ଡିିିଇଓ ସମ୍ଭାଳୁଛନ୍ତି କାଶିପୁର, ଏଡିଇଓ ସମ୍ଭାଳୁଛନ୍ତି ରାୟଗଡା ଓ କଲ୍ୟାଣସିଂହପୁର
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଦିବାସୀ ଅଧ୍ୟୁଷିତ ରାୟଗଡା ଶିକ୍ଷା ଜିଲ୍ଳାରେ ଦଶନ୍ଧି ଦଶନ୍ଧି ଧରି ଶିକ୍ଷା ବିଭାଗରେ ଲାଗି ରହିଛି ଅବ୍ୟବସ୍ଥା । ଗତ ୩ବର୍ଷ ମଧ୍ୟରେ ଜିଲ୍ଳାର ୯ବ୍ଳକରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପଦବୀ ଖାଲି ପଡିଥିବା ବେଳେ ଜିଲ୍ଳା ଶିକ୍ଷାଧିକାରୀଙ୍କ ସମେତ ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଓ ରାମନାଗୁଡା,ମୁନିଗୁଡା ଓ ପଦ୍ମପୁର ବ୍ଳକର ଗୋଷ୍ଠୀ ଶିକ୍ଷାଧିକାରୀମାନେ ଅତିରିକ୍ତ ଦାୟିତ୍ୱ ନେଇ ଜିଲ୍ଳାରେ ଶିକ୍ଷା ବ୍ୟବସ୍ଥାକୁ ପରିଚାଳନା କରୁଛନ୍ତି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ସମଗ୍ର ରାଜ୍ୟରେ ଗୁଣାତ୍ମକ ଶିକ୍ଷାଦାନ ପ୍ରକିୟା ଠାରୁ ଆରମ୍ଭ କରି ବିଦ୍ୟାଳୟଗୁଡିକର ଭିତିଭୂମି, ଶିକ୍ଷକ ନିଯୁକ୍ତି ସମସ୍ୟା, ଦକ୍ଷତାମୂଳକ କାର୍ଯ୍ୟକ୍ରମ ସହ ଅନ୍ୟ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପ୍ରତ୍ୟେକ ବ୍ଳକରେ ଜଣେ ଲେଖାଁଏ ଗୋଷ୍ଠୀ ଶିକ୍ଷାଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ରାୟଗଡା ଭଳି ଅନୁନ୍ନତ ଜିଲ୍ଳାରେ ଶିକ୍ଷା ବ୍ୟବସ୍ଥାର ଏହି ଢାଂଚାକୁ ଜିଲ୍ଳା ଶିକ୍ଷାଧିକାରୀ ମୋଡି ମୋକଚି ନିଜ ଇଚ୍ଛା ମୁତାବକ ପରିଚାଳନା କରୁଥିବା ଭଳି ଦେଖିବାକୁ ମିଳିଛି । ସରକାରଙ୍କୁ ଜିଲ୍ଳାରେ ଖାଲି ପଡିଥିବା ବିଇଓ ପଦୀବ ବିଷୟରେ ଚିଠି ଲେଖି ବର୍ଷ ବର୍ଷ ଧରି ଚୁପ୍ ହୋଇ ବସି ରହୁଥିବା ଅଭିଭାବକ ମହଲରେ ଅଭିଯୋଗ ହେଉଛି । ବର୍ତମାନ ଜିଲ୍ଳାର ୧୧ଗୋଟି ବ୍ଳକ ମଧ୍ୟରୁ ରାୟଗଡା, କଲ୍ୟାଣସିଂହପୁର, ଚନ୍ଦ୍ରପୁର, ଗୁଡାରୀ, ଗୁଣପୁର ଓ କାଶିପୁର ବ୍ଳକରେ ଗତ ୪ବର୍ଷ ମଧ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀ ପଦବୀ ଖାଲି ପଡିଥିବା ବେଳେ ରାୟଗଡା ଓ କଲ୍ୟାଣସିଂହପୁର ବ୍ଳକ ବିଇଓ ଭାବେ ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଭଜନଲାଲ ମାଝି ଦାୟିତ୍ୱ ତୁଲାଉଥିବା ବେଳେ କାଶିପୁର ବ୍ଳକ ବିଇଓ ଭାବେ ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଦାୟିତ୍ୱ ତୁଲାଉଛନ୍ତି । ଜିଲ୍ଳା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ରାମନାଗୁଡା ବିଇଓ ସୂଜନ ମଲ୍ଳିକ ଗୁଣପୁର ବ୍ଳକ ବିଇଓ ସହ ଗୁଣପୁର ସରକାରୀ ବାଳିକା ଓ ବାଳକ ୨ଟି ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ୪ଟି ଅତିରିକ୍ତ ଦାୟିତ୍ୱ ନିଜ କାନ୍ଧରେ ବହନ କରୁଛନ୍ତି । ଜଣେ ବିଇଓ ନିଜ ବ୍ଳକରେ ଥିବା ଶିକ୍ଷା ବ୍ୟବସ୍ଥାର ଉନ୍ନତି କରିବା ସହ ଶିକ୍ଷକଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବାର ବେଳେ ପାଉ ନ ଥିବା ବେଳେ ଅନ୍ୟ ବ୍ଳକର ବିଇଓ ଦାୟିତ୍ୱ ଏବଂ ୨ଟି ହାଇସ୍କୁଲର ଦାୟିତ୍ୱ କିପରି ଭାବେ ସମ୍ଭାଳୁଥିବେ ତାହା ଜିଲ୍ଳା ଶିକ୍ଷାଧିକାରୀ ହିଁ କହିପାରିବେ । ଜଣଙ୍କ ଉପରେ ୪ଟି ଦାୟିତ୍ୱ ଲଦି ଦିଆଯାଇ ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ବ୍ୟବସ୍ଥାକୁ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେହିପରି ମୁନିଗୁଡା ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ଭାବେ ଭି.ଭି.ଭାସ୍କର ରାଓ ନିଜ ଦାୟିତ୍ୱ ତୁଲାଉ ଥିବା ବେଳେ ତାଙ୍କ ଉପରେ ଗତ ସେପ୍ଟେମ୍ବର ମାସ ଠାରୁ ବିଷମକଟକ ବ୍ଳକ ଏବଂ ଦୀର୍ଘ ୪ବର୍ଷ ହେବ ଚନ୍ଦ୍ରପୁର ବ୍ଳକର ବିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଲଦି ଦିଆଯାଇଛି । ପଦ୍ମପୁର ବିଇଓ ସୁବାଷ ଶବରଙ୍କ ଉପରେ ମଧ୍ୟ ଗୁଡାରୀ ବ୍ଳକ ବିଇଓ ଏବଂ ଗୁଡାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାରପ୍ରାପ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ବତର୍ମାନ କୋଲନରା ବ୍ଳକ ବିଇଓ ଏମ.ଖଗେଶ୍ୱର ରାଓ ଦାୟିତ୍ୱ ତୁଲାଉ ଥିବା ବେଳେ ଆସନ୍ତା ଜାନୁଆରୀ ମାସରେ ଅବସର ଗ୍ରହଣ କରିବେ ବୋଲି ଜଣାପଡିଛି । ଫଳରେ ଉକ୍ତ ବ୍ଳକରେ ମଧ୍ୟ ଆସନ୍ତା ଦିନରେ ବିଇଓ ପଦବୀ ଖାଲି ପଡିଲେ ପୁଣି କାହା ଉପରେ ଦାୟିତ୍ୱ ନ୍ୟସ୍ତ କରାଯିବ । ରାୟଗଡା ଜିଲ୍ଳା ସଦର ମହକୁମା ଠାରୁ କାଶିପୁର ବ୍ଳକ ଦୀର୍ଘ ୮୦କିଲୋମିଟର ଦୂରତାରେ ଥିବା ବେଳେ ବ୍ଳକରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟତ୍ରୀମାନେ ନିଜ ବ୍ଳକ ବିଇଓ ତଥା ଦାୟତ୍ୱରେ ଥିବା ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ନାହିଁ ନ ଥିବା ଖର୍ଚ୍ଚାନ୍ତ ହେଉଥିବା ବେଳେ ଅନେକ ସମୟ ଧରି ଡିଇଓ କାଶିପୁର ବ୍ଳକ ପରିଦର୍ଶନରେ ଯାଇ ପାରୁ ନ ଥିବା ଯୋଗୁଁ ବ୍ଳକରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡିଥିବା ଅଭିଭାବକ ମହଲରେ ଚର୍ଚ୍ଚା ହେଉଛି । ଗତ ୨୦୨୧ ମସିହାରେ ରାୟଗଡା ବ୍ଳକ ବିଇଓ ରଜନୀକାନ୍ତ ସାମନ୍ତରାଏ ଅବସର ନେବା ପରେ ଖାଲି ପଡିଥିବା ଏହି ପଦବୀର ଦାୟିତ୍ୱ ରାୟଗଡା ଜିଲ୍ଳା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭଜନଲାଲ ମାଝିଙ୍କ ଉପରେ ଲଦି ଦିଆଯାଇଛି । ଏଥି ସହ ଜିଲ୍ଳା ସଦର ମହକୁମାରେ ଥିବା ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱ ପ୍ରଦାନ କରାଯାଇଛି । ଜିଲ୍ଳା ଗଠନର ୩୦ବର୍ଷ ବିତିବାକୁ ଯାଉଥିବା ବେଳେ ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ (ଏଡିଇଓ) ୨ଟି ମଂଜୁରୀ ପଦବୀରୁ ଆଜି ଯାଏଁ କେବଳ ଗୋଟିଏ ହିଁ ପଦବୀ ପୂରଣ କରାଯାଉଥିବା ବେଳେ ଅନ୍ୟଟି ପୂରଣ ହେବାର ସ୍ୱପ୍ନ ହୋଇ ରହିଛି ଜିଲ୍ଳା ଶିକ୍ଷା ବିଭାଗ ପାଇଁ । ଜଣେ ଏଡିଇଓ ବିଭିନ୍ନ ଦାୟିତ୍ୱରେ ରହି ନିଜ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇ ପାରୁ ନାହାନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ସରକାର ବିଇଓ ପଦବୀ ପୂରଣ କରୁ ନ ଥିବାର ଆଳ ଦେଖାଇ ଅତିରିକ୍ତ ଦାୟିତ୍ୱରେ ରହୁଥିବା ଅଧିକାରୀମାନେ ଶିକ୍ଷକଙ୍କ ସମସ୍ୟାର ସମାଧାନ ଦିଗରେ ହେଉ ଅଥବା ଗୁଣାତ୍ମକ ଶିକ୍ଷାଦାନ ଏବଂ ବିଦ୍ୟାଳୟଗୁଡିକର ଭିତିଭୂମି ସଜାଡିବାରେ ବିଫଳ ହେଉଛନ୍ତି । ନିଜ ଦାୟିତ୍ୱ ଠିକ୍ ଭାବେ ସଂପନ୍ନ କରିବାକୁ ଚାହୁଁ ଥିଲେ ମଧ୍ୟ ଅତିରିକ୍ତ ଦାୟିତ୍ୱ ସେମାନଙ୍କ ଉପରେ ‘ବୋଝ ଉପରେ ନଳିତା ବିଡା’ ସଦୃଶ ହୋଇଛି । ଯଥାଶୀଘ୍ର ସରକାର ରାୟଗଡା ଜିଲ୍ଳାରେ ଖାଲି ପଡିଥିବା ୯ଟି ବ୍ଳକରେ ବିଇଓ ପଦୀବ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଭିଭାବକ ଓ ଶିକ୍ଷକଙ୍କ ମହଲରେ ଦାବି ହେଉଛି ।