ଇସ୍ରାଏଲର ଘୋଷଣା – ଗାଜାରେ ହମାସ ଶାସନ ରହିବ ନାହିଁ

ଓଡ଼ିଆ ବାର୍ତ୍ତା/ ଗାଜା: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଭୟଙ୍କର ସ୍ଥିତିରେ । ହମାସ ପକ୍ଷରୁ ଦାବି କରାଯାଇଛି, ଗାଜା ପଟ୍ଟିରେ ଇସ୍ରାଏଲ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ସେପଟେ ଇସ୍ରାଏଲ ସରକାର ପକ୍ଷରୁ କୁହାଯାଇଛି, ଗାଜା ପଟ୍ଟିରେ ହମାସର ଶାସନ ରହିବ ନାହିଁ । ଅନ୍ୟପକ୍ଷେ ହମାସ ପକ୍ଷରୁ ସୋମବାର କୁହାଯାଇଛି, ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ ପରେ ବନ୍ଧକ ଭାବେ ଗାଜାପଟ୍ଟି ଆଣିଥିବା ୨ ଜଣ ମହିଳାଙ୍କୁ ଛାଡି ଦେଇଛି । କତାର ଏବଂ ମିଶର ମଧ୍ୟସ୍ଥତା ପରେ ଏହି ଦୁଇ ବନ୍ଧକଙ୍କୁ ମାନବିକତା ଦୃଷ୍ଟିରୁ ଛାଡି ଦିଆଯାଇଛି । ତେବେ ଇସ୍ରାଏଲ ଅଧିକାରୀ ଏହାର ସୂଚନା ଦେଇ ନାହାନ୍ତି । ହେଲେ ଇସ୍ରାଏଲ ମିଡିଆ ପକ୍ଷରୁ କୁହାଯାଇଛି, ଦୁଇ ମହିଳାଙ୍କୁ ଗାଜା ଏବଂ ମିଶର ମଝିରେ ରାଫା ସୀମାକୁ ନିଆ ଯାଇଥିଲା ।ଇସ୍ରାଏଲ ସରକାରଙ୍କର ଜଣେ ପ୍ରବକ୍ତା ଇଲୋନ ଲେବି କହିଛନ୍ତି, ଏହି ଯୁଦ୍ଧ ଶେଷ ହେବା ପରେ ଗାଜା ପଟ୍ଟି ଉପରେ ହମାସର ଶାସନ ରହିବ ନାହିଁ । ଇସ୍ରାଏଲ ସୋମବାର ମଧ୍ୟ ଗାଜା ଉପରେ ଆକାଶମାର୍ଗରୁ ଆକ୍ରମଣ କରିଛି । ଏଥିସହିତ ସାରା ରାତି ଦକ୍ଷିଣ ଲେବାନନ ଉପରେ ମଧ୍ୟ ଆକ୍ରମଣ କରିଛି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋବ ଗ୍ୟେଲେଣ୍ଟ କହିଛନ୍ତି, ପାଲେଷ୍ଟାଇନ ଆତଙ୍କୀ ହମାସ ସହ ଯୁଦ୍ଧ ଏବେ ଆହୁରି ଜୋରଦାର ହେବ । ଆକାଶ, ସମୁଦ୍ର ଏବଂ ସ୍ଥଳ ଭାଗରୁ ଆକ୍ରମଣ ଜୋରଦାର କରାଯିବ । ଯୁଦ୍ଧ ସ୍ଥିତିକୁ ଦେଖି ନେତନ୍ୟାହୁ ତାଙ୍କର ଟପ ଜେନେରାଲ ଏବଂ ଯୁଦ୍ଧ ମନ୍ତ୍ରୀମଣ୍ଡଳ ବୈଠକ ଡାକିଛନ୍ତି । ଯୁଦ୍ଧ ଗ୍ରସ୍ତ ଗାଜା ପଟ୍ଟିରେ ଥିବା ଲୋକଙ୍କୁ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ୨ କୋଟି ପାଉଣ୍ଡ ଘୋଷଣା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.