ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟଳୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଖୋଲା ରହୁନାହିଁ। ଯାହା ଫଳରେ କୃଷି ସମ୍ପର୍କିତ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଚାଷୀ ନିରାଶରେ ଫେରୁଥିବା ଦେଖିବାକୁ ମିଳିଛି। ନିୟମ ଅନୁଯାୟୀ, ସକାଳ ୧୦ଟା ସମୟରେ ସରକାରୀ କାର୍ଯ୍ୟଳୟ ଖୋଲା ରହିବା କଥା, ହେଲେ କୋକସରା ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟଳୟରେ ତାହା ବ୍ୟତିକ୍ରମ ଦେଖାଦେଇଛି। ଏଠାରେ କାର୍ଯ୍ୟରତ ଥିବା ଅଧିକାରୀ ଓ କର୍ମଚାରୀ ମାନେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହୁ ନଥିବା ବେଳେ ବୁଧବାର ୧୧.୨୦ ସମୟ ସୁଦ୍ଧା ଅଫିସ୍ ଖୋଲା ରହି ନଥିଲା। ଫଳରେ କୃଷି ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ନେଇ ଆସିଥିବା ଲଡୁଗାଁର ସୁକାନ୍ତ ଛତ୍ରିଆ, ଓମ୍ ପ୍ରକାଶ ମହାନନ୍ଦ, ଚିକିଲି ଗ୍ରାମର ରମେଶ ନାଏକ ସମେତ ଅନେକ ଚାଷୀ ନିରାଶାରେ ଫେରି ଯାଇଥିବା ଦେଖୁଥିବା ମିଲିଥିଲା। ପୂର୍ବରୁ ମଧ୍ୟ କାର୍ଯ୍ୟାଳୟ ଠିକ୍ ସମୟରେ ଖୋଲା ରହୁନଥିବା ବେଳେ ଅନେକ ଲୋକ କାର୍ଯ୍ୟାଳୟକୁ ଆସି ନିରାଶ ହେଉଥିବା ଦେଖିବାକୁ ମିଳିଛି। ତେବେ ସାଧାରଣ ଲୋକଙ୍କ ଟିକସ ପଇସାରୁ ସରକାରଙ୍କ ଠାରୁ ମାସକୁ ମାସ ନିୟମିତ ଦରମା ନେଉଥିବା ଅଧିକାରୀ ଓ କର୍ମଚାରୀ ମାନେ କାର୍ଯ୍ୟାଳୟ ଖୋଲିବାରେ ଅବହେଳା କାହିଁକି। ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଦାୟୀତ୍ୱରେ ଥିବା କୋକସରା ଗୋଷ୍ଠୀ କୃଷି ଅଧିକାରୀ ହେମାନନ୍ଦ ମାଝୀଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ଅବଗତ କରିବାର ଦିର୍ଘ ସମୟ ପରେ କାର୍ଯ୍ୟଳୟ ଖୋଲା ଯାଇଥିଲା।