ହୋଇପାରୁନାହିଁ ଉତ୍ତମ ଚିକିତ୍ସା, ଯନ୍ତ୍ରଣାରେ ଛଟପଟ ହେଉଛି ୯ବର୍ଷର ଝିଅ

ଜିଲ୍ଲା ପ୍ରଶାସନ ଦୃଷ୍ଟି ଦିଅନ୍ତୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଂଚାୟତ ବୁଢିମୁଣ୍ଡା ଗାଁର ପପୁ ସୁନାଙ୍କ ଝିଅ ୯ ବର୍ଷର ଝିଅ ମନୀଷା ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛି । ତାକୁ ଯେତେବେଳେ ଚାରି, ପାଂଚ ବର୍ଷ ହେଉଥିଲା ସେତେବେଳେ ତା’ର ଛାତିରେ ଯନ୍ତ୍ରଣା ହେବା ଆରମ୍ଭ ହେଲା । ପପୁ ଜଣେ ଶ୍ରମିକ ଶ୍ରେଣୀର ଲୋକ । କାମଧନ୍ଦା କରି ପରିବାର ପ୍ରତିପୋଷଣ କରିଥାନ୍ତି । ମନୀଷାର ଏ ଅବସ୍ଥା ଦେଖି ତାକୁ ବଲାଙ୍ଗୀର ଓ ବୁର୍ଲାକୁ ନେଇ ପରୀକ୍ଷା କରାଇଥିଲେ । ଡାକ୍ତର ପରୀକ୍ଷା ନିରୀକ୍ଷା କରି ମନୀଷାର ହାର୍ଟ ସମସ୍ୟା ଥିବା କହିଥିଲେ । ଏଥିପାଇଁ ଅର୍ଥ ନ ଥିବାରୁ ସେ ଏହାର ଅପରେସନ କରି ପାରି ନ ଥିଲେ । ପରେ ୨୦୧୯ ମସିହାରେ ଗୁଜୁରାଟର ରାଜକୋଟରେ ଦାଦନ ଖଟିବାକୁ ଯାଇଥିଲେ ସପରିବାର । ସେଠାରେ ଦି’ପଇସା ରୋଜଗାର କରିବା ପରେ ଗୁଜୁରାଟ ସ୍ଥିତ ସତ୍ୟସାଇ ହସପିଟାଲରେ ହାର୍ଟ ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ହେଲା ସତ କିନ୍ତୁ କିଛି ମାସ ପରେ ଅସ୍ତ୍ରୋପଚାର ଜାଗାରେ ଇନଫେକସନ ହୋଇ କ୍ଷତ ହେବା ସହ ପୂଜ, ରକ୍ତ ବାହାରିଲା । ସେ ଇତି ମଧ୍ୟରେ ଗାଁରେ ରହିଥିଲେ ମଧ୍ୟ ବିଭିନ୍ନ ଡାକ୍ତରଖାନାରେ ଦେଖାଇ କିଛି ଔଷଧ ଆଣି ଭଲ କରିବାର ଚେଷ୍ଟାରେ ଥିଲେ । ତଥାପି ଉନ୍ନତି ହୋଇ ନ ଥିଲା । ଏନେଇ ଗତ ବର୍ଷ ଝିଅର ଅବସ୍ଥା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ କର୍ଲାମୁଣ୍ଡା ମେଡିକାଲର ଏକ ଟିମ ଯାଇ ଅନୁଧ୍ୟାନ କରିଥିଲେ । ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ମନୀଷାର ଚିକିତ୍ସା ପାଇଁ କଳାହାଣ୍ଡି ସି.ଡି.ଏମ୍‌.ଓ ଗୁଜୁରାଟର ସତ୍ୟସାଇ ହସପିଟାଲକୁ ଚିଠି କରିଥିଲେ ଓ କର୍ଲାମୁଣ୍ଡା ସିଏଚ୍‌ସିର ଡା. ଶିଖିଧ୍ୱଜ ପଟେଲଙ୍କ ତତ୍ୱାବଧାନରେ ମନୀଷାର ଚିକିତ୍ସା ପାଇଁ ଗତ ବର୍ଷ ଜୁଲାଇ ମାସରେ ପଠାଇଥିଲେ । ସେଠାରେ କେବଳ କିଛି ଔଷଧ ଦେଇ ଘା ଶୁଖିଯିବ ବୋଲି ଡାକ୍ତରମାନେ କହିଥିବା ମନୀଷାର ବାପା ପପୁ ସୁନା ପ୍ରକାଶ କରିଥିଲେ । ସେଠୁ ପୁଣି ଫେରିଆସିବାର ୧୦ ମାସ ବିତିଗଲାଣି, ହେଲେ ମନୀଷାର ଅବସ୍ଥା ଯେଉଁଠାକୁ ସେଇଟା ରହିଛି । ଯନ୍ତ୍ରଣା ଧିରେ ଧିରେ ବଢିବାକୁ ଲାଗିଛି । ଏପରିସ୍ଥଳେ ତା’ର ଉଚ୍ଚତର ଚିକିତ୍ସା ପାଇଁ ବାପା, ମା ଆକୁଳ ନିବେଦନ କରିଛନ୍ତି । ଅତ୍ୟନ୍ତ ଗରିବ, ଦିନ ମଜୁରିଆ ପପୁ ଝିଅର ଚିକିତ୍ସା କରିବା ପାଇଁ ଅକ୍ଷମ । ଯଦି ମନୀଷାର ଉଚ୍ଚତର ଚିକିତ୍ସା ପାଇଁ ପ୍ରଶାସନ ପଦକ୍ଷେପ ନ ନିଏ, ତେବେ ତାର ଭବିଷ୍ୟତ ଅନ୍ଧକାର ରହିଯିବ । ଏଥିପାଇଁ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ କୌଣସି ଏକ ବଡ ଡାକ୍ତରଖାନାରେ ତାର ଚିକିତ୍ସା କରିବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.