ଭାରତୀୟ ସଂସ୍କୃତି ପରଂପରାକୁ ଯାଦବ ଜାତିର ଅବଦାନ ଅତୁଳନୀୟ । ଅତିତର ଏକ ଗୌରବମୟ ସଂସ୍କୃତିର ସଂରକ୍ଷକ ଭାବେ ଏମାନେ ସାରା ଦେଶରେ ସୁପରିଚିତ । ଯାଦବ ଏପରି ଏକ ଜାତି ଯାହାଙ୍କ ଲିଖିତ ଇତିହାସ ରହିଛି । ବେଦ ଠାରୁ ପୁରାଣ, ଉପପୁରାଣ ଯାଏ ଯାଦବଙ୍କ ଗାଥା ଦୃଷ୍ଟିଗୋଚର ହୁଏ । ଯାଦବଙ୍କ ବଂଶ ଲିତା ମଧ୍ୟରେ ମଗଧା ଯାଦବ ମାନେ ଅନ୍ୟତମ । ଓଡିଶାରେ ଗୋପପୁରିଆ, ମଧୁପୁରିଆ, ମଗଧା, ନନ୍ଦ, କୋସଲିଆ, ଦୂଦକୁଁରିଆ, ଆପଟ, ଝରିଆ ଆଦି ବିଭିନ୍ନ ବର୍ଗର ଯାଦବଙ୍କ ମଧ୍ୟରୁ ମଗଧା ମାନେ ପଶ୍ଚିମ ଓଡିଶାରେ ବହୁଳ ଭାବେ ଦେଖାଯାଆନ୍ତି । କେଉଁ ଏକ ଅନାଦି କାଳରୁ ଏହି ଅଞ୍ଚଳରେ ବସବାସ କରୁଥିବା ମଗଧା ଯାଦବ ମାନେ ଏକ ସମୃଦ୍ଧ ପରଂପରାର ସ୍ବାକ୍ଷର ବହନକରି ସମସ୍ତ ଜାତି ସହ ଉତ୍ତମ ସଂପର୍କ ରକ୍ଷାକରି ଶାନ୍ତିର ସହ ସହବସ୍ଥାନ କରିଥାନ୍ତି ।
ମଗଧା ଯାଦବଙ୍କ ୧୨୦ ବଂଶ ମଧ୍ୟରୁ ‘ସୁନାନୀ’ ମାନେ ଅନ୍ୟତମ । ସୁନାନୀଙ୍କ ଦୂଧଭାଇ ବକୁଲ୍ ବଂଶ । ସୁନାନୀ ଓ ବକୁଲ୍ ବଂଶ ଭିତରେ ବୈବାହିକ ସଂପର୍କ ହୋଇନଥାଏ । କିନ୍ତୁ ବାଗ, ନାଗ, କରୁଆଁ, ବନ୍ଦିଛୋଡ, ମଠାଲି, ଦୀପ, ବଗର୍ତ୍ତି, ବଛା, ଜାଲ, ଛତର, ହାତୀ, ମଣିହିରା, ସଗରିଆ, ଅଦା, ଭୋରାସଗରିଆ, ପୋଢ, ଚେଦୀ, ଚେଚି, ଛତ୍ରିଆ, ମହାଜାଲ, ଥପା, ଚିନାଗୁନ୍, ପରୁଆଁ, ଚନ୍ଦନ, ଖୁଣ୍ଟଲା, କବାଟ, କଟା, ଚଣ୍ଡି, ଘି, ପାୟାସିଂ ଆଦି ସମସ୍ତ ବର୍ଗ ସହ ସୁନାନୀ ମାନେ ବୈବାହିକ ସଂପର୍କ ସ୍ଥାପନ କରିଥାନ୍ତି ।
(କ୍ଲିକ କରି ଦେଖନ୍ତୁ ଭିଡ଼ିଓ 👆। ସୌଜନ୍ୟ DSA)
ସାମାଜିକ ସ୍ଥରରେ ସୁନୀନୀ ବଂଶ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସଂପାଦନ କରିଥାନ୍ତି । ସମସ୍ତ ବଂଶର ମଗଧା ଯାଦବ ମାନଙ୍କ ଉପାସନା ପଦ୍ଧତ୍ତି ଏକ ପ୍ରକାର ହୋଇଥିବାବେଳେ ସ୍ଥାନାନୁପାତ ଓ ଅଞ୍ଚଳଭିତ୍ତିରେ ଏଥିରେ ସାମାନ୍ୟ ଭିନ୍ନତା ପରିଳକ୍ଷିତ ହୁଏ । ସୁନାନୀ ମାନେ ନବାର୍ଣ୍ଣ, ଦିପାବଳୀ, ଚୈତ୍ରିଆ ଆଦି ମୂଖ୍ୟ ପର୍ବ ଭାବେ ପାଳନ କରିଥାନ୍ତି । ତେବେ ଚୈତ୍ରିଆ ପର୍ବ ସୁନାନୀ ବଂଶର ପୌରହିତ୍ୟରେ ସାମାଜିକ ସଂହତିର ପର୍ବ ଭାବେ ଦେବଗିରି-ବୁଢିପଦର ଠାରେ ପାଳିତ ହୁଏ । ସୁନାନୀ ଯାଦବଙ୍କ ଦ୍ବାରା ବିଭିନ୍ନ ଦେବାଦେବୀ ଉପାସନା କରାଯାଉଥିବା ବେଳେ ବାବୁରା ଦେବତା ଗ୍ରାମ୍ୟ ଭ୍ରମଣ କରି ସମସ୍ତଙ୍କ ଦୂଃଖ ସୁଖ ବୁଝିବା ସହ ସମସ୍ୟା ସବୁର ସମାଧାନର ମାର୍ଗ ଦର୍ଶନ ଦେଇଥାନ୍ତି ।
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଦେବଗିରି ଏହ ବୃହତ ଅଞ୍ଚଳ । ପ୍ରାଚୀନ ମହାକାନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ପ୍ରତିରକ୍ଷା ଘାଟି ସହ ସାଂସ୍କୃତିକ କେନ୍ଦ୍ର ଭାବେ ସୁପରିଚିତ ଦେବଗିରି ଖ୍ରୀ:ପୂ: ପଞ୍ଚମ ଶତାବ୍ଦୀ ଠାରୁ ଖ୍ରୀ:ବ୍ଦ ପଞ୍ଚମ ଶତାବ୍ଦୀ ନର୍ଯ୍ୟନ୍ତ ଗତିଶିଳ ଥିବା ଐତିହାସିକ ପ୍ରମାଣ ମିଳିଥାଏ । ଏକଥା ଏହି ସଂଦର୍ଭରେ ଉଲ୍ଲେଖ କରିବା ଉଦ୍ଦେଷ୍ୟ ହେଉଛି ସେହି ସମୟରେ ଅରଣ୍ୟବାସୀ ସମାଜରେ ମଧ୍ୟ ଯାଦବ ଜାତିର ଗୁରୁତ୍ବ ରହିଥିଲା ।
କେଉଁଏକ ସ୍ମରଣାତିତ କାଳରୁ ଏହି ଯାଦବ ମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇ ଆସୁଥିବା ବାଡିଖେଳ ଆଜି ମଧ୍ୟ ପରଂପରା ଅନୁକ୍ରମରେ ବଞ୍ଚିରହିଛି । ବିଭିନ୍ନ ସାଂସ୍କୃତିକ ଓ ଧାର୍ମିକ ଧାରା ଆଜି ପର୍ଯ୍ୟନ୍ତ ମଧ୍ୟ ପାରଂପରା କ୍ରମରେ ଅନୁଶୃତ ହୋଇ ଜନମାନସର ଧାରାରେ ପ୍ରାଚୀନ ବିଧି ବିଧାନ, ଧର୍ମ ଓ ଉପାସନା ପଦ୍ଧତ୍ତ୍ତିକୁ ମନେ ପକାଇଦିଏ । ଏହି ଅଞ୍ଚଳରେ ଅନ୍ୟାନ୍ୟ ସଂପ୍ରଦାୟ ମଧ୍ୟରେ ବି ଚୈତ୍ର ପର୍ବ ଅନୁଷ୍ଠିତ ହୁଏ କିନ୍ତୁ ମଗଧା ଯାଦବଙ୍କ ସୁନାନୀ ବଂଶର ଇଷ୍ଟଦେବତା ବାବୁରାଙ୍କ ନଗର ଭ୍ରମଣ ନିଜର ସ୍ବାତନ୍ତ୍ରତା ପ୍ରତିପାଦନ କରିଥାଏ ।
ବୁଢୀପଦରର ସୁନାନୀ ବଂଶର ଦାୟାଦ ମାନେ ତାଙ୍କର ଜାତି ଭାଇ ମାନଙ୍କୁ ଚୈତ୍ର ପର୍ବ ଦେଖିବା ପାଇଁ ଆମନ୍ତ୍ରଣ କରିଖାନ୍ତି । ପୂର୍ବରୁ ସ୍ଥିରିକୃତ ହୋଇଥିବା ଦିନ ସକାଳୁ ପୂଜାର ଆୟୋଜନ ଆରମ୍ଭ ହୁଏ । କଣାଭଏଁରୋ ମାଲଛମା ସୁନାନୀ ବଂଶର କୂଳ ଦେବତା ଭାବେ ଉପାସିତ ହୁଅନ୍ତି । ଏହା ସହ ବାବୁରା ବୁଢିମାଁ ଦେବତାଙ୍କୁ ମଧ୍ୟ ଉପାସନା କରାଯାଏ । ତେବେ ଏହି ଦେବତା ମାନଙ୍କ ପ୍ରତିମୂର୍ତ୍ତି ନଥାଏ । ପିତୃ ତଥା ଦେବତା ଜ୍ଞାନରେ ଗୁପ୍ତ ବିଧିରେ ଉପାସନା କାର୍ଯ୍ୟ ସମାପ୍ତ ହେବାପରେ ଗୃହ କର୍ତ୍ତା କିମ୍ବା ସ୍ବବଂଶର ଜଣେ ପୁଝାରୀଙ୍କ ଦେହରେ ବିଜେ କରି ବାବୁରା ଦେବତା ଗ୍ରାମ୍ୟ ପରିକ୍ରମା କରନ୍ତି ।
ଗଣା ବଜାର ତାଳେ ତାଳେ ବାବୁରା ଦେବତା ନାଚି ନାଚି ଯାଇଥାନ୍ତି । ଗ୍ରାମର ଯାଦବ, କନ୍ଧ, ଡମ୍ବ ସମସ୍ତେ ଦେବତାଙ୍କୁ ବନ୍ଦାପନା କରିଥାନ୍ତି । ଦେବତା ସେମାନଙ୍କୁ ସ୍ବହସ୍ତରେ ତାଙ୍କର ପ୍ରସାଦ ଦେବା ସହ ସଂପୃକ୍ତ ପରିବାରର ସମସ୍ୟା ସବୁର ସମାଧାନର ରାସ୍ତା ବତାଇଥାନ୍ତି । ଏହି ଯାତ୍ରାରେ କେବେ ହେଲେ ଛୁଆଁ ଅଛୁଆଁ, ସବର୍ଣ୍ଣ ଅସବର୍ଣ୍ଣ ବାଛ ବିଚାର ନଥିଲା କି ଏବେ ମଧ୍ୟ ନାହିଁ । ବାବୁରା ଦେବତାଙ୍କ ପାଖରେ ସମସ୍ତେ ଏକାକାର ହୋଇଯାଆନ୍ତି । ଏହି ଯାତ୍ରାରେ ଧନୀ ଗରିବ, ଛୋଟ ବଡ, ଜାତି ଅଜାତିର କିଛି ମାନେ ନଥାଏ । ବର୍ଷସାରା ଯାଦବଙ୍କ ଦେବତା ହୋଇ ଗୃହ ମଧ୍ୟରେ ପୂଜା ପାଉଥିବା ବାବୁରା ଦେବତା ଚୈତ୍ର ମାସରେ ଦୂଃଖ ସନ୍ତାପରେ ବୁଡି ରହିଥିବା ଜନତାର ଦୂଃଖ ହରଣ କରିବା ପାଇଁ ବାହାରକୁ ବାହାରି ଥାନ୍ତି । ଏହି ଦେବତା ସମେତ ଅନ୍ୟାନ୍ୟ ଦେବତାଙ୍କ ପୂଜା ଗୁପ୍ତ ଭାବରେ ହେଉଥିବାରୁ ସେମାନଙ୍କ ବିଷୟରେ କିମ୍ବା ଉପାସନା ବିଧାନ ବିଷୟରେ ଏହି ଆଲେଖ୍ୟରେ ଦେଇ ହେଉନାହିଁ ।
ବାବୁରା ଦେବତା ଏକ ପ୍ରତକ୍ଷ ତଥା ପ୍ରାଚୀନ ଦେବତା । ଏହାଙ୍କ ଆକାର ନାହିଁ କିମ୍ବା ମନ୍ତ୍ର ତନ୍ତ୍ର ଓ ଆଡମ୍ବର ବୈଦିକ ବିଧାନ ନାହିଁ । ମଗଧା ଯାଦବଙ୍କ ୧୨୦ ବଂଶ ମଧ୍ୟରୁ ପ୍ରାୟ ପ୍ରତ୍ୟେକ ବଂଶ ଏହି ଦେବତାଙ୍କ ଉପାସନା କରିଥାନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରାକ୍ସି ପଞ୍ଚାୟତ ଅନ୍ତର୍ଗତ ଗୋଖରା ଗାଁରେ କରୁଆଁ ବଂଶର ଦାୟାଦ ମାନେ ବାବୁରା (ବାବୁରାଏ)ଙ୍କୁ ଏକ ମନ୍ଦିର ମଧ୍ୟରେ ରଖି ସର୍ବ ସାଧାରଣଙ୍କ ଦର୍ଶନ ବ୍ୟବସ୍ଥା କରିଛନ୍ତି । ବହୁ ଦୂରଦୁରାନ୍ତରୁ ଜାତି ବର୍ଣ୍ଣ ନିର୍ବେଶେଷରେ ମହିଳା ଓ ପୁରୁଷ ମାନେ ଦେବତାଙ୍କୁ ଦର୍ଶନ କରିବାସହ ନିଜର ଦୂଃଖ ଜଣାଇଥାନ୍ତି । ପୁରୁଷ ଓ ପ୍ରକୃତି ପରି ବାବୁରା ବୁଡିମାଁ କେଉଁ ଅନାଦି କାଳରୁ ମଗଧା ଯାଦବଙ୍କ ଧାର୍ମିକ ଚିନ୍ତା ଚେତନାକୁ ପରିପୃଷ୍ଠ କରିଛନ୍ତି ।
ଏହି ଦେବତା ମାନଙ୍କ ଉତ୍ପତ୍ତି କଥନ ସହ ଯାଦବଙ୍କ ବଂଶ ଲିତାର ସବିଶେଷ ତଥ୍ୟ ଖୋଜିବା ସମୟରେ ଧନ୍ଦି ହେବାକୁ ପଡେ । ବାବୁରା ଏକ ପ୍ରତ୍ୟକ୍ଷ ଦେବତା ଭାବେ ଏହି ଅଞ୍ଚଳର ଯାଦବ ମାନଙ୍କ ଦ୍ବାରା ଆରାଧିତ ହେବାସହ ସମସ୍ତଙ୍କ ଚିନ୍ତା ଚେତନା ମଧ୍ୟରେ ବରିଷ୍ଠ ଆସନ ଅଳଂକୃତ କରିପାରିଛନ୍ତି ।
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ଓଡ଼ିଆ ବାର୍ତ୍ତା





