ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଧରା ପୃଷ୍ଠରୁ ବିଦାୟ ନେଲେ ସିଦ୍ଧିଦାତା ଶ୍ରୀ ଗଣେଶ । ପୁଣି ବର୍ଷକର ଅପକ୍ଷା । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଞ୍ଚଳରେ ୩୫୦ ରୁ ଉର୍ଦ୍ଧ୍ବ ସ୍ଥାନରେ ବିଭିନ୍ନ କ୍ଲବ ଓ ଅନୁଷ୍ଠାନ ଗୁଡିକ ତରଫରୁ ମଙ୍ଗଳବାର ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା । ପରଦିନ ବୁଧବାର ପଞ୍ଚମୀ ତିଥିରେ ଗଣପର୍ବ ନୂଆଖାଇ ରହିଥିବାରୁ ସମସ୍ତ ବିଦ୍ୟାଳୟ, କଲେଜ ଓ ଅନେକ ଅନୁଷ୍ଠାନ ଗୁଡିକର ଗଣେଷ ମୂର୍ତ୍ତି ବିସର୍ଜନ ମଙ୍ଗଳବାର ସନ୍ଧ୍ୟା ଓ ବୁଧବାର ସକାଳୁ ସାରିଯାଇଥିଲା । ନୂଆଖାଇ ବାସୀ ଗୁରୁବାର ଦିନ ମୂର୍ତ୍ତି ଭଷାଣି ଶାସ୍ତ୍ର ମତେ ବାରଣ କରାଯାଇଥିବାରୁ ଶୁକ୍ରବାର ସନ୍ଧ୍ୟାରେ ପ୍ରାୟତଃ ସମସ୍ତ କ୍ଲବ, ଅନୁଷ୍ଠାନ ଗୁଡିକର ଗଣେଶ ପୂଜା ବିସର୍ଜନ ଅନୁଷ୍ଠିତ ହୋଇଛି । ଗୁରୁବାର ସର୍ଗିଗୁଡା ମାଝୀପଡାର ଗଣେଶ ବିସର୍ଜନ କରାଯାଇଥିଲା । ହେଲେ ରୁପ୍ରାରୋଡ଼ର ବହୁ ପ୍ରସିଦ୍ଧ ଗଣେଶ ପୂଜାର ବିସର୍ଜନ ଉତ୍ସବ ମହା ଆଡମ୍ବର ସହକାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ରୁପ୍ରାରୋଡ଼ର ରୋୟାଲ ଗୃପ ପୂଜା କମିଟି ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଥିଲା ଭବ୍ୟ ଗଣେଶ ପୂଜା । ମଙ୍ଗଳବାରରୁ ଗୁରୁବାର ତିନିଦିନ ଧରି ଭବ୍ୟ ମଞ୍ଚରେ ପୂଜିତ ହେଉଥିଲେ ଶ୍ରୀ ଗଣେଶ । ରୋୟାଲ ଗୃପ ପୂଜା କମିଟିର ସଦସ୍ୟ ମାନେ ଶୁକ୍ରବାର ସନ୍ଧ୍ୟା ସମୟରେ ଡିଜେ ବାଜାର ତାଳେ ତାଳେ ଏକ ଭବ୍ୟ ପଟୁଆରରେ ଯାଇ ବିସର୍ଜନ କରିଥିଲେ ଗଣେଶ ମୂର୍ତ୍ତିକୁ । ରୁପ୍ରାରୋଡ଼ ଅଞ୍ଚଳବାସୀଙ୍କ ସାହାଯ୍ୟ ସହଯୋଗରେ ଶୃଙ୍ଖଳିତ ଭାବରେ ଗଣେଶ ପୂଜା ସମ୍ପନ୍ନ ହୋଇଥିବାରୁ ରୋୟାଲ ଗୃପ ପୂଜା କମିଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।