ପ୍ରାଚୀନ କାଳରୁ ଏକ ସମୃଦ୍ଧ ରାଜ୍ୟର ସ୍ବାକ୍ଷର ବହନ କରୁଥିବା ଓଡ଼ିଶା ତା’ର କଳା ସଂସ୍କୃତି ଓ ଐତିହ୍ୟ ପାଇଁ ସାରା ଦେଶରେ ନିଜର ସ୍ବତନ୍ତ୍ରତା ବଜାୟ ରଖି ଆସିଛି। ଜଗନ୍ନାଥ ସଂସ୍କୃତି ଓଡ଼ିଶାକୁ ବିଶ୍ବ ବିଦିତ କରିଛି। ଆଦି ସଂସ୍କୃତି ସହ ବୈଦିକ ସଂସ୍କୃତିର ମିଳନ ଘଟାଇ ଏହି ମାଟି ବିଶ୍ବ ଭାତୃତ୍ବର ବାର୍ତ୍ତା ପ୍ରଚାର କରି ଆସିଛି। କଳିଙ୍ଗ, ଉତ୍କଳ, ତ୍ରିକଳିଙ୍ଗ ଆଦି ବିବିଧ ନାମରେ ନାମିତ ହୋଇଥିବା ଓଡ଼ିଶା ପ୍ରାଚୀନ କାଳରେ ଏକ ସମୃଦ୍ଧଶାଳୀ ରାଜ୍ୟ ଥିବା ସହ କଳା, ସଂସ୍କୃତି ଓ ଶାନ୍ତି ମୈତ୍ରୀର ପ୍ରତିକ ଭାବେ ଦେଶ ବିଦେଶରେ ଖ୍ୟାତ ଥିଲା। ଓଡ଼ିଶାର ଗାଁ ଗାଁରେ ମନ୍ଦିର ଓ ମଠସବୁ ଗଢିଉଠି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ ସଂସ୍କୃତି ରାଜ୍ୟର ପ୍ରାୟ ଗ୍ରାମରେ ଦେଖିବାକୁ ମିଳେ। ତେବେ ବିଗତ କଛି ବର୍ଷ ହେଲା ଓଡ଼ିଶାର ଅନେକ ଗାଁରେ ପରିବେଶ ପରିବର୍ତ୍ତନ ହେବାରେ ଲାଗିଛି। ଗାଁ ଗାଁରେ ଥିବା ଭାଗବତ ଟୁଙ୍ଗି ସବୁ ବନ୍ଦ ହୋଇ ପଡିଥିବାବେଳେ ଆଉ ଶୁଭୁନି ସଂକିର୍ତ୍ତନ। ଗ୍ରାମାଞ୍ଚଳରେ ମଠ, ମନ୍ଦିର ସବୁ ମଧ୍ୟ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନ ଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି। ଓଡିଶାର ଗାଁ ଗୁଡିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ବ ଥିବା ସ୍ଥାନର ବିକାଶ ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ନୂଆ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’। ଏହି ଯୋଜନାର ଅଂଶ ସ୍ବରୂପ ପୂଜା ଓ ଐତିହାସିକ ସ୍ଥାନର ବିକାଶ ତଥା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧାର ବିକାଶ ନିମନ୍ତେ ପ୍ରତ୍ୟେକ ଗାଁରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରାଯାଇପାରିବ। ପଞ୍ଚାୟତ ଗୁଡିକରେ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିବ। ନିକଟରେ ରାଜ୍ୟ କ୍ୟାବିନେଟ ଏହି ଯୋଜନାକୁ ଅନୁମୋଦନ ଦେଇଛି। ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ ଆମେ ଏହି ଯୋଜନାରେ ଏକ ଐତିହାସିକ ପଦକ୍ଷେପ ନେଇଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଏଥିରେ ସ୍ଥାନୀୟ ପୂଜାସ୍ଥଳୀ ତଥା ଐତିହାସିକ ଗୁରୁତ୍ୱ ଥିବା ସ୍ଥାନମାନଙ୍କର ସୁରକ୍ଷା ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ପାଇଁ ବିଶେଷ ଗୁରୁତ୍ବ ଦିଆଯାଇଛି। ପ୍ରତ୍ୟେକ ଗ୍ରାମପଞ୍ଚାୟତ ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି କାମ କରିପାରିବେ। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକ ହିଁ ଏହି କାମକୁ ଅଧିକ ଦକ୍ଷତାର ସହ କରିପାରିବ ବୋଲି ସେ ଦୃଢ ବିଶ୍ବାସ ପ୍ରକଟ କରିଥିଲେ। ଗାଁରେ ଆଧୁନିକ ମୌଳିକ ସୁବିଧାର ବିକାଶ ଉପରେ ମତ ଦେଇ ସେ କହିଥିଲେ ଯେ, “ମୁଁ ଚାହେଁ, ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ଥିବା ପ୍ରଭେଦ ଦୂର ହେଉ। ସମସ୍ତଙ୍କ ପାଇଁ ବ୍ୟାଙ୍କିଙ୍ଗ ସୁବିଧା ମିଳୁ। ଡିଜିଟାଲ ଭିତ୍ତିଭୂମି ର ବିକାଶ ହେଉ। ତା ସହିତ ଅନ୍ୟ ଆଧୁନିକୀକରଣ କାମ ମଧ୍ୟ ହେଉ। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରରେ ଏସବୁ ପରିକଳ୍ପନାକୁ ଆଗେଇ ନେବା ପାଇଁ ସୁଯୋଗ ସୃଷ୍ଟି କରିବ। ଓଡ଼ିଶାର ମହାନ ଐତିହ୍ୟ, ସଂସ୍କୃତିକୁ ବିଶ୍ଵସ୍ତରରେ ପ୍ରଚାରିତ କରି ଏକ ଆଧୁନିକ ଏବଂ ଆକାଂକ୍ଷୀ ଓଡ଼ିଶା ଗଠନ ଏହି ପ୍ରୟାସର ଲକ୍ଷ୍ୟ। ଏହି ନୂଆ ପ୍ରୟାସରେ ଓଡ଼ିଶାର ମହାନ ଐତିହ୍ୟ ଏବଂ ସାଂସ୍କୃତିକ ଭିତ୍ତିଭୂମିର ବିକାଶ, ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ଏବଂ ମହିଳା ଓ ଯୁବକଙ୍କ ସଶକ୍ତିକରଣ ସହ ଯୁବପିଢୀଙ୍କ ପାଇଁ କ୍ରୀଡ଼ା, ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ସେବାକୁ ଗୁରୁତ୍ଵ ଦିଆଯାଇଛି। ଏଥିପାଇଁ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୪୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଅର୍ଥରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରୋତ୍ସାହନ, ଉପାସନା ସ୍ଥଳୀଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକଳ୍ପ କରାଯିବ। ଏଥିସହ ବିଭିନ୍ନ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟରେ ସ୍ଵଚ୍ଛତା ପାଇଁ ୱେବ୍ ଆଧାରିତ ଏମଆଇଏସ ସହ ମୋବାଇଲ ଆପ୍ ବିକଶିତ କରିବାକୁ ନିଷ୍ପତ୍ତି ନିଆଯାଇଛି।