ନାଇକେନପାଲିରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ସ୍ଵାସ୍ଥ୍ୟକେନ୍ଦ୍ରର ସଭାଗୃହରେ ଡାକ୍ତର ଉଦିତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଦେବପ୍ରସାଦ ସାହୁ ଯୋଗ ଦେଇଥିଲେ। ମାନସିକ ସ୍ଵାସ୍ଥ୍ୟ ଏକ ସାର୍ବଭୌମ ମାନବିକ ଅଧିକାର ବୋଲି ସଭାରେ ଆଲୋଚନା ହେବା ସହ ସରକାରଙ୍କ ଦ୍ଵାରା ମାନସିକ ରୋଗର ପରାମର୍ଶ, ଔଷଧ, ନିରୂପଣ ଏବଂ ଚିକିତ୍ସା ମାଗଣାରେ ଉପଲବ୍ଧ ବୋଲି ସୂଚନା ପ୍ରଦାନ କରାଯାଇଥିଲା। ମାନସିକ ସମସ୍ୟା ସମ୍ପର୍କିତ କୌଣସି ସହାୟତା ପାଇଁ ଯେ କୌଣସି ସମୟରେ ଟେଲି ମାନସ ଟୋଲଫ୍ରି ନଂ ୧୪୪୧୬ କୁ କଲ୍ କରାଯାଇ ପାରିବ ବୋଲି ଉଲ୍ଲେଖ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମାନସିକ ଚାପ ପରିଚାଳଣା ପାଇଁ ଏକ କର୍ମଶାଳା ପରିଚାଳନା କରାଯାଇଥିଲା। ଯୋଗ ଶିକ୍ଷକ ତ୍ରିଲୋଚନ ତରିଆ ଏହି କର୍ମଶାଳାକୁ ପରିଚାଳନା କରିଥିବା ବେଳେ ଯୋଗ ଶିକ୍ଷକ ନୀଳାଚଳ ପ୍ରଧାନ ଏବଂ ସତ୍ୟାନନ୍ଦ ସାହୁ ଏଥିରେ ସହାୟତା କରିଥିଲେ। ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ସମଗ୍ର କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିବା ବେଳେ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ପ୍ରିୟଵରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୁଷ ଡାକ୍ତର ସୁଦୀପାରାଣୀ ବେହେରା, ଶାନ୍ତନୁ କୁମାର ମେହେର, ଏଡିଥ୍ ଖାଲକୋଙ୍କ ସମେତ ସ୍ଵାସ୍ଥ୍ୟ ଅନୁଷ୍ଠାନର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.