ରାୟଗଡାରେ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ଗୋପବନ୍ଧୁଙ୍କୁ ଭାରତ ରତ୍ନ ପ୍ରଦାନ ଦାବି କଲେ ସ୍ଥାନୀୟ ସଂଗଠନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜୟନ୍ତୀ ଆଜି ରାୟଗଡାରେ ପାଳିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ ଦିଆଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନୀତ ଅତିଥି ଭାବେ ରାୟଗଡା ପୌର ପରିଷଦ ଅଧକ୍ଷ୍ୟ ମହେଶ ପଟ୍ଟନାୟକ, ଶିକ୍ଷାବିତ୍ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସର୍ବୋଦୟ ମଣ୍ଡଳର ସମ୍ପାଦକ ଡକ୍ଟର ବାଦଲ ତା, ସଭାପତି ବିଜୟ କୁମାର ବାବୁ ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପ୍ରଦୀପ କୁମାର ଦାସ, ଗୋପୀନାଥ ସାହୁ, ରାଜେନ୍ଦ୍ର କିଶୋର ପଣ୍ଡା, ବିଭିନ୍ନ ସାମ୍ବାଦିକ ସଂଘର ସଦସ୍ଯମାନେ, ସକ୍ଷମ, ରାୟଗଡା ଭିନ୍ନକ୍ଷମ ମହାସଂଘ, ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ ଓ ସେବା ସମାଜର କୁନି କୁନି ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ‘ସମାଜ’ର ଜିଲ୍ଲା ପ୍ରତିନିଧ ରଘୁନାଥ ପଟ୍ଟନାୟକ ପରିଚାଳନା କରିଥିଲେ । ଏ ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକ ପତ୍ର ଦେବା ଉଦ୍ଦେଶ୍ୟରେ ହସ୍ତାକ୍ଷର ଅଭିଯାନ କରାଯାଇଛି ।

ଏଥିରେ ଆଇନ ମନ୍ତ୍ରୀଙ୍କ ସମେତ ଉପସ୍ଥିତ ସମସ୍ତ ମାନ୍ଯଗଣ୍ଯ ବ୍ଯକ୍ତି, ଛାତ୍ରଛାତ୍ରୀ, ସାମ୍ବାଦିକମାନେ ଦସ୍ତଖତ କରିଛନ୍ତି । ଓଡ଼ିଶାରେ ଜନ୍ମିତ ଅନେକ ପ୍ରତିଭା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି । ବିଶେଷକରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଅବଦାନ ଅତୁଳନୀୟ । ଓଡ଼ିଶାର ଅଭାବ ଅସୁବିଧାକୁ ଜାତୀୟ ନେତୃତ୍ୱଙ୍କ ଦୃଷ୍ଟିକୁ ଆଣିବା, ସମସ୍ତ ବାଧାବିଘ୍ନ ସତ୍ତ୍ଵେ ବନ୍ୟା, ଦୁର୍ଭିକ୍ଷ, ମରୁଡି ପ୍ରଭାବିତଙ୍କୁ ସାହାଯ୍ୟ କରିବା, ଶିକ୍ଷାକ୍ଷେତ୍ରକୁ ସୁଦୃଢ କରିବାକୁ ପଦକ୍ଷେପ ନେଇ ସତ୍ୟବାଦୀ ବନ ବିଦ୍ୟାଳୟ ସ୍ଥାପନା, ଜନତାଙ୍କ ସ୍ବରକୁ ସୁଦୃଢ଼ କରିବାକୁ “ସମାଜ’ ଖବରକାଗଜ ଆରମ୍ଭ କରିବା ଭଳି ଅନେକ ସୂଦୂର ପ୍ରସାରୀ କାର୍ଯ୍ୟକ୍ରମ କରି ସେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ ।

ବର୍ତ୍ତମାନ ସୁଦ୍ଧା ୪୮ଜଣଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ “ଭାରତରତ୍ନ ଦିଆଯାଇଛି । ସେମାନଙ୍କ ମଧ୍ଯରୁ ୧୪ ଜଣଙ୍କୁ ମରଣୋତ୍ତର “ଭାରତରତ୍ନ” ମିଳିଛି । ହେଲେ ଏଥିରେ ଓଡ଼ିଶାର ଜଣେ ବି ବରପୁତ୍ର ସ୍ଥାନ ନ ପାଇବା ରାଜ୍ଯବାସୀଙ୍କୁ ବ୍ଯଥିତ କରିଛି । ଆଜି ଗୋପବନ୍ଧୁଙ୍କ ଜନ୍ମ ଦିନରେ ଆମପାଇଁ ଏହା ଏକ ଅମୃତ ସୁଯୋଗ । ଭାରତରତ୍ନ ପାଇଁ ଓଡ଼ିଶାର ବରପୁତ୍ର ମାନଙ୍କର ନାମ ଓଡିଶାର ଲୋକପ୍ରିୟ ନବୀନ ସରକାର ପ୍ରସ୍ତାବ ଦେଇପାରିବେ । ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ନିବେଦନ କରାଯାଇଛି । ନିକଟରେ “ନ୍ୟାସନାଲ ହ୍ୟୁମାନ ୱେଲ୍‌ଫେୟାର ବୋର୍ଡ ଟ୍ରଷ୍ଟ” ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଭାରତରତ୍ନ ପ୍ରଦାନ ନିମନ୍ତେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.