ରାୟଗଡାରେ ବାଟବଣା କୋଭିଡ ନିୟମ କଟକଣା

● ବିଏସକେୱାଇ କାର୍ଡ ବଂଟନ କେନ୍ଦ୍ରରେ ଜନଗହଳି, ଏପଟେ ମୁଖ୍ୟ ବଜାରରେ ପ୍ରଶାସନ କରୁଛି ଜନ ସଚେତନତା

● କରୋନା ବ୍ୟାପିବା ଆଶଙ୍କା

ରାୟଗଡା, (ଶିବ ନାରାୟଣ ଗୈାଡ): ବିଦେଶରେ ପୁଣି କୋଭିଡ-୧୯ର ନୂଆ ଭାରିଆଂଟ ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ପକ୍ଷରୁ ସମଗ୍ର ବିଶ୍ୱକୁ କୋଭିଡ-୧୯ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ଭାରତରେ ମଧ୍ୟ ଏହାକୁ ଗୁରୁତର ସହ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଓଡିଶା ସରକାର ମଧ୍ୟ ରାଜ୍ୟରେ କୋଭିଡ-୧୯ ନିୟମକୁ ଅନୁସରଣ କରି ତୃତୀୟ ଲହରର ପ୍ରଶୟ ନ ଦେବା ପାଇଁ ସମସ୍ତ ଜିଲ୍ଳାପାଳ, ଜିଲ୍ଳା ଆରକ୍ଷୀ ଅଧୀକ୍ଷକମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି । ତେବେ ରାୟଗଡା ଜିଲ୍ଳା ସଦର ମହକୁମାରେ କୋଭିଡ-୧୯ ନିୟମକୁ ସଂପୂର୍ଣ୍ଣ ଭାବେ ଉଂଲଘନ କରାଯାଉଥିବା ବେଳେ ଜିଲ୍ଳା ଓ ପୋଲିସ ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ୍ ହୋଇ ବସିଛି । ଫଳରେ ରାୟଗଡାରେ ବାଟବଣା କୋଭିଡ-୧୯ ନିୟମ କଟକଣା ।


ମାନ୍ୟବର ମୁଖ୍ୟମନ୍ତ୍ରୀ ରାୟଗଡା ଜିଲ୍ଳାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡର ଶୁଭାରମ୍ଭ କରିଥିବା ବେଳେ ଏହି କାର୍ଡ ବଂଟନ କେନ୍ଦ୍ର ଗୁଡିକରେ ସଂପୂର୍ଣ୍ଣ ଭାବେ କୋଭିଡ-୧୯ ନିୟମକୁ ଖୋଲାଖୋଲି ଉଂଲଘନ କରାଯାଇଛି । କାର୍ଡ ବଂଟନ କେନ୍ଦ୍ର ଗୁଡିକରେ କାର୍ଡ ପାଇବାକୁ ଚିହ୍ନଟ ହୋଇଥିବା ଯୋଗ୍ୟ ହିତାଧିକାରୀମାନେ ବିନା ମାସ୍କ ସହ ସାମାଜିକ ଦୂରତା ନିୟମକୁ ଉଲଂଘନ କରୁଥିବାର ଦେଖିବାକୁ ମିଳିଛି । ଶତାଧିକ ହିତାଧିକାରୀ ବଂଟନ କେନ୍ଦ୍ରଗୁଡିକରେ ସାମାଜିକ ଦୂରତା ମାନି ଧାଡିରେ ଠିଆ ହେବା ପରିବର୍ତେ ଠେଲାପେଲା ହୋଇ କାର୍ଡ ନେବା ପାଇଁ ଗହଳି କରୁଥିବାରୁ ଉକ୍ତ ସ୍ଥାନଗୁଡିକରେ କୋଭିଡ ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା କରାଯାଉଛି । ଅପରପକ୍ଷେ କେନ୍ଦ୍ରଗୁଡିକରେ ନାହିଁ ନ ଥିବା ଜନ ଗହଳିକୁ ଛାଡି ରାୟଗଡା ମୁଖ୍ୟ ବଜାରରେ ଆଜି ଜିଲ୍ଳା ପ୍ରଶାସନ ପକ୍ଷରୁ ଅତିିରିକ୍ତ ତହସିଲଦାର ସୁନୀଲ ଖରା, ପୈାର ପରିଷଦର ନିର୍ବାହୀ ଅଧିକାରୀ ୟାସିଦ ବିଲାଲ୍ ଅହମ୍ମଦଙ୍କ ସମେତ ରାୟଗଡା ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ ଓ ପୋଲିସ ଷ୍ଟାଫମାନେ ମିଶି ବଜାରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଏବଂ ବଜାରକୁ ଆସୁଥିବା ଗ୍ରାହକମାନଙ୍କୁ ମାସ୍କ ପିନ୍ଧିବା,ସାମାଜିକ ଦୂରତା ବଜାୟ ରଖିବା ପାଇଁ ସଚେତନତା କରିଥିବା ବେଳେ ବ୍ୟବସାୟମାନଙ୍କୁ କୋଭିଡ-୧୯ନିୟମକୁ କଡାକଡା ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନଚେତ ଆସନ୍ତାକାଲି ଠାରୁ କୋଭିଡ୍‌-୧୯ ନିୟମକୁ ମାନୁ ନ ଥିବା ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ଅତିିରିକ୍ତ ତହସିଲଦାର ଶ୍ରୀ ଖରା ପ୍ରକାଶ କରିଛନ୍ତି ।


ସେହିପରି ରାୟଗଡା ପୈାର ପରିଷଦ ପକ୍ଷରୁ ସହରର ୧୫ଟି ସ୍ଥାନରେ ବିଏସକେୱାଇ କାର୍ଡ ବଂଟନ କେନ୍ଦ୍ରଗୁଡିକ ଖୋଲାଯାଇଥିବା ବେଳେ କୋଭିଡ-୧୯ ନିୟମ ପାଳନ ବ୍ୟବସ୍ଥା କରାଯାଇ ନ ଥିବାରୁ ହିତାଧିକାରୀମାନେ ଖୁଲମଖୁଲା କଟକଣାକୁ ଫୁ କରୁଛନ୍ତି । ଏ ନେଇ ରାୟଗଡା ପୈାର ପରିଷଦର ନିର୍ବାହୀ ଅଧିକାରୀ ୟାସିଦ ବିଲାଲ୍ ଅହମ୍ମଦଙ୍କୁ ପଚାରିବାରୁ ସେ ନିଜେ ଆସନ୍ତାକାଲି ସମସ୍ତ କେନ୍ଦ୍ରଗୁଡିକ ପରିଦର୍ଶନ କରିବା ସହ କୋଭିଡ-୧୯ ନିୟମ ମଧ୍ୟରେ କେନ୍ଦ୍ରକୁ କାର୍ଡ ନେବା ପାଇଁ ଆସୁଥିବା ହିତାଧିକାରୀମାନେ ବିନା ମାସ୍କରେ ଆସିଲେ କିମ୍ବା ସାମାଜିକ ଦୂରତାକୁ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ପୋଲିସ ପ୍ରଶାସନ ସହ ଆଲୋଚନା କରି କେନ୍ଦ୍ରଗୁଡିକରେ ପୋଲିସ ମୁତୟନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ବର୍ତମାନ ଜିଲ୍ଳାରେ ଆଜି ପର୍ଯ୍ୟନ୍ତ ସମୁଦାୟ ୨୦,୨୦୯ଜଣ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରେ ୨୦,୦୩୦ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୭ ଟି ସକ୍ରିୟ କେସ୍ ଓ ୧୬୨ଜଣ କୋଭିଡରେ ଆଖି ବୁଜିଥିବା ନେଇ କୋଭିଡ ଓ୍ବେବସାଇଟରେ ଉପଲବ୍ଧ ତଥ୍ୟରୁ  ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.