ଦେବଗିରି ମଠରେ ମହାପ୍ରଭୁ ଦଧିବାମନଙ୍କ ସ୍ନାନ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ମଠରେ ମହାପ୍ରଭୂ ଦଧିବାମନଙ୍କ ସ୍ନାନଯାତ୍ରା ଏକ ଭକ୍ତିମୟ ପରିବେଶ ମଧ୍ୟରେ ସମାପନ ହୋଇଯାଇଛି । ଆଜି ଦେବଗିରିର ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରାତଃ ସମୟରୁ କବାଟଫିଟା ନିତି ପରଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଭିନ୍ନ ନିତି ପରମ୍ପରା ଅନୁକ୍ରମରେ ଚାଲିଥିଲା । ସନ୍ଧ୍ୟା ୫ଟା ୩୦ରେ ଦଧିବାମନଙ୍କ ସ୍ନାନନିତି ସଂପନ୍ନ ହେବାପରେ ମହାପ୍ରଭୂ ଅଣସର ଘରକୁ ପ୍ରବେଶ କରିଛନ୍ତି । ପନ୍ଦର ଦିନ ପରେ ନେତ୍ରୋତ୍ସବ ଦିନ ମହାପ୍ରଭୂଙ୍କ ନବଯୌବନ ଦର୍ଶନ ଓ ଆଷାଢ ଦ୍ବିତୀୟା ଦିନ ରଥଯାତ୍ରା ଅନୁଷ୍ଠିତ ହେବ । ଆଜିର ଏହି ସ୍ନାନ ଯାତ୍ରା ନିତି ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ, ବିଭିଷଣ ଦାସ, ଟିକେ ଗଉଡ, ଅଶୋକ ଧଙ୍ଗଡାମାଝୀ, ରଜନି ଗଉଡ, ବିଷ୍ଣୁ ଗଉଡ ପ୍ରମୁଖ ସଂପାଦନ କରିଥିବାବେଳେ ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ବିଜୟ ଧଙ୍ଗଡାମାଝୀ, ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ଓ ଟ୍ରଷ୍ଟର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଳକ୍ଷେ ଭକ୍ତମାନଙ୍କ ପ୍ରବଳ ଗହଳି ପରିଳକ୍ଷିତ ହୋଇଥିଲା । ଖାଇଚୁଆଁ ଗ୍ରାମର ରାଧାକୃଷ୍ଣ ମହିଳା ସଂକିର୍ତ୍ତନ୍ୟ ମଣ୍ଡଳୀର କିର୍ତ୍ତନ ସହ ଘଣ୍ଟ କରତାଳରେ ଦେବଗିରି ମୁଖରିତ ହୋଇ ଉଠିଥିଲା । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.