ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: ସୃଜନୀ ପରିବାର ଚେନ୍ନାଇ ଦ୍ବାରା ‘ଆଦିଭୂମିର ଗଣପର୍ବ ନୂଆଖାଇ’ ଶୀର୍ଷକରେ ଆଲୋଚନାଚକ୍ର ତଥା ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଗୋବର୍ଦ୍ଧନ ପନିକା ଯୋଗଦେଇଥିବା ବେଳେ ମୁଖ୍ଯ ବକ୍ତା ଭାବେ ବର୍ଷିୟାନ୍ ନାଟଗୁରୁ ନରସିଂହ ତ୍ରିପାଠୀ ଯୋଗ ଦେଇଥିଲେ। ସମ୍ମାନିତ ବକ୍ତା ଭାବେ ଲୋକକବି ରଞ୍ଜନ ମହୁରିଆ, ଲୋକ ସଂସ୍କୃତି ଗବେଷକ ସାଇମନ ବିଡିକା, ପ୍ରାବନ୍ଧିକା ପ୍ରଭାତୀ ବିଷୋୟୀ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂପାଦକ ଅଶୋକ ସାମନ୍ତ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଆକାଶବାଣୀର କଣ୍ଠଶିଳ୍ପୀ ବିଦ୍ୟୁତପ୍ରଭା ପଟ୍ଟନାୟକ ସଂଗୀତ ପରିବେଷଣ କରିଥିଲେ। ଯୁବ ସାହିତ୍ୟିକ ସବ୍ୟସାଚୀ ବିଷୋୟୀ ସଭା ପରିଚାଳନା କରିଥିଲେ। ସୃଜନୀ ପରିବାରର ମୁଖ୍ଯ ଉପଦେଷ୍ଟା ଆଶୁତୋଷ ସାମନ୍ତସିଂହାର, ଉପଦେଷ୍ଟା ଗୋଦାବରୀଶ ମିଶ୍ର, ଡ. ବାସନ୍ତୀ ମହାନ୍ତି ଯୋଗଦେଇଥିବା ବେଳେ ଗଣେଶ ଚନ୍ଦ୍ର ବିଷୋୟୀ ଦେଶିଆ କବିତା ଆବୃତ୍ତି କରିଥିଲେ। ଭର୍ଚୁଆଲ ମାଧ୍ଯମରେ ଅନୁଷ୍ଠିତ ଏହି ବୈଠକରେ ନୂଆଖାଇ ଉପରେ ଉପାଦେୟ ତଥ୍ୟ ସବୁ ଆଲୋଚନା ହୋଇଥିଲା। କୋରାପୁଟରୁ ଆରମ୍ଭ ହୋଇଥିବା ନୂଆଖାଇ ଆଜି ବିଶ୍ଵର କୋଣ ଅନୁକୋଣରେ ପ୍ରସାର ଲାଭ କରିଥିବା ଅତିଥିମାନେ କହିଥିଲେ। ଶେଷରେ ସମ୍ପାଦକ ଅଶୋକ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।