ଝରବାହାଲି ବିଦ୍ୟାଳୟରୁ ଏମଡିଏମ ଟଙ୍କା ଆତ୍ମସାତ ପ୍ରସଙ୍ଗ : ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ପ୍ରକଳ୍ପ ଉଚ୍ଚ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ବାବଦରେ ଆସିଥିବା ୧ଲକ୍ଷ ଟଙ୍କା ଉଠାଣ କରି ଆତ୍ମସାତ କରିଥିବା ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ସଇଁତଲା ବ୍ଲକ ଶିକ୍ଷା ବିଭାଗ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି l ଏ ନେଇ ମଙ୍ଗଳବାର ‘ଓଡ଼ିଆ ବାର୍ତ୍ତା’ରେ ଖବର ପ୍ରକାଶିତ ହେବା ପରେ ଶିକ୍ଷା ବିଭାଗ ତତ୍ପରତା ଦେଖାଇ ପ୍ରଧାନ ଶିକ୍ଷକ ବିଜୟ ମଲ୍ଲିକଙ୍କୁ ଏମଡିଏମ ଘଟଣାକୁ ନେଇ ଚିଠି ନଂ ୧୭୯୯ ଓ ତାରିଖ ୦୪/୧୦/୨୦୨୩ ଅନୁସାରେ କାରଣ ଦର୍ଶାଅ ନୋଟିସ ଜାରୀ କରିଛନ୍ତି l ଏହି ଘଟଣାର ତଦନ୍ତ କରି ପ୍ରଧାନ ଶିକ୍ଷକଙ୍କ ବିରୋଧ କଠୋର କାଯ୍ୟନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଗ୍ରାମବାସୀ ବାଧ୍ୟ ହୋଇ ବିଦ୍ୟାଳୟରେ ତାଲା ଦେବା ପାଇଁ ସଜବାଜ ହେଉଥିବା ଚେତାବନୀ ଦେଇଛନ୍ତି l ପ୍ରକାଶ ଯେ, ଏହି ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ରହିଥିବା ବେଳେ ୧୬୮ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି l ଉକ୍ତ ପ୍ରଧାନ ଶିକ୍ଷକଙ୍କ ସମେତ ୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି l ହେଲେ ବିଦ୍ୟାଳୟର ଶ୍ରେଣୀ କୋଠରୀ ଗୁଡିକ ପରିତ୍ୟକ୍ତ ଅବସ୍ଥାରେ ରହିଥିବାରୁ ପିଲାମାନେ ବାରଣ୍ଡା ପାଠ ପଢୁଛନ୍ତି l ଅନ୍ୟପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ ମଲ୍ଲିକ ଗତ ଜୁଲାଇ ୭ ତାରିଖ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଥିଲେ l ଏ ନେଇ ଗତ ୨୦ ଜୁଲାଇ ୨୦୨୩ ରେ ୫୦ ହଜାର ଟଙ୍କା ଉଠାଣ କରିଥିଲେ l ଏହାପରେ ୪ ଅଗଷ୍ଟରେ ମଧ୍ୟ ୫୦ ହଜାର ଟଙ୍କା ପୁଣି ଉଠାଣ କରିଥିଲେ l ଏଥିରେ ବିଦ୍ୟାଳୟର ଏମଡିଏମ ଟଙ୍କା ସମୁଦାୟ ୧ ଲକ୍ଷ ଟଙ୍କା ଉଠାଣ କରିଥିବା ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି l ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚନ୍ଦ୍ରଭାନୁ ବଗର୍ତିଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷକ ନୂତନ ଭାବେ ବିଦ୍ୟାଳୟରେ ଯୋଗ ଦେଇଥିବାରୁ ଆକାଉଣ୍ଟ ବଦଳିବ ଦସ୍ତଖତ କରିବା ଅନୁରୋଧ କରିଥିଲେ l ଅଯଥାରେ ମୋତେ ବଦନାମ କରାଯାଉଛି ବୋଲି ପ୍ରକାଶ କରିଥିଲେ l ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ କମିଟି ସଭାପତି ଚନ୍ଦ୍ରଭାନୁ ବଗର୍ତି, ସଦସ୍ୟ ରାଧେଶ୍ୟାମ ନାଏକ, ଅକ୍ଷୟ ଘିଭେଲା, ପରମା ବାରିକ, ସରୋଜ ନାଏକ, ଯୁବରାଜ ବଗର୍ତି ଓ ସୁନୀଲ ବଗର୍ତିଙ୍କ ସମେତ ସ୍କୁଲ କମିଟି ଓ ଗ୍ରାମବାସୀମାନେ ଦାବି କରିଛନ୍ତି  l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.