ସୁବର୍ଣ୍ଣପୁରରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ବେଆଇନ ଚୋରା କାରବାର ନିଷିଦ୍ଧ ଦିବସ ପାଳନ

ନିଶା ଏକ ସାମାଜିକ ବ୍ୟାଧି,ଏହାର ଅପବ୍ୟବହାର ଓ ଚାଲାଣ ସାମାଜିକ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କରେ -ଅତିରିକ୍ତ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଅବକାରୀ ବିଭାଗ ସୁବର୍ଣ୍ଣପୁର ତରଫରୁ ଆନ୍ତର୍ଜାତିକ ନିଶା ଦ୍ରବ୍ୟର ବ୍ୟବହାର ଓ ବେଆଇନ ଚୋରା କାରବାର ନିଷିଦ୍ଧ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସକାଳେ ଏନ.ସି.ସି. କେଡ଼େଟ ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ଦ୍ଵାରା ପୁରୁଣା ଟାଉନ ହଲ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସୁବର୍ଣ୍ଣପୁର  ବିମଳେନ୍ଦୁ ରାୟ ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ପ୍ରସ୍ତୁତ ସଚେତନତା ରଥ ଓ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ରେ ଦିବସ ଉପଲକ୍ଷେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅନୈତିକ ଚାଲାଣ ବ୍ୟକ୍ତି ତଥା ସମାଜରେ ଏହାର କୁପ୍ରଭାବ ଉପରେ ବକ୍ତବ୍ୟ ପ୍ରଦାନ କରି ନିଶା ଏକ ସାମାଜିକ ବ୍ୟାଧି ବୋଲି କହିଥିଲେ l ଏହାକୁ ସମାଜର ପ୍ରତ୍ୟକ ସ୍ତରରେ ପ୍ରତିରୋଧ କରିବାକୁ ପ୍ରଯତ୍ନ ହେବା ସହ ବିଶେଷ ଭାବେ ଯୁବ ଗୋଷ୍ଠୀ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି l ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ସ୍ୱାଗତ ଅଭିଭାଷଣ ସହ ଦିବସ ପାଳନ ର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ ।

ସଭାରେ ସମ୍ମାନିତ ଅତିଥିଭାବେ ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ , ଏସଡିପିଓ ସୋନପୁର  ପୁଷ୍ପାଞ୍ଜଳି ନିଙ୍ଗୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସନତ କୁମାର ନାୟକ ପ୍ରମୁଖ ଯୋଗଦାନ କରି ନିଶା ଦ୍ରବ୍ୟ ଅପବ୍ୟବହାର ଓ ବେଆଇନ ଚାଲାଣର କାରଣ, ନିରାକରଣ ତଥା ସମଗ୍ର ଜନ ଜୀବନରେ ଏହାର କୁପ୍ରଭାବ ଉପରେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ l ସଭାରେ ସାଧନ କର୍ମୀ ଭାବେ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସୋନପୁରର ଭାଇ ମନୋଜ ଦାଶ ଏବଂ ସାମାଜିକ କର୍ମୀ ରାଜୀବ ଲୋଚନ ନାୟକ ନିଶା ନିବାରଣ ଉପରେ ସଚେତନତା ବକ୍ତବ୍ୟ ପ୍ରଦାନ କରି ନିଶା ଅପବ୍ୟବହାର ଓ ଅନୈତିକ ଚାଲାଣ ର ଭୟାବହତା ପରିଣାମ ଉପରେ ସୂଚୀତ କରିଥିଲେ l ନିଶାର ଅପବ୍ୟବହାର ପରୋକ୍ଷ ହେଉ ଅବା ପ୍ରତ୍ୟକ୍ଷ ଭାବେ ହେଉ ସମାଜରେ ଅନୈତିକ କାର୍ଯ୍ୟ କଳାପକୁ ଉତ୍ସାହିତ କରୁଥିବା କହିବା ସହ ଆମର ଦୃଢ଼ ମାନସିକତା ନିଶା ରୂପକ ରାକ୍ଷସକୁ ପ୍ରତିହତ କରିପାରିବ ବୋଲି ଦୃଢୋକ୍ତି କରିଛନ୍ତି l ନିଶା ସେବନ ଓ ଅପବ୍ୟବହାର ମଣିଷକୁ କିପରି ସହଜରେ ଅମଣିଷ କରି ଦେଉଛି ତାର ସଦ୍ୟତମ ଉଦାହରଣ ଭାବେ ନିଶା ନିବାରଣ କେନ୍ଦ୍ର, ମାଟୁପାଲି, ଓ ତରଭାର ୪ ଜଣ ଲାଭାର୍ଥୀ, ଯେଉଁମାନେ କି ନିଶା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ସେମାନେ ସେମାନଙ୍କ ଜୀବନର ଅଭିଜ୍ଞତାକୁ ସଭାରେ କହିଥିଲେ l ନିଶା ସେବନ ଠୁ ଦୁରେଇ ଗଲାପରେ ସେମାନେ କିପରି ଏକ ଅମଣିଷ ରୁ ମଣିଷ ହୋଇପାରିଛନ୍ତି ତାହା ବର୍ଣ୍ଣନା କରିଛନ୍ତି l ଏହି ଅବସରରେ ସେମାନଙ୍କୁ ପ୍ରଶାସନ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଅନୁଷ୍ଠିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ, ରେଆର, ଭିନ୍ନକ୍ଷମ, ଅଭିଭାବକ ସଂଘ ଏବଂ ବିଭିନ୍ନ ସଂଗଠନ ର କର୍ମକର୍ତା ଏବଂ ସମସ୍ତ ବ୍ଲକର ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଯୋଗଦାନ କରି ନିଶା ନିବାରଣ ତଥା ନିଶା କାରବାର ନିଷିଦ୍ଧ ଉପରେ ମନ୍ତବ୍ୟ ରଖିଥିଲେ । ସଭା ଶେଷରେ ସମସ୍ତେ ଏକଜୁଟ ହୋଇ ନିଶା ମୁକ୍ତ ସମାଜ ଗଠନ ପାଇଁ ଶପଥ ପାଠ କରିଥିଲେ । ପରିଶେଷ ରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲା ସାମାଜିକ ସୁରକ୍ଷ୍ୟା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସୁବର୍ଣ୍ଣପୁର ର କାର୍ଯ୍ୟକର୍ତ୍ତା ତଥା ରାକେଶ କୁମାର ମିଶ୍ର, ଜନ୍ମେଜୟ ମହାକୁର, ଉମାକାନ୍ତ ହୋତା, ସମୀକ୍ଷା ପୁରୋହିତ, ସୋନିଆ ବରିହା, ଗୁପ୍ତେଶ୍ୱର ପଧାନ ଏବଂ ରେଆର, ରାଧା ଏବଂ ଏନ.ଆର.ଡି.ସି.ର ସ୍ଵେଚ୍ଛାସେବୀ ସଭାକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.