ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିପିଏମଙ୍କ ମନମାନୀକୁ ନେଇ ବଢ଼ିଲା ଜନଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କ ଦାୟିତ୍ବହୀନତା ଓ ଅବହେଳାକୁ ନେଇ ଅଞ୍ଚଳରେ ଦିନକୁ ଦିନ ଜନ ଅସନ୍ତୋଷ ବଢ଼ିଚାଲିଛି । ଏପରିକି ତାଙ୍କର ଅବହେଳା ଯୋଗୁଁ ବ୍ଲକ ଅଞ୍ଚଳରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଏକ ପ୍ରକାର ବିଗିଡ଼ିଯାଇଥିବା ଅଭିଯୋଗ ହେଉଛି । ବ୍ଲକରେ ୨୬ଗୋଟି ପଞ୍ଚାୟତରେ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଦୁଇଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୩ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୪ଟି ସେକ୍ଟର, ୨୪ ଗୋଟି ସ୍ବାସ୍ଥ୍ୟ ଉପକେନ୍ଦ୍ର ରହିଛି । କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ବର୍ଷକୁ କୋଟିଏରୁ ଅଧିକ ଟଙ୍କାର ଅନୁଦାନ ଆସୁଛି ସତ କିନ୍ତୁ ଏଠାରେ ନିଯୁକ୍ତ ବ୍ଲକ ପ୍ରୋଗ୍ରାମ୍ ମ୍ୟାନେଜର ଦାୟିତ୍ବରେ ଥିବା ସୁରଜିତ ସିଂହ କୁମାର ବାରମ୍ବାର ନିଜ ଦାୟିତ୍ବରେ ଅବହେଳା କରିବା ସହିତ ବିଭିନ୍ନ ଯୋଜନାର ଅର୍ଥରେ ନିଜର କମିଶନ ଭାଗ ନେବାକୁ ଅଡ଼ି ବସୁଥିବାରୁ ଜାତୀୟ ସ୍ବାସ୍ଥ୍ୟ ମିଶନର ବିଭିନ୍ନ ଯୋଜନା ସଫଳ ହୋଇପାରୁନାହିଁ ।

ଚିକିତ୍ସାସେବା, ଔଷଧ ଯୋଗାଣ, ଏଏନ୍ଏମ୍, ଆଶା କର୍ମୀ ସମେତ ସମସ୍ତ ପ୍ରକାର ଅନୁଦାନକୁ ହରିଲୁଟ୍ କରିବାରେ ମାହିର ଶ୍ରୀ କୁମାରଙ୍କୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ହେଁ ସେ ଉପରିସ୍ଥ ଅଧିକାରୀଙ୍କୁ ହାତ କରି ସବୁ ଅଭିଯୋଗକୁ ଚାପି ଦେଉଥିବା ଅଭିଯୋଗ ହୁଏ । ମାସ ମାସ ଧରି ଟୁର୍ ନାଁରେ ସେ ଅଫିସ୍ ଆସୁନଥିବାବେଳେ ତଳିଆ କର୍ମଚାରୀଙ୍କୁ ଡରାଇ ଧମକାଇ ତଥା ଦରମା କରିଦେବା ନାଁରେ ଅର୍ଥ ଆଦାୟ କରୁଥିବା ନେଇ ବିଭିନ୍ନ ସମୟରେ ସଙ୍ଗୀନ ଅଭିଯୋଗ ହୋଇଆସୁଛି । ଏହାକୁ ନେଇ ରୋଗୀ କଲ୍ୟାଣ ସମିତିର ସଦସ୍ୟମାନେ ବିଭିନ୍ନ ସମୟରେ ଅଭିଯୋଗ କରୁଥିଲେ ହେଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତାଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ ଆସୁଛନ୍ତି । ଏପରିକି ତାଙ୍କ ନାଁରେ ବହୁ ଅଭିଯୋଗ ହୋଇଥିବା ସଂପର୍କରେ ଖୋଦ୍ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ୍ ଅଫିସର ଡା. ତତେଶ୍ବର ନାୟକ ମଧ୍ୟ ସ୍ବୀକାର କରିବା ସହିତ ଏହାକୁ ନେଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବେ ଜଣାଇବେ ବୋଲି କହିଛନ୍ତି । ଏଣୁ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ତାଙ୍କର ବଦଳି କରାନଗଲେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.