ଏଥର ନର୍ଲାରେ ଜେଏମଏଫସି କୋର୍ଟ ଓ ପୋଷ୍ଟମର୍ଟମ ସେଣ୍ଟର ପାଇଁ ଲଢେଇ ହେବ -କେଶବ ପଧାନ, ଜିଲ୍ଲା ସମ୍ପାଦକ ସିପିଆଇ(ଏମ୍ଏଲ୍)

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଉପନିବନ୍ଧକଙ୍କ କାର୍ଯ୍ୟାଳୟ (ସବ-ରେଜିଷ୍ଟାର ଅଫିସ) ବୁଧବାର ଦିନ ଉଦଘାଟିତ ହୋଇଯାଇଛି । ନର୍ଲା ବିଧାୟକ ଭୁପିନ୍ଦର ସିଂ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନର୍ଲା ତହସିଲ କାର୍ଯ୍ୟାଳୟର ଏକ ପ୍ରକୋଷ୍ଠରେ ସବ-ରେଜିଷ୍ଟାର ଅଫିସକୁ ଫିତାକାଟି ଉଦ୍ଘାଟନ କରିଥିଲେ । ଏହାପରେ ନର୍ଲା ବାର ଏସୋସିଏସନ ସଦସ୍ୟ, ନିର୍ବାଚିତ ଲୋକ ପ୍ରତିନିଧି, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ନର୍ଲା ବିଧାୟକଙ୍କ ଉଦ୍ୟମ କ୍ରମେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୁରଣ ହେଲା ବୋଲି ମତ ପ୍ରକାଶ ପାଇଥିଲା । ହେଲେ ନର୍ଲାରେ ଅଞ୍ଚଳବାସୀଙ୍କ ଆବଶ୍ୟତାକୁ ସମ୍ମାନ ଦେଇ ସିପିଆଇ(ଏମଏଲ) ଜାଗ୍ରତ ସମିତିର ଜିଲ୍ଲା ସାଧାରଣ ସମ୍ପାଦକ କେଶବ ପଧାନ ଓ ନର୍ଲା ସମ୍ପାଦକ ଦୟାସାଗର ନାଏକଙ୍କ ନେତୃତ୍ୱରେ ଗତ ୫ ବର୍ଷ ହେଲା ନର୍ଲାରେ ସବ-ରେଜିଷ୍ଟାର ଅଫିସ, ଶବ ବ୍ୟବଚ୍ଛେଦ କେନ୍ଦ୍ର, ଜେଏମଏଫସି କୋର୍ଟ ସ୍ଥାପନ, ଲୋକୋମୋଟିଭ କାରଖାନା କାମ ତ୍ୱରାନ୍ୱିତ, ଆବହମାନ କାଳରୁ ଜଙ୍ଗଲ ଜମିରେ ବସବାସ କରି ଆସୁଥିବା ଆଦିବାସୀ ମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ ପାଇଁ ବର୍ଷକୁ ୨ ରୁ ୩ ଥର ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା, ବ୍ଲକ ଓ ତହସିଲ ଘେରାଉ, ଦାବୀପତ୍ର ପ୍ରଦାନ ଭଳି କାର୍ଯ୍ୟକ୍ରମ କରି ଆସୁଛନ୍ତି । ଯାହା ଆଜି ଫଳବତୀ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ନର୍ଲା ବ୍ଲକ୍ ଓ ମ.ରାମପୁର ବ୍ଲକ୍ ର ଟୁଟୁଙ୍ଗଝୁଲା ପଦର, ଭଳି ଜଙ୍ଗଲ ଅଞ୍ଚଳରେ ବସବାସ କରି ଆସୁଥିବା ଗରୀବ ଆଦିବାସି ମାନଙ୍କ ପାଖରେ ରହିବା ପାଇଁ ଘର ନାହିଁ, ଚାଷପାଇଁ ଜମି ନାହିଁ । ନିଜସ୍ୱ ବୋଲି କିଛି ନାହିଁ । ଦୀନ ମଜୁରିଆ କାମ କଲେ ସେମାନଙ୍କ ଚୁଲି ଜଳେ । ସାଧାରଣ ସମ୍ପାଦକ କେଶବ ପଧାନଙ୍କ ନେତୃତ୍ୱରେ ବର୍ଷକୁ ୨ ରୁ ୩ ଥର ଉକ୍ତ ଆଦିବାସୀ ପୁରୁଷ ଓ ମହିଳା ମାନେ ହଜାର ହଜାର ସଂଖ୍ୟାରେ ନର୍ଲାରେ ରୁଣ୍ଡ ହୋଇ ହାତରେ ସିପିଆଇଏମଏଲର ବ୍ୟାନର ଓ ପତାକା ଧରି ସେମାନଙ୍କ ହକ ଓ ମୌଳିକ ଅଧିକାର ସାଙ୍ଗକୁ ନର୍ଲାରେ ଆବଶ୍ୟକ ରହିଥିବା ଉପନିବନ୍ଧକଙ୍କ କାର୍ଯ୍ୟାଳୟ, ଶବ ବ୍ୟବଚ୍ଛେଦ ଗୃହ, ଜେଏମଏଫସି କୋର୍ଟ ସ୍ଥାପନ ଏଭଳି ୮ ରୁ ୧୦ ଗୋଟି ଦାବୀ ନେଇ ମାନ୍ୟବର ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ନର୍ଲା ବିଡିଓ ଓ ତହସିଲଦାରଙ୍କୁ ଦାବୀ ପତ୍ର ପ୍ରଦାନ କରି ଆସୁଥିଲେ । ଯାହା ଆଜି ଫଳବତୀ ହୋଇଛି । ସରକାର ସେମାନଙ୍କ ଦାବୀ ଶୁଣିଛନ୍ତି ଓ ନର୍ଲାରେ ସବ ରେଜିଷ୍ଟାର ଅଫିସ୍ ଖୋଲିଛନ୍ତି । ୧୪ ବର୍ଷ ହୋଇଗଲା ନର୍ଲାରେ ତହସିଲ ଅଫିସ ଖୋଲି ହେଲେ ହୋଇ ପାରିନଥିଲା ସବ ରେଜିଷ୍ଟାର ଅଫିସ୍ । ଫଳରେ ଲୋକେ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ମ.ରାମପୁର ୨୮ କି.ମି ଯାଉଥିଲେ ଜମି, ଘରଡିହ ରେଜିଷ୍ଟ୍ରେସନ ପାଇଁ । ଏବେ ଲୋକଙ୍କ ସ୍ୱପ୍ନ ସାକାର ହୋଇଛି । ଆମର ଲଢେଇ ଫଳବତୀ ହୋଇଛି । ମାନ୍ୟବର ନର୍ଲା ବିଧାୟକ ମଧ୍ୟ ଏଥିପାଇଁ ପ୍ରୟାସ କରିଛନ୍ତି । ନର୍ଲାରେ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଖୋଲିଛି । ଏବେ ପୁଣି ଲଢେଇ ହେବ ନର୍ଲାରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ଓ ନର୍ଲାକୁ ଏନଏସି ମାନ୍ୟତା ପ୍ରଦାନ ପାଇଁ ଦାବୀ ନେଇ। ନର୍ଲାରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ନଥିବାରୁ ଅନେକ ହଇରାଣ ହରକତ ହୋଇ ଲୋକେ ଦୀର୍ଘ ୨୮ କି.ମି. ମ.ରାମପୁର ଓ ଜିଲ୍ଲା ସଦର ମହକୁମା ଭବାନୀପାଟଣା ୩୦ କି.ମି ଯାଉଛନ୍ତି । ଏଣୁ ଏହି ଦୁଇଗୋଟି ଦାବୀ ନେଇ ଆମର ଲଢେଇ ଜାରି ରହିବ ବୋଲି ସିପିଆଇଏମ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପଧାନ ମତବ୍ୟକ୍ତ କରିବା ସହ ନର୍ଲା ବିଧାୟକ ଶ୍ରୀ ସିଂ, ନର୍ଲା ବାର କାଉଁନସିଲର ସଭାପତି ଓ ସଦସ୍ୟ, ନର୍ଲାର ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓ ଆଗାମୀ ଦିନରେ ଆଉ ଦୁଇଗୋଟି ମୁଖ୍ୟ ଦାବୀ ନେଇ ଲଢେଇ ପାଇଁ ସିପିଆଇ(ଏମଏଲ) ଜାଗ୍ରତ ସମିତିକୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.