ଲକ୍ଷ୍ମୀ ବସରେ ଯାତ୍ରା କଲେ ନର୍ଲା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଲକ୍ଷ୍ମୀ ବସ୍ ମାଧ୍ୟମରେ ଲୋକଙ୍କ ସାମାଜିକ ସମ୍ପର୍କ ଓ ଅର୍ଥନୈତିକ ସ୍ଥିତି ଆହୁରି ମଜଭୁତ୍ ହେବ -ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ପହିଲାରେ ଭବାନୀପାଟଣା ଆସି କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହାପରେ ଜିଲ୍ଲାସାରା ୬୩ଟି ଲକ୍ଷ୍ମୀ ବସ୍ ଚିଲିଛି । ସୁଲଭ ମୂଲ୍ୟ ସହ ଅତ୍ୟାଧୁନିକ ବସ୍ ସେବାକୁ ବେଶ୍ ପସନ୍ଦ କରୁଛନ୍ତି ଲୋକେ । ନର୍ଲା ବ୍ଲକକୁ ତିନୋଟି ରୁଟରେ ବିଭକ୍ତ କରି ୨୬ ଗୋଟି ପଞ୍ଚାୟତର ଗାଁ ମାନଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଦିନକୁ ୬ଥର ଯିବା ଆସିବା କରୁଛି ଲକ୍ଷ୍ମୀ ବସ୍ । ଶନିବାର ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଓ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ନିଜ ଘର ରୁପ୍ରାରୋଡରୁ ନର୍ଲା ବ୍ଲକ କାର୍ଯ୍ୟାଳୟକୁ ଲକ୍ଷ୍ମୀ ବସ ଯୋଗେ ଆସିଥିଲେ । ସାତ କିଲୋମିଟର ଦୂରତା ପାଇଁ ସେମାନେ ଜଣପିଛି ମାତ୍ର ୫ ଟଙ୍କା ଲେଖାଏଁ ଦେଇଥିଲେ । ଏହି ଅବସରରେ ‘ଓଡ଼ିଆ ବାର୍ତ୍ତା’ରେ ପ୍ରତିକ୍ରିୟା ରଖିଛନ୍ତି ନର୍ଲା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ । ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି କହିଛନ୍ତି – ଲକ୍ଷ୍ମୀ ବସ ସେବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏକ ଐତିହାସିକ ପଦକ୍ଷେପ । ଲୋକଙ୍କ ଆବଶ୍ୟକତା ଅନୁସାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଛି । ଲୋକଙ୍କ ଘର ପାଖକୁ ଆସୁଛି ବସ୍ । ଛାତ୍ରଛାତ୍ରୀଙ୍କ ସ୍କୁଲ କଲେଜ ଯିବାଠୁ ଆରମ୍ଭ କରି ଚାଷୀଙ୍କ ପାଇଁ ବଜାର ଓ ରୋଗୀଙ୍କ ପାଇଁ ଡାକ୍ତରଖାନାକୁ ଗାଁ ସହିତ ଯୋଡ଼ିବ ଲକ୍ଷ୍ମୀ । ଏହାଦ୍ବାରା ଗ୍ରାମାଞ୍ଚଳର ପ୍ରଭୂତ ବିକାଶ ସାଧିତ ହେବା ସହ ଲକ୍ଷ୍ମୀ ବସ୍ ଗାଁ ବିକାଶର ସାରଥି ସାଜିବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଲକ୍ଷ୍ମୀ ବସ୍ ମାଧ୍ୟମରେ ଲୋକଙ୍କ ସାମାଜିକ ସମ୍ପର୍କ ଓ ଅର୍ଥନୈତିକ ସ୍ଥିତି ଆହୁରି ମଜଭୁତ୍ ହେବ । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ’ ବୋଲି ମତବ୍ୟକ୍ତ କରିଛନ୍ତି ନର୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.