ଓଡ଼ିଆ ବିଭାଗର ‘ସୃଜନୀର ବିଚ୍ଛୁରଣ’ କାର୍ଯ୍ୟକ୍ରମ : ସାହିତ୍ୟିକ ରାସବିହାରୀ ବେହେରାଙ୍କ ସହ ସାମ୍ନାସାମ୍ନି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ‘ସୃଜନୀର ବିଚ୍ଛୁରଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସାହିତ୍ୟିକ, ସଂପାଦକ, ସଂଗଠକ, କ୍ରୀଡ଼ାବିତ, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ରାସବିହାରୀ ବେହେରା। କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଯୁବ ସଂସ୍କାର ହଲରେ ଆୟୋଜିତ କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗ ମୁଖ୍ୟ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଆଲୋଚକ ଭାବେ ଅଧ୍ୟାପକ ପରେମଶ୍ବର ମୁଣ୍ଡ ଶ୍ରୀ ବେହେରାଙ୍କ କୃତି ଉପରେ ଆଲୋକପାତ କରିଥିଲେ। ତାଙ୍କ ସହିତ ସ୍ନାତକୋତ୍ତର ଛାତ୍ର ଆଶୀର୍ବାଦ ବେହେରା ଓ ଯଶୋବନ୍ତ ସାହୁ ମଧ୍ୟ ଶ୍ରୀ ବେହେରାଙ୍କ ବିଷୟରେ ଆଲୋଚନା କରିଥିଲେ। ଏଥିରେ ବିଶ୍ବବିଦ୍ୟାଳୟର ଡାଇରେକ୍ଟର୍ (ଏକାଡେମିକ୍) ଡ. ବୀରେନ୍ଦ୍ର ସୁନା, ପିଜି କାଉନସିଲ୍ ଅଧ୍ୟକ୍ଷା ଡ. ନିବେଦିତା ନାଥ, ଇଂରାଜୀ ବିଭାଗ ମୁଖ୍ୟ ମେଜର୍ ଡ. ଜୟଦେବ ସାହୁ ଓ ବିଶିଷ୍ଟ ନାଟ୍ୟକାର ଡ. ଉମେଶ ଶତପଥୀ ମଞ୍ଚାସୀନ ଥିଲେ।
ଔପନ୍ୟାସିକ ଶ୍ରୀ ବେହେରା ନିଜ ଜୀବନର ବିଭିନ୍ନ ପର୍ଯ୍ୟାୟ ଉପରେ ଉପସ୍ଥାପନ କରିଥିବା ବେଳେ ଉପସ୍ଥିତ ଶ୍ରୋତା ଓ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ। ସେ ଏକାଧାରରେ ଜଣେ ରାଜନୀତିଜ୍ଞ, ଔପନ୍ୟାସିକ, ପ୍ରାବନ୍ଧିକ, ସମ୍ପାଦକ ଓ ସମାଜସେବୀ ହୋଇଥିବା ବେଳେ ତାଙ୍କର ସାହିତ୍ୟ ଓଡ଼ିଶା ସାହିତ୍ୟର ଅମୂଲ୍ୟ ସମ୍ପଦ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରମାନେ ମଧ୍ୟ ଶ୍ରୀ ବେହେରାଙ୍କ ସାହିତ୍ୟ ଯାତ୍ରା ଉପରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ। ଏଥି ସହିତ ଓଡ଼ିଆ ବିଭାଗର ପାଞ୍ଚଜଣ ପିଜି ଛାତ୍ର-ଅଧ୍ୟାପକ ଯେଉଁମାନେ ଗତବର୍ଷ ସୁନ୍ଦର ଭାବେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ପଢ଼ାଇଥିଲେ, ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଓଡ଼ିଆ ବିଭାଗର ପିଏଚଡି ଗାଇଡ଼ମାନଙ୍କ ନାଁ ମଧ୍ୟ ଘୋଷିତ ହୋଇଥିଲା।
ଏହି ଅବସରରେ ବିଶ୍ବବିଦ୍ୟାଳୟ ପାଠାଗାର ପରିସରରେ ସ୍ୱୟଂ ଲେଖକ ‘ରାସବିହାରୀ ବେହେରା କୃତିକୋଣ’ (ବୁକ୍ କର୍ଣ୍ଣର୍) ଉଦଘାଟନ କରିଥିଲେ। ଏଥିରେ ଅଧ୍ୟାପକ ଡ. ରାକେଶ ବିଶି, ଡ. ସୁରଞ୍ଜନ ପ୍ରଧାନଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଡ. ଦୟାନିଧି ପରିଡ଼ା, ଡୋଳାମଣି ଧରୁଆ, ରେଣୁକା ଡାକୁଆ, ଡ. ପ୍ରତ୍ୟାଶା ଧଳ, ଜୟନ୍ତୀ ଭୋଇ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ। ଧନ୍ୟବାଦ ଦେଇଥିଲେ ଅଧ୍ୟାପକ ଜୟଦ୍ରଥ ସୁନା। ଆଗାମୀ ଦିନରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଶ୍ରୀ ବେହେରାଙ୍କ କୃତି ଓ ପାଣ୍ଡୁଲିପିର ଡିଜିଟାଇଜେସନ୍ କରି ଓଡ଼ିଆ ବିଭବ ୱେବସାଇଟରେ ଉପଲବ୍ଧ କରାଯିବ ବୋଲି ସୂଚନା ମିଳିଛି।