମୋବାଇଲରେ ନେଟୱାକ ସିଗନାଲ ଦେଖି ଖୁସିରେ ଗ୍ରାମବାସୀମାନେ ନାଚି ଉଠିଥିଲେ । ତେବେ ରାଜନୈତିକ ଫାଇଦା ଉଠାଇ ବିଜେଡି ଏହି ଉଦଘାଟନ କାର୍ଯ୍ୟକ୍ରମ କରିଥିବାରୁ କଂଗ୍ରେସର କିଛି ଲୋକେ ଉଦଘାଟନ ଫଳକ ଭାଙ୍ଗି ଦେଇଥିବା ଅଂଚଳରେ ଚର୍ଚ୍ଚା ହେଉଛି ।