ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

 ସାମ୍ବାଦିକଙ୍କୁ ଉପେକ୍ଷା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ହସ୍ତତନ୍ତ ତଥା ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟାଳୟରେ ସମସ୍ତ ବିଭାଗୀୟ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l ଜିଲ୍ଲାରେ ବୁଣାକାର ମାନଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହେଉଥିବା ମଙ୍ଗା ଗର୍ତ୍ତ କଂକ୍ରିଟ କରଣ, ବରିଷ୍ଠ ବୁଣାକାର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା, କର୍ମଶାଳା ନିର୍ମାଣ, ଫ୍ରେମ ତନ୍ତ, ଗର୍ତ୍ତ ତନ୍ତ ବଣ୍ଟନ, ବାନ୍ଧଶିଳ୍ପୀ ପାଇଁ ରଙ୍ଗେଈ ସାମଗ୍ରୀ ବଣ୍ଟନ, ଉନ୍ନତ ମାନର ତନ୍ତ ଉପକରଣ ବଣ୍ଟନ, ଅନ୍ୟ ପ୍ରଦେଶର ବୟନ ପୁଞ୍ଜ ପରିଦର୍ଶନ, ପ୍ରାରମ୍ଭିକ ବୁଣା, ବନ୍ଧ ଓ ରଙ୍ଗ ତାଲିମ ପ୍ରଦାନ, ଉନ୍ନତ ଲୁଗା ଉତ୍ପାଦନ ସହିତ ବଜାର ଆବଶ୍ୟକତା ଲକ୍ଷ୍ୟର ଗୁଣାତ୍ମକ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ଓ ଶୀର୍ଷ ସମିତିକୁ ଲୁଗା ଯୋଗାଣ ରେ ବ୍ୟବସାୟ ବୃଦ୍ଧି ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ l ମହିଳା ହସ୍ତ ତନ୍ତ ବୁଣାକାର କିପରି ଅଧିକରୁ ଅଧିକ ସରକାରୀ ସୁବିଧା ପାଇପାରିବେ ସେ ଦିଗରେ କାମ କରିବାକୁ କ୍ଷେତ୍ର କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ବଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଋଣ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଅପରାହ୍ନରେ କ୍ଷେତ୍ର ପରିଦର୍ଶନରେ ଯାଇ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପିପିଲିପାଲି ଗାଁରେ ଥିବା ପରମେଶ୍ୱରୀ ତନ୍ତୁବାୟ ସହଯୋଗ ସମିତି ଲିଃ. ଠାରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ ବୁଣାକାରମାନଙ୍କୁ ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ l ତତସହିତ ସମିତିର ସୂତା ଓ ରଙ୍ଗେଈର ବିଭିନ୍ନ ଆନୁସଙ୍ଗିକ ପଦ୍ଧତି ଗୁଡିକ ବୁଲି ପ୍ରଶଂସା ମଧ୍ୟ କରିଥିଲେ l ଏହା ପରେ ୩୪ ଜଣ ବୁଣାକାର ହିତାଧିକାରୀଙ୍କୁ ହସ୍ତ ତନ୍ତ ସରଞ୍ଜାମ ବଣ୍ଟନ କରି ଲୁଗା ବୁଣା ରେ ଉତ୍ତମମାନ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ l ଉକ୍ତ ସମୀକ୍ଷା ବୈଠକ ଏବଂ କ୍ଷେତ୍ର ପରିଦର୍ଶନରେ ବୟନିକା ସଭାପତି  ପ୍ରକାଶ ଚନ୍ଦ୍ର ମେହେର, ବୟନ ଶିଳ୍ପ ଯୁଗ୍ମ ନିର୍ଦ୍ଦେଶକ ( ପଶ୍ଚିମାଞ୍ଚଳ ) ବରଗଡ ପ୍ରସନ୍ନ କୁମାର ଗନ୍ତାୟତ, ଭାରପ୍ରାପ୍ତ ବୟନ ଶିଳ୍ପ ଉପନିର୍ଦ୍ଦେଶକ ସୋନପୁର ବିନାୟକ ପୃଷ୍ଟି, ବୟନ ପର୍ଯ୍ୟବେକ୍ଷକ ଧ୍ରୁବରାଜ ମେହେର ଙ୍କ ସହିତ ଅନ୍ୟ ସମସ୍ତ କ୍ଷେତ୍ର କର୍ମଚାରୀ ଉପସ୍ଥିତ ଥିଲେ l କିନ୍ତୁ ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ବାବଦରେ କୌଣସି ସୂଚନା ସାମ୍ୱାଦିକଙ୍କୁ ମିଳି ନ ଥିବା ବେଳେ ସନ୍ଧ୍ୟା ବେଳକୁ ସମ୍ପୃକ୍ତ ବିଭାଗ ପକ୍ଷରୁ ଡିଆଇପିଆରଓ ଜରିଆରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କାର୍ଯ୍ୟଧାରାର ବିସ୍ତୃତ ବିବରଣୀ ପଠାଇ ଦିଆ ଯାଇଥିଲା ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.