ଓଡ଼ିଆ ବାର୍ତ୍ତା/ ରାୟପୁର: ଖ୍ରୀଷ୍ଟ ସମ୍ପ୍ରଦାୟର ଭଗବାନ ଯୀଶୁ ଜଣେ ହିନ୍ଦୁ । ସେ ପୁରୀରେ ତିନି ବର୍ଷ କଟାଇଥିଲେ। ପୁରୀ ଗୋବର୍ଦ୍ଧନ ପୀଠର ମୁଖ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏପରି କହିଛନ୍ତି । ଯାହା ବିବାଦୀୟ ହୋଇପଡ଼ିଛି । ଛତିଶଗଡ ରାଜଧାନୀ ରାୟପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଶ୍ଚଳାନନ୍ଦ ଶଙ୍କରାଚାର୍ଯ୍ୟ ଏପରି କହିଛନ୍ତି । ନିଜ ଦାବିକୁ ସତ ବୋଲି ପ୍ରମାଣିତ କରିବା ପାଇଁ କିଛି ଯୁକ୍ତି ସେ ରଖିଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଯୀଶୁ ଭାରତରେ ୧୦ ବର୍ଷ କଟାଇଥିଲେ । ବାଇବେଲରେ ଯୀଶୁ ୧୦ ବର୍ଷ ଅଜ୍ଞାତବାସରେ ଥିଲେ । ସେ କେଉଁଠି ଥିଲେ ଉଲ୍ଲେଖ ନାହିଁ । ଏହି ସମୟରେ ସେ ଭାରତରେ ଥିଲେ । ଏହି ୧୦ ବର୍ଷ ମଧ୍ୟରୁ ସେ ପୁରୀରେ ୩ ବର୍ଷ କଟାଇଥିଲେ । ଏହି ସମୟରେ ସେ ତତ୍କାଳୀନ ଶଙ୍କରାଚାର୍ଯ୍ୟଙ୍କଠାରୁ ଆଧ୍ୟାତ୍ମିକ ତାଲିମ ନେଇଥିଲେ । ଆଉ ଯୀଶୁ ଜଣେ ବୈଷ୍ଣବ ଭକ୍ତ ଥିଲେ । ତେଣୁ ସେ ହିନ୍ଦୁ । ଏହାପରେ ସେ କହିଥିଲେ, ଏବେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି ।