ସୁବର୍ଣ୍ଣପୁର ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କ ବୁଦ୍ଧ ବେଶ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଦ୍ୱିତୀୟ ବାରଣାସୀ ତଥା ସୁବର୍ଣ୍ଣପୁର ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପଠାରେ ଚତୁର୍ଦ୍ଧାମୂର୍ତ୍ତି ସୋମବାର ବୁଦ୍ଧ ଅବତାରରେ ଦର୍ଶନ ଦେଇଥିଲେ। ଏହି ଅନ୍ୟନ୍ୟ ଦୁର୍ଲ୍ଲଭ ବେଶର ଦର୍ଶନ କରିବା ପାଇଁ କାହିଁ କେଉଁ ଦୂରଦୂରାନ୍ତରୁ ଭକ୍ତମାନଙ୍କ ସୁଅ ଛୁଟି ଆସିଛନ୍ତି। ମାନ୍ୟତା ରହିଛି ଦଶ ବର୍ଷ ପ୍ରଭୁଙ୍କୁ ରତ୍ନ ସିଂହାସନରେ ଦର୍ଶନ ଫଳ ଠାରୁ ଆଡପ ମଣ୍ଡପରେ ଗୋଟାଏ ଦିନ ଦର୍ଶନରେ ଅଧିକ ପୁଣ୍ୟ ଓ ଆତ୍ମସନ୍ତୋଷ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଉକ୍ତ ବିଶ୍ୱାସ ସକାଶେ ଶ୍ରଦ୍ଧାଳୁ ମାନେ ପ୍ରଭୁଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନ କରିବା ପାଇଁ ବ୍ୟାକୁଳ ଥିବା ମନେ ହେଉଥିଲା।

ସହରର ଚାରିଗୋଟି ମଣ୍ଡପରେ ପ୍ରଭୁ ଏହି ଅବତାର ଧାରଣ କରି ଭକ୍ତ ବୃନ୍ଦଙ୍କୁ ଦର୍ଶନ ଦେଉ ଥିବାରୁ ଦ୍ୱିତୀୟ ବାରଣାସୀ ଏବେ ଉତ୍ସବ ମୁଖର ହୋଇଉଠିଛି। ଏହା ସହିତ ସମସ୍ତ ମଣ୍ଡପ ପ୍ରାଙ୍ଗଣରେ ଭକ୍ତି ଚରଣାମୃତ ଭଜନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିବାରୁ ପ୍ରଭୁଙ୍କ ଦର୍ଶନ ସାରି ଶ୍ରଦ୍ଧାଳୁ ମାନେ ଗୁଣ୍ଡିଚା ମନ୍ଦିର ଠାରେ ‘ସଙ୍ଗୀତ ସାଧନା’ କାର୍ଯ୍ୟକ୍ରମର ମଧ୍ୟ ବେଶ ଝୁମି ରହୁଥିବା ଦେଖିବାକୁ ମିଳୁଥିଲା ।

ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସୋନପୁର ବଣିକ ସଂଘର କର୍ମକର୍ତ୍ତା ଓ ଉଲୁଣ୍ଡା ବ୍ଲକ୍ ଅଧ୍ୟକ୍ଷା ଶାନ୍ତି ଲତା ମିଶ୍ର ଯୋଗ ଦେଇଥିଲେ। ସେପଟେ ମଝିପଡା ମଣ୍ତପ ଠାରେ ବିଶ୍ୱ ହିନ୍ଦୁ ପରିଷଦର ସୁବର୍ଣ୍ଣପୁର ଶାଖା ତରଫରୁ ଖେଚୁଡି ପ୍ରସାଦ ବଣ୍ଟନ ହେଉଥିବା ଦେଖିବାକୁ ମିଳୁଥିବା ବେଳେ ଶ୍ରଦ୍ଧାଳୁ ଆତ୍ମତୃପ୍ତି ସହ ପ୍ରଭୁଙ୍କୁ ଦର୍ଶନ କରିଥଲେ। ଏଥିରେ ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ସୁଚାରୁ ରୂପେ ପ୍ରସାଦ ବଣ୍ଟନ କରିଥିବା ଦେଖା ଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.