ଜେକେପୁରରେ ରାବଣ ପୋଡି ସହ ଚିତାକର୍ଷକ ଆତସାବାଜୀର ସମ୍ଭାର

ଶାରଦୀୟ ଦୁର୍ଗାପୂଜାରେ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବିଜୟା ଦଶମୀରେ ଜେକେପୁର ଠାରେ ହଜାର ହଜାର ଦର୍ଶକଙ୍କ ଗହଣରେ ରାବଣ ପୋଡି ସହ ସୁନ୍ଦର ଚିତାକର୍ଷକ ଆତସବାଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାବଣ ପୋଡି ନିମନ୍ତେ ପୂଜାର୍ଚ୍ଚନା କରିଥିଲେ।

ରାମ, ଲକ୍ଷ୍ମଣ ଓ ହନୁମାନ ବେଶରେ ପିଲାମାନେ ଉପସ୍ଥିତ ରହିଥିବା ବେଳେ ରାତ୍ର ସାଢେ ସାତଟା ସମୟରେ ୬୫ଫୁଟ ଉଚ୍ଚତାର ନିର୍ମିତ ଦଶ ମୁଣ୍ଡ ଥିବା ରାବଣ ପୁତ୍ତଳାରେ ମୁଖ୍ୟ ଅତିଥି ଏସପି ଶ୍ରୀ ଶର୍ମା ନିଆଁ ସଂଯୋଗ କରିଥିଲେ। ଏହି ରାବଣ ପୋଡି ତଥା ବିଭିନ୍ନ ରଙ୍ଗବେରଙ୍ଗ ବାଣର ଆତସବାଜୀ କାର୍ଯ୍ୟକ୍ରମକୁ ଜେକେପୁର, ରାୟଗଡା ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ଜିଲ୍ଲା ବାହାରରୁ ହଜାର ହଜାର ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

ଏଥିରେ ଜେକେ କାଗଜ କଳର କାର୍ଯ୍ୟ ନିର୍ବାହୀ ଉପ ସଭାପତି (କାର୍ମିକ) ତଥା ପୂଜା କମିଟି ଅଧ୍ୟକ୍ଷ ବିନୟ ଦ୍ବିବେଦୀ, ବିଶ୍ୱଜିତ୍ ଦ୍ଵିବେଦୀ ଉପ ସଭାପତି (ବାଣିଜ୍ଯ), ପୂଜା କମିଟି, ସମ୍ପାଦକ, ମାନବ ସମ୍ବଳ ବିକାଶ ବିଭାଗ ମହା ପ୍ରବନ୍ଧକ ସନ୍ଦୀପ ପାଣ୍ଡେ, ପୂଜା କମିଟି ସହ ସମ୍ପାଦକ ଶୈଳେନ୍ଦ୍ର କୁମାର ସାମନ୍ତରାୟ, କୋଷାଧ୍ୟକ୍ଷ ଗଣେଶ ସିଂହ ତଥା ପୂଜା କମିଟି ସଦସ୍ୟ ଚିତ୍ତରଞ୍ଜନ ମହାନ୍ତି, ଲୋକ ସମ୍ପର୍କ ବିଭାଗ ବରିଷ୍ଠ ଅଧିକାରିଣୀ ସ୍ମୃତିରେଖା କର, ମିଲନ କୁମାର ଲେଙ୍କା, ହରିହର ଖମାରିଙ୍କ ସମେତ ଅନ୍ୟ ବରିଷ୍ଠ କମ୍ପାନୀ କର୍ତ୍ତ୍ତୃପକ୍ଷ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ତହସିଲଦାର ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

ସେହିପରି ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ତଥା ଚାନ୍ଦିଲି ଥାନା ପୋଲିସ ଏବଂ ଜେକେ କାଗଜ କଳର ସୁରକ୍ଷାକର୍ମୀ ଓ ରାୟଗଡା ଡ୍ରାଇଭର ମହାସଂଘର ସଦସ୍ୟମାନେ ଭିଡ଼ ନିୟନ୍ତ୍ରଣ ପରିଚାଳନାରେ ସହଯୋଗ କରିଥିଲେ। ଶାରଦୀୟ ଦୁର୍ଗାପୂଜା ଅବସରରେ ଜେକେ କାଗଜ କଳ ତରଫରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକ ଦର୍ଶକଙ୍କ ମନ ମୋହି ପାରିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟନୀ ଉତ୍ସବରେ ୨୧ ଟି ସ୍ଥାନୀୟ କଳାକାର ଦଳ ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଜୟା ଦଶମୀରେ ସ୍ଥାନୀୟ ଜଗନ୍ନାଥ ନାଟ୍ଯକଳା ପରିଷଦ ପକ୍ଷରୁ “ବାପା ପରିଚୟ ଖୋଜା ଚାଲିଛି ” ଅପେରା ପରିବେଷଣ କରାଯାଇଥିଲା।

ଆଜି ବୁଧବାରରେ ବିଶାଖାପାଟଣା ଏଚ୍ଡି ମ୍ୟୁଜିକାଲ ନାଇଟ୍, ୨୬ ତାରିଖ ଦିନ ଭୁବନେଶ୍ଵରର ଉପାସନା ମ୍ୟୁଜିକ୍ ଗ୍ରୁପ ଦ୍ୱାରା ମେଲୋଡି ଓ ୨୭ ତାରିଖ ଦିନ ମୁମ୍ବାଇର କୱାଲି ପରିବେଷଣ କାର୍ଯ୍ୟକ୍ରମ ରହିଛି। ଏହି କାୱାଲୀରେ ଇମ୍ରାନ ୱାରିସ ଓ ନଗମା ୱାରିସଙ୍କ ମଧ୍ୟରେ ହେବାକୁ ଯାଉଥିବା ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଗା ପୂଜା ପଡିଆରେ ମିନା ବଜାର ସାଙ୍ଗକୁ ରାସ୍ତା ଉପରେ ସୁନ୍ଦର ଆଲୋକମାଳାରେ ଶିଳ୍ପାଞ୍ଚଳ ଜେକେପୁର ସହରର ଚଳିତ ବର୍ଷର ଏହି ଶାରଦୀୟ ଦୁର୍ଗା ପୂଜା ଆହୁରି ଲୋକପ୍ରିୟତା ହାସଲ କରିପାରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.