ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ପଞ୍ଚାୟତ ଚିଲିଗୁଡା ଠାରେ ରାସ୍ତାରେ ଧାନ ତଳି ରୋପଣ କଲେ ପଡ଼ାବାସୀ। ସୂଚନା ଅନୁସାରେ, ଚିଲିଗୁଡା ବସଷ୍ଟାଣ୍ଡ କ୍ଳବ ଗୃହ ଠାରୁ ପୁଝାରୀପଡା, ଶବର ପଡା ଓ ସିଂ ପଡାକୁ ସଂଯୋଗ କରୁଥିବା କଂକ୍ରିଟ ରାସ୍ତା କାଦୁଅ ପଚ ପଚ ହୋଇ ଶୋଚନୀୟ ହୋଇପଡିଛି। ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷାପାଣି ନିଷ୍କାସନ ହୋଇପାରୁନି। ଅଳ୍ପ ବର୍ଷା ହେଲେ ରାସ୍ତାରେ ପାଣି କାଦୁଅ ଜମି ରହୁଥିବାରୁ ୩ ଟି ପଡ଼ାର ଲୋକେ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପଡାବାସୀ ପ୍ରକାଶ କରିଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ସମସ୍ୟାର ସମାଧାନ କରୁନାହାନ୍ତି ବୋଲି ଆଜି ପଡାବାସୀ ଏହି କାଦୁଅ ରାସ୍ତାରେ ଧାନ ତଳି ରୋପଣ କରିଛନ୍ତି। ଏହି ସମସ୍ୟା ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ କୈଳାଶ ଚନ୍ଦ୍ର ସିଂ, ମୀରା ସିଂ, କଳ୍ପନା ସିଂ, ନରେନ୍ଦ୍ର ସିଂ, ଜୟସିଂ ଶବର, ବିଦ୍ୟାଧର ଶବର, ଦୈତାରୀ ବାରିକ, ଦେବେନ୍ଦ୍ର ଶବର, କୃଷ୍ଣ ମାଝୀ ସମେତ ପଡାବାସୀ ଦାବି କରିଛନ୍ତି। ଯଦି ପ୍ରଶାସନ ସମସ୍ୟାର ସମାଧାନ ନକରିବେ ତାହେଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରି ଆନ୍ଦୋଳନ କରିବା ପାଇଁ ପଡାବାସୀ ଚେତାବନୀ ଦେଇଛନ୍ତି।